ପୁରୁଣା ଭୁବନେଶ୍ୱର: ଅଦାଲତରେ ସ୍ଥିତାବସ୍ଥା ଥିବା ଜମିରେ ଜୋର୍‌ ଜବରଦସ୍ତ ଗୃହ ନିର୍ମାଣ ଚାଲିଥିବାବେଳେ ବିରୋଧ ହେବାରୁ ଜଣେ ବିଲ୍‌ଡର ପ୍ରତିପକ୍ଷର ୭ ଜଣଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗଣ୍ଡ‌ଗୋଳକୁ ନିୟନ୍ତ୍ରଣ କରି ବିବାଦୀୟ ଜମିରେ ପୁଲିସ ମୁତୟନ କରିବା ସହ ନିର୍ମାଣ କାମ ବନ୍ଦ କରିଥିବା ସୂଚନା ମିଳିଛି। କିନ୍ତୁ ବିଲ୍‌ଡରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆକ୍ରମଣର ଶିକାର ହୋଇଥିବା ‌ବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସୂଚନାନୁସାରେ ସାମନ୍ତରାପୁର ମହାବୀର ନଗର ଲେନ୍‌ ୧୨ରେ ଏହି ବିବାଦୀୟ ଜମି ରହିଛି। ଜଣେ ବିଲ୍‌ଡର ଏହି ପ୍ଲଟକୁ କିଣିଥିବା ଦାବି କରୁଥିବାବେଳେ ସେଠାରେ ରହି ଆସୁଥିବା ୭ ଜଣ ତାହାକୁ ସେମାନଙ୍କର ବୋଲି କହୁଛନ୍ତି। ଏନେଇ ଏକ ଦେୱାନି ମାମଲା ବିଚାରାଧୀନ ରହିଛି ଏବଂ ଏହି ଜମିରେ ଚଳିତ ବର୍ଷ ଜୁଲାଇ ୧୩ ପର୍ଯ୍ୟନ୍ତ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ବିଲ୍‌ଡର ଏଠାରେ ଜୋର୍‌ ଜବରଦସ୍ତ ନିର୍ମାଣ କାମ ଆରମ୍ଭ କରିଥିଲେ। ତେଣୁ ଉକ୍ତ ପ୍ଲଟ୍‌ରେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ୭ ଜଣ ତାଙ୍କୁ ବିରୋଧ କରିଥିଲେ। ଫଳରେ ବିଲ୍‌ଡରଙ୍କ ଲୋକମାନଙ୍କ ସହ ସେମାନଙ୍କର କଥା କଟାକଟି ଓ ପରେ ହାତାହାତି ହୋଇଥିଲା। ବିଲ୍‌ଡରଙ୍କ ଲୋକମାନେ ସେମାନଙ୍କୁ ଆକ୍ରମଣ କରିଛନ୍ତି ଓ ତୁରନ୍ତ ଜମି ଛାଡ଼ିବା ପାଇଁ ହତ୍ୟା ଧମକ ଦେଇଛନ୍ତି ବୋଲି କୈଳାସ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀଙ୍କ କହିବା କଥା ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ଓ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।