ବାହା ବେଦିରୁ ବର ନିଖୋଜ, ଏନ୍‌ଏଚ୍‌ କଡ଼ରେ କାର୍‌ରୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର

ଚନ୍ଦ୍ରଶେଖରପୁର: ବିଧି ଅନୁସାରେ ବାହାଘର ସରିଥିଲା। ହାତଗଣ୍ଠି ପଡ଼ିବା, ହୋମକୁଣ୍ଡ ଚାରି ପଟେ ସାତ ଘେରା ବୁଲିବା, କଉଡ଼ି ଖେଳ ଓ ବନ୍ଦାପନା ଆଦି ବିଧିବିଧାନ, କର୍ମକାଣ୍ଡ ସରିଥିଲା। ଅବଶ୍ୟ କରୋନା କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ଓ ବରକନ୍ୟା ମୁହଁରେ ମାସ୍କ ବାନ୍ଧିବା ଭଳି କିଛି ନୂଆ ନିୟମ ଯୋଡ଼ି ହୋଇଥିଲା। କିନ୍ତୁ ଏହା ପରେ ହଠାତ୍ ବର ନିଖୋଜ ହୋଇଯାଇଥିଲେ। ଫୁଲରେ ସଜା ହୋଇଥିବା କାର୍‌ଟି ନଥିଲା କି ବର ନ ଥିଲେ। ବହୁ ଖୋଜାଖୋଜି କରିବା ପରେ ବର ଓ ତାଙ୍କ ସାଙ୍ଗ କାର୍‌ ଚାଳକଙ୍କୁ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ ଛକରେ କାର୍‌ ଭିତରୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ନୀଳାଦ୍ରିବିହାରରେ ଅନୁଷ୍ଠିତ ହୋଇଥିବା ଏହି ବିବାହ ଉତ୍ସବରେ ଆରମ୍ଭରୁ ସବୁ କିଛି ଠିକ୍‌ଠାକ୍‌ ଥିଲା। କିନ୍ତୁ ବେଦି କର୍ମ ସରିବା ପରେ ହଠାତ୍ ବର ଉଭାନ୍‌ ହୋଇଯିବା ଦ୍ବାରା ଉଭୟ ପକ୍ଷରୁ ଲୋକମାନେ ଚିନ୍ତାରେ ପଡ଼ି ଯାଇଥିଲେ। କେହି କେହି ବର ନିଜ ଇଚ୍ଛାରେ ଫେରାର୍ ହୋଇଗଲେ କି ବୋଲି ସନ୍ଦେହ କରିଥିବା ବେଳେ ଅନ୍ୟମାନେ ବରଙ୍କୁ କେହି ଅପହରଣ କରିନେଲା ବୋଲି ଅଭିଯୋଗ କଲେ। ପରିସ୍ଥିତି ଏମିତି ହେଲା ଯେ ଉଭୟପକ୍ଷ ପରସ୍ପରକୁ ସନ୍ଦେହ କରିବାକୁ ଲାଗିଲେ। ତେଣୁ ମାମଲା ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିବାକୁ ଅଧିକ ସମୟ ଲାଗିଲା ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ପଚରାଉଚରା କଲା। କିନ୍ତୁ ବର ନିଖୋଜ ହୋଇଯିବା ପଛରେ କି କାରଣ ରହିଛି, ତା’ର ଟେର୍ ପାଇନଥିଲା। ତେଣୁ ତୁରନ୍ତ ବରଙ୍କ ମୋବାଇଲ୍‌ ଫୋନ୍‌ ନମ୍ବରକୁ ଟ୍ରାକିଂ କରାଯାଇଥିଲା। ମୋବାଇଲ୍‌ ନମ୍ବର ୧୬ ନମ୍ବର ଜାତୀୟ ରାଜପଥ ଖଣ୍ଡଗିରି ଆଇଗିଣିଆ ଛକରେ ଥିବା ଜଣାପଡ଼ିଥିଲା। ତେଣୁ କାଳବିଳମ୍ବ ନକରି ପୁଲିସ ସେଠାରେ ପହଞ୍ଚିଥିଲା। ତେବେ ସେଠାରେ ଯାହା ଦେଖିବାକୁ ମିଳିଲା, ସେଥିରେ ପୁଲିସ କର୍ମଚାରୀମାନେ ହସି ହସି ଫାଟି ପଡ଼ିଥିଲେ। ଉଭୟ ବର ଓ ଗାଡ଼ି ଚାଳକ ଚେତାଶୂନ୍ୟ ଅବସ୍ଥାରେ ଗାଡ଼ି ଭିତରେ ପଡ଼ିଥିଲେ। ପାଖରେ ମଦ ବୋତଲ ଓ କିଛି ଖାଦ୍ୟ ପଡ଼ିଥିଲା। ପରେ ଜଣାପଡ଼ିଲା ଯେ ବେଦିରୁ ଉଠିବା ପରେ ବର ଓ ତାଙ୍କ ଗାଡ଼ିଚାଳକ ସାଙ୍ଗ ସମସ୍ତଙ୍କ ଅଜ୍ଞାତରେ ମଦ ପିଇବା ପାଇଁ ଯାଇ ଏମିତି ଅବସ୍ଥାରେ ପଡ଼ିଥିଲେ।

ସମ୍ବନ୍ଧିତ ଖବର