ଭୁବନେଶ୍ବର: ଓଭରବ୍ରିଜରେ ଚରିଗଲାଣି ବର, ଓସ୍ତ ଗଛ; ମେଲୁଛି ବ୍ରିଜ ଯୋଡ଼େଇ ଫାଟ

ଭୁବନେଶ୍ବର: ଓଭରବ୍ରିଜ୍‌ରେ ଯୋଡ଼େଇ ସ୍ଥାନରେ ସବାର ହୋଇଛି ଶହଶହ ବର ଓ ଓସ୍ତ ଗଛ। ରସୁଲଗଡ଼ରୁ ନେଇ ବରମୁଣ୍ଡା ପର୍ଯ୍ୟନ୍ତ ଓଭରବ୍ରିଜ ଉପରେ ଏହି ଗଛଗୁଡ଼ିକର ଶାଖା ପ୍ରଶାଖା ମେଲି ଚାଲିଥିଲେ ହେଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହିଁ। ରସୁଲଗଡ଼ ନିକଟରେ ଓଭରବ୍ରିଜର ଯୋଡ଼େଇ ସ୍ଥାନରେ ଏକ ସ୍ଲାବ ଭାଙ୍ଗି ଝୁଲି ରହିଥିବା ଦେଖିବାକୁ ମିଳିଥିବା ବେଳେ ଦୁର୍ବଳ କାମକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହା ଯେ କେବଳ ଗୋଟିଏ କାରଣ ତାହା ନୁହେଁ, ବରଂ ବ୍ରିଜ ନିର୍ମାଣ ପରେ ରକ୍ଷଣାବେକ୍ଷଣ ନେଇ ଯେତିକି ଗୁରୁତ୍ବ ଦେବା କଥା ତାହା ଦିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ଆସିଛି।

ଓଭରବ୍ରିଜ୍‌ ଯୋଡ଼େଇ ସ୍ଥାନ ଏବଂ କାନ୍ଥ ନିର୍ଦିଷ୍ଟ ଆକାରର କଂକ୍ରିଟ ସ୍ଲାବ ଜରିଆରେ ଯୋଡ଼େଇ କରାଯାଇଥିବା ବେଳେ ଯୋଡ଼େଇ ସ୍ଥଳରେ ହିଁ ଦୀର୍ଘ ବର୍ଷ ହେଲା ବର ଓ ଓସ୍ତ ଗଛ ସଂଖ୍ୟା ବଢ଼ି ଚାଲିଛି। ଏନେଇ ପରିବେଶ ବୈଜ୍ଞାନିକ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ମୁଖ୍ୟତଃ ପକ୍ଷୀମାନେ ଓସ୍ତ ଓ ବର ଫଳ ଖାଉଥିବା ବେଳେ ଓଭରବ୍ରିଜ ଉପରେ ବସି ମଳତ୍ୟାଗ ସମୟରେ ଏଗୁଡ଼ିକ ସେଠାରେ ବଢ଼ି ଗଛର ରୂପ ନିଏ। ଗଛଗୁଡ଼ିକ ମୁଖ୍ୟତଃ ବାହାରକୁ ଶାଖା ମେଲୁଥିବାରୁ ତାହା ଫାଙ୍କ ଦେଇ ବଢ଼ିବାକୁ ଲାଗେ। ‌ଚେରର ମୋଟେଇ ବର୍ଷାନୁକ୍ରମେ ବଢ଼ିଚାଲେ। ଫଳରେ ଏହା ଓଭରବ୍ରିଜ ହେଉ ଅବା ବଡ଼ ବଡ଼ ବିଲଡିଂର କାନ୍ଥକୁ ଫଟାଇଦିଏ। ସାଧାରଣରେ ଦେଖିଲେ ଏହା ଏମିତି ଯେ କିଛି ବିପଦ ସୃଷ୍ଟି କରିବ ତାହା କେହି ଅନୁମାନ ମଧ୍ୟ କରିପାରିବେ ନାହିଁ। ମାତ୍ର ଏହା ଫଳରେ ସୃଷ୍ଟି ହେଉଥିବା ଛୋଟଛୋଟ ଫାଟ ହିଁ ଓଭରବ୍ରିଜକୁ ଯେ ଦୁର୍ବଳ କରିନଦେବ ତାହା କହିହେବ ନାହିଁ। ତେଣୁ ବେଳହୁଁ ସାବଧାନ ହେବା ସହିତ କର୍ତୃପକ୍ଷ ଏ ଦିଗ‌ରେ ଧ୍ୟାନ ଦେବା ଉଚିତ। ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ଥିବାରୁ ଗଛର ଚେର ଅଧିକ ମୋ‌ଟା ହେବା ପୂର୍ବରୁ ଏଗୁଡ଼ିକୁ କାଟି ମେଲି ଯାଉଥିବା ଫାଙ୍କା ସ୍ଥାନକୁ ପୁନଃ ମରାମତି କରାଯିବା ଆବଶ୍ୟକ।

ଏନେଇ କେଏମବିବି ଇଂଜିନିୟରଂ କଲେଜର ଅଧ୍ୟକ୍ଷ ତଥା ସିଭିଲ ଇଂଜିନିୟର ଡ.ଧନଦାକାନ୍ତ ମିଶ୍ର କହିଛନ୍ତି, ଓଭରବ୍ରିଜର ଯୋଡ଼େଇ ସ୍ଥଳରେ ବିଭିନ୍ନ କାରଣରୁ ଫାଟ ସୃଷ୍ଟି ହୁଏ। ବର ଓ ଓସ୍ତ ଭଳି ଦୃଢ଼ ଗଛଗୁଡ଼ିକ ମଧ୍ୟ ଏକ ପ୍ରମୁଖ କାରଣ। ତେଣୁ ଏଥିପାଇଁ ନିୟମିତ ନୀରିକ୍ଷଣର ଆବଶ୍ୟକତା ରହିଛି। ବାସ୍ତବରେ ନିର୍ମାଣ ବେଳେ ଯେତିକି ଯତ୍ନବାନ ହେବାର ଗୁରୁତ୍ବ ରହିଛି ରକ୍ଷଣାବେକ୍ଷଣ ବେଳେ ମଧ୍ୟ ସେତିକି ସତର୍କତା ଅବଲମ୍ବନ କରାଯିବା ଉଚିତ। ମାତ୍ର ତାହା ସାଧାରଣରେ ହୁଏ ନାହିଁ। ଯୋଡ଼େଇ ସ୍ଥାନରେ ଯଦି ଗଛଗୁଡ଼ିକ ଦୀର୍ଘଦିନ ପର୍ଯ୍ୟନ୍ତ ରୁହେ ତେବେ ଗଛର ମୋଟେଇ ବଢ଼ି ଏହା କଂକ୍ରିଟ ଉପରେ ଚାପ ପକାଇ ଫାଟ ପାଇଁ ବାଟ ଖୋଲିବ। ଫାଟ ଅଧିକ ହେଲେ ଏହା ମଧ୍ୟରେ ବର୍ଷାଦିନେ ପାଣି ପଶି ଗଛକୁ ବଢ଼ିବାରେ ଆହୁରି ସହଯୋଗ କରିବ। ଫଳରେ ଓଭରବ୍ରିଜର ପାରାପିଟରେ ଫାଟ ସୃଷ୍ଟି ହେବ। ତେଣୁ ଗଛଗୁଡ଼ିକୁ ସେଇ ସ୍ଥାନରୁ ମୂଳରୁ ଉପାଡ଼ିବା ଆବଶ୍ୟକ ରହିଛି ବୋଲି ଡ.ମିଶ୍ର କହିଛନ୍ତି।

ଓଭରବ୍ରିଜ ଉପରେ ଗଛ ଉଠି ଫାଟ ମେଲିବା ନେଇ ପୂର୍ବରୁ ଯେ ଅଭିଯୋଗ ହୋଇନି ସେ କଥା ନୁହେଁ। ମାତ୍ର ଏନେଇ କେବେ ବି ତତ୍ପରତା ପ୍ରକାଶ ପାଇନାହିଁ। ବିଶେଷକରି ବରମୁଣ୍ଡା ଓଭରବ୍ରିଜ ଓ ଜୟଦେବ ବିହାର ଓଭରବ୍ରିଜରେ ବର ଓ ଓସ୍ତ ଗଛମାନ ବହୁ ସଂଖ୍ୟାରେ ଉଠିଛି। ମାତ୍ର କୌଣସି ଦୁର୍ଘଟଣା ଘଟିନଥିବାରୁ ଏହି ଗଛ ଉଠିବା କଥାକୁ ସେତିକି ଗୁରୁତ୍ବର ସହ ନିଆଯାଉ ନାହିଁ। ଫଳରେ ଗଛଗୁଡ଼ିକ ଅନାୟାସରେ ବଢ଼ି ଚାଲିଛି। ରସୁଲଗଡ଼ରୁ ବରମୁଣ୍ଡା ଓଭରବ୍ରିଜ ମଧ୍ୟରେ ବହୁ ଟ୍ରକ ପ୍ରତିଦିନ ଯା’ ଆସ କରୁଥିବା ବେଳେ ବହୁ ଲୋକେ ଏହାକୁ ବ୍ୟବହାର କରୁଛନ୍ତି। ଓଭରବ୍ରିଜ ତଳେ ମଧ୍ୟ ବହୁ ସଂଖ୍ୟାରେ ଲୋକେ ଯା’ ଆସ କରୁଛନ୍ତି। ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନ୍ତତଃ ଏ ଦିଗରେ ନୀରିକ୍ଷଣ କରି ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ବରମୁଣ୍ଡା ଗ୍ରାମର ବାସିନ୍ଦା ବିଜୟ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର