ରିମାଣ୍ଡରେ ଆସିବେ ବ୍ରାଉନ୍‌ସୁଗାର ବେପାରୀ, ଲକ୍‌ଡାଉନ୍‌ ବେଳେ କେମିତି ଆସିଲା?

ସନ୍ଦେହରେ ପୁଲିସ୍‌ର ଭୂମିକା

ଭୁବନେଶ୍ବର: ବ୍ରାଉନସୁଗାର କାରବାର ଅଭିଯୋଗରେ ଦୁଇ ତାରିଖ ବଡ଼ି ଭୋର୍‌ରୁ କଳିଙ୍ଗନଗର ଅଞ୍ଚଳରୁ ଧରାପଡ଼ିଥିବା ଦୁଇ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣିବ। ସେମାନଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଛି। ରିମାଣ୍ଡ ମିଳିଲେ ସେମାନଙ୍କୁ ମାରାଥନ୍‌ ଜେରା କରାଯିବା ସହ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ନିଆଯିବ ବୋଲି କୁହାଯାଉଛି। ବିଶେଷକରି ନିଶାଦ୍ରବ୍ୟ ସେମାନେ କେଉଁଠୁ ଆଣୁଥିଲେ? ଫେରାର ଅଭିଯୁକ୍ତ ସହ ଆଉ କିଏ କିଏ ଅଛନ୍ତି? ବାହାର ରାଜ୍ୟରୁ ଏହି ଦ୍ରବ୍ୟ କିଭଳି ଏଠାକୁ ଆସୁଥିଲା? ଭୁବନେଶ୍ବରରେ କେଉଁଠି ଓ କିଏ ରଖୁଥିଲା? ରିମାଣ୍ଡରେ ଆସିବା ପରେ ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ ଏସ୍‌ଟିଏଫ୍‌।

ଲକ୍‌ଡାଉନ୍‌ ବେଳେ କେମିତି ଆସିଲା?
ତଦନ୍ତ ବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସିଛି। ସମଗ୍ର ଭାରତ ବର୍ଷରେ ତାଲାବନ୍ଦ ଚାଲିଥିବା ବେଳେ ରାଜ୍ୟ ବାହାରୁ କିଭଳି ଏତେ ପରିମାଣର ନିଶାଦ୍ରବ୍ୟ ରାଜ୍ୟ ଭିତରକୁ ଆସିପାରିଲା, ତାହା ଏସ୍‌ଟିଏଫ୍‌ ପାଇଁ ଚିନ୍ତାର କାରଣ ହୋଇଛି। କରୋନା କଟକଣା ପାଇଁ ରାଜ୍ୟର ସୀମା ସିଲ୍‌ କରାଯାଇ ଥିଲା। ଏଣୁ ସୀମାରେ ରାଜ୍ୟ ପୁଲିସର କଡ଼ା ପହରା ଜାରି ରହିଥିଲା। ଏଭଳି ସ୍ଥିତିରେ ବେଆଇନ ନିଶାଦ୍ରବ୍ୟ କିଭଳି ଭୁବନେଶ୍ବରରେ ପହଞ୍ଚିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ୍ଦ ବେଳେ ଯାଞ୍ଚ କୋହଳ ଥିଲା ନା ସ୍ବୀକୃତିପ୍ରାପ୍ତ ଗାଡ଼ିରେ ଏହାକୁ ସୁରକ୍ଷିତ ଭାବେ ଅଣା ଯାଉଥିଲା?

ହାତ ମିଶାଇ ଦେବେନି ତ?
ଲକ୍‌ଡାଉନ୍‌ ସମୟରେ ରାଜ୍ୟ ଭିତରେ ମଧ୍ୟ କଟକଣା କଡ଼ାକଡ଼ି ଥିଲା। ଅତି ଜରୁରୀ କାମରେ ଜିଲ୍ଲାରୁ ଜିଲ୍ଲାକୁ ଯିବାକୁ ହେଲେ କମିସନରେଟ୍‌ ପୁଲିସ ପାସ୍‌ ପ୍ରଦାନ କରୁଥିଲା। ପଶ୍ଚିମବଙ୍ଗରୁ ଭୁବନେଶ୍ବର ଆସିବାକୁ ହେଲେ ୪ଟି ଜିଲ୍ଲା ଅତିକ୍ରମ କରିବାକୁ ପଡ଼ିଥାଏ। ଏତେ କଟକଣା ସତ୍ତ୍ବେ ରାଜଧାନୀକୁ ବିପୁଳ ପରିମାଣର ବ୍ରାଉନ୍‌ସୁଗାର କିପରି ଆସି ପାରିଲା, ତା’ର ଖୋଳତାଡ଼ କରିବାକୁ ଏସ୍‌ଟିଏଫ୍‌ ଉଦ୍ୟମ କରିବ। ଖୋଳତାଡ଼ ହେଲେ ପୁଲିସର ବିଫଳତା ପଦାକୁ ଆସିବ। ଏଣୁ ପୁଲିସକୁ ଖାଲରେ ନ ପକାଇବା ପାଇଁ ଏସ୍‌ଟିଏଫ୍‌ ଓ ପୁଲିସ ହାତ ମିଶାଇ ଦେବା ନେଇ ଚର୍ଚ୍ଚା ହେଉଛି। ଜବତ ବ୍ରାଉନ୍‌ସୁଗାର ଲକ୍‌ଡାଉନ୍‌ ପୂର୍ବରୁ ରାଜ୍ୟ ଭିତରକୁ ଆସିଥିବା ପ୍ରମାଣ କରିବାକୁ ଉଦ୍ୟମ ଚାଲିଥିବା କୁହାଯାଉଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଯେତେବେଳେ ବେପାରୀ ଅଧିକ ପରିମାଣର ନିଶାଦ୍ରବ୍ୟ ଆଣିଥାଏ, ତାକୁ ଯଥା ସମ୍ଭବ ବିକ୍ରି କରିଦେବା ପାଇଁ ଚାହିଥାଏ। ଥରେ ପାଖରୁ ଜିନିଷ ଚାଲିଗଲେ ଆଉ ଭୟ ନଥାଏ। ଏଣୁ ଲକ୍‌ଡାଉନ୍‌ ପୂର୍ବରୁ ଏହାକୁ ଅଣାଯାଇ ନଥିବା ସ୍ପଷ୍ଟ ହେଉଛି।

ସନ୍ଦେହରେ ପୁଲିସ୍‌ର ଭୂମିକା
୬ମାସ ଭିତରେ ଏସ୍‌ଟିଏଫ୍‌ ଯେତିକି ବ୍ରାଉନ୍‌ସୁଗାର ଜବତ କରିଛି, ଗତ ୪ ବର୍ଷ ମଧ୍ୟରେ ଓଡ଼ିଶା ପୁଲିସ କିମ୍ବା ଅନ୍ୟ କୌଣସି ସଂସ୍ଥା ମିଶି ଏତେ ପରିମାଣର ଧରି ନ ଥିଲେ। ଅର୍ଥାତ୍‌ ଏସ୍‌ଟିଫ୍‌ ନିଶାଦ୍ରବ୍ୟ ଜବତ କରିବାରେ ଏକ ରେକର୍ଡ ସୃଷ୍ଟି କରିଛି। ଯେଉଁଥିପାଇଁ ପୁଲିସ ସମେତ ଅନ୍ୟ ସଂସ୍ଥାର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ତାଲାବନ୍ଦ ବେଳେ ଏହି ଚାଲାଣ ହୋଇଛି, ତେବେ ରାଜ୍ୟ ପୁଲିସର ଭୂମିକା ସନ୍ଦେହକୁ ଆସୁଛି।

ସୂଚନାଯୋଗ୍ୟ, ଗତ ୨ ତାରିଖ ଦିନ ୧ କେଜି ୧୨ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଏଥିରେ ଦୁଇ ଅଭିଯୁକ୍ତ ଖୋର୍ଦ୍ଧା ଜଙ୍କିଆ ଥାନା ଛଣଗିରିର ଅଜୟ ମହାପାତ୍ର ଓ ବେଗୁନିଆ ଥାନା ଜାମୁସାହିର ବିଭୂତି ଭୂଷଣ ଜେନା ଗିରଫ ହୋଇଥିଲେ। ବେପାରର ମାଷ୍ଟର ମାଇଣ୍ଡ ମଙ୍ଗରାଜ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର