ଆ‌ସ୍‌ ଅଭାବରୁ ବନ୍ଦ ହେଇଯିବ ଇଟା କମ୍ପାନି, ହାତ ବାନ୍ଧି ବସିଛନ୍ତି ଶହ ଶହ ଶ୍ରମିକ

ତ୍ରିଶୁଳିଆ/ବାରଙ୍ଗ: ଆସ୍ ଯୋଗାଣ ବନ୍ଦ ହେବାକୁ ବସିଲାଣି। ଆସ୍‌ ଯୋଗାଇବାକୁ ଚୁକ୍ତି କରିଥିବା କମ୍ପାନିମାନେ ଇଚ୍ଛା ହେଲେ, ମାଲ୍ ଦେଉଛନ୍ତି ନ ହେଲେ ନାହିଁ। ବଡ଼ବଡ଼ କମ୍ପାନିମାନଙ୍କୁ ଆସ୍ ଯୋଗାଇବା ପରେ ବଳିଲେ ଇଟା କମ୍ପାନିମାନଙ୍କୁ ଦେଉଛନ୍ତି। ଫଳରେ ଆସ୍ ଯୋଗାଣ ଅଭାବରୁ ଏବେ ଫ୍ଲାଏ ଆସ୍‌ ଇଟା ତିଆରି କରୁଥିବା କମ୍ପାନିଗୁଡ଼ିକ ବନ୍ଦ ହେବା ଅବସ୍ଥାରେ। ତେଣୁ ଶହଶହ ଶ୍ରମିକ ଏବେ ବିନା ‌ରୋଜଗାରରେ ହାତ ବାନ୍ଧି ବସିଛନ୍ତି। ସେହିଭଳି ଇଟା କମ୍ପାନି ଉପରେ ନିର୍ଭର କରୁଥିବା ଶହ ଶହ ଗାଡ଼ି ଚାଳକ ଓ ମାଲିକମାନେ ମଧ୍ୟ ରୋଜଗାର ହରାଇ ମୁଣ୍ଡରେ ହାତ ଦେଲେଣି। ଆଗକୁ ଆସ୍‌ ଯୋଗାଉଥିବା କମ୍ପାନିମାନେ ଇଟା‌ କମ୍ପାନିମାନଙ୍କୁ ଏଭଳି ହତାଦର କଲେ, ସେମାନେ ଶ୍ରମିକମାନଙ୍କ ସହ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଫ୍ଲାଏ ଆସ୍‌ ଇଟା କମ୍ପାନି ମାଲିକମାନେ ଅଭିଯୋଗ କରିଛନ୍ତି ଯେ ଆରତି, ରମେଟ ଓ ଇମ୍ଫା ଆଦି କମ୍ପାନିମାନେ ବାରଙ୍ଗ, ନଖରା ଓ ରାଜଧାନୀ ଆଖପାଖ ଅଞ୍ଚଳରେ ଥିବା ଫ୍ଲାଏ ଆସ୍ ଇଟା କମ୍ପାନିମାନଙ୍କୁ ଆସ୍‌ ଯୋଗାଇବାକୁ ସରକାରୀ ସ୍ତରରେ ଚୁକ୍ତି କରିଥିଲେ। ମାତ୍ର ଏବେ ଚୁକ୍ତିରେ ଖିଲାପ କରୁଛନ୍ତି। ପର୍ଯ୍ୟାପ୍ତ ପରିମାଣର ଆସ୍‌ ନ ଯୋଗାଇ ବାହାରକୁ ଆସ୍‌ ଚୋରା ଚାଲାଣ କରୁଛନ୍ତି। ଫଳରେ ଫ୍ଲାଏ ଆସ୍‌ ଇଟା କମ୍ପାନିମାନେ ପର୍ଯ୍ୟାପ୍ତ ପରିମାଣର ମାଲ୍‌ ପାଇପାରୁନାହାନ୍ତି। ନାଲ୍‌କୋ, ଜିନ୍ଦଲ୍‌ ଓ ଜେଏମ୍ଆର୍ ଆଦି କମ୍ପାନିମାନେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବଡ଼ ବଡ଼ କମ୍ପାନିମାନଙ୍କୁ ଓ ବାଂଲା ଦେଶର ସିମେଣ୍ଟ ପ୍ଲାଣ୍ଟ୍‌କୁ ଆସ୍‌ ଚାଲାଣ କରୁଛନ୍ତି। ଅଥଚ କ୍ଷୁଦ୍ର ଫ୍ଲାଏ ଆସ୍‌ ଇଟା କମ୍ପାନିମାନଙ୍କୁ ଆସ୍‌ ଦେଉନାହାନ୍ତି। ଫଳରେ କ୍ଷୁଦ୍ର ଫ୍ଲାଏ ଆସ୍‌ ଇଟା କମ୍ପାନିମାନେ ବାଧ୍ୟ ହୋଇ ମାସର ଅଧା ଦିନ କାମ ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ବାରା ଇଟା କମ୍ପାନି ମାଲିକମାନେ ଯେତିକି କ୍ଷତି ସହୁଛନ୍ତି, ତା’ଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଶ୍ରମିକମାନେ। ଅଧା ଦିନ କାମ କରିବା ଦ୍ବାରା ସେମାନଙ୍କ ରୋଜଗାର କମୁଛି। ଏମିତିକି କିଛି ଶ୍ରମିକମାନଙ୍କୁ ପୁରା ମାସର ପାରିଶ୍ରମିକ ଦେବାକୁ ମାଲିକମାନେ ବାଧ୍ୟ ହେଉଛନ୍ତି।

ଏହା ଦ୍ବାରା କମ୍ପାନି ମାଲିକମାନେ ଦେବାଳିଆ ହେବାରେ ଲାଗିଛନ୍ତି। କେବଳ ଇଟା କମ୍ପାନି ମାଳିକମାନେ ଯେ କ୍ଷତିଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଏହି ସବୁ କମ୍ପାନିରୁ ଇଟା ପରିବହନ କରି ପରିବାର ପ୍ରତିପୋଷଶ କରୁଥିବା ଟ୍ରକ ମାଲିକ ଓ ଶ୍ରମିକମାନେ ମଧ୍ୟ ରୋଜଗାର ହରାଉଛନ୍ତି। ସେହିଭଳି ଇଟା ଅଭାବରୁ ନିର୍ମାଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି ଓ ନିର୍ମାଣ ଶ୍ରମିକମାନେ ବି କ୍ଷତିଗ୍ରସ୍ତ ହେଉଛନ୍ତି। ଏ ସଂକ୍ରାନ୍ତରେ ସେମାନେ କଟକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ ଓ ବିହିତ ପଦକ୍ଷେପ ନେବା ଲାଗି ନେବା ଲାଗି ସେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ କରାଯାଉନାହିଁ। ଆଗାମୀ ଦୁଇ ସପ୍ତାହ ଭିତରେ ପଦକ୍ଷେପ ନ ନେଲେ, ଆନ୍ଦୋଳନାତ୍ମକ ପଦକ୍ଷେପ ନେବା ଲାଗି ଫ୍ଲାଏ ଆସ୍ ବ୍ରିକ୍ସ ମାଲିକ ସଂଘର ସଭାପତି ଅଜୟ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ରଘୁରାମ ନାଇଡୁଙ୍କ ସମେତ କମର୍କର୍ତ୍ତାମାନେ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସମ୍ବନ୍ଧିତ ଖବର