ନିର୍ମାଣାଧୀନ କୋଠା ସିଲ୍‌, ସଙ୍ଗରୋଧରେ ବଙ୍ଗୀୟ ଶ୍ରମିକ

ଚନ୍ଦ୍ରଶେଖରପୁର: ଶ୍ରମିକମାନଙ୍କ ପେଟପାଟଣା ପାଇଁ କରୋନା କଟକଣାରେ କିଛିଟା କୋହାଳ ହେବା ପରେ ବହୁ ସ୍ଥାନରେ ଠିକାଦାରମାନଙ୍କ ମନମାନୀ ଦେଖିବାକୁ ମିଳୁଛି। ରାଜ୍ୟ ବାହାରୁ ଶ୍ରମିକମାନଙ୍କୁ ଆଣି କାମରେ ନିୟୋଜିତ କରିବା ପୂର୍ବରୁ କୋଭିଡ୍‌ ନିୟମ ପାଳନ କରୁନାହାନ୍ତି। ସେମାନଙ୍କୁ ସଙ୍ଗରୋଧରେ ନ ରଖି ସିଧାସଳଖ କାମରେ ଲଗାଇ ଦେଉଛନ୍ତି। ଫଳରେ ସ୍ଥାନୀୟ ଲୋକେ କରୋନା ସଂକ୍ରମଣର ଶିକାର ହେବା ଆଶଙ୍କା ସୃଷ୍ଟି ହେଉଛି। ଆଜି ମଞ୍ଚେଶ୍ବର ସତ୍ୟବିହାରରେ ଏମିତି ଏକ ଘଟଣା ନଜରକୁ ଆସିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଦୁଇଟି ନିର୍ମାଣାଧୀନ କୋଠାକୁ ସିଲ୍‌ କରିଛନ୍ତି ଓ ବଙ୍ଗୀୟ ଶ୍ରମିକମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ସତ୍ୟବିହାରରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିଛି।

ସୂଚନାନୁସା‌ରେ ମଞ୍ଚେଶ୍ବର ନିକଟ ସତ୍ୟବିହାର ଅଞ୍ଚଳର ଜନୈକ ଠିକାଦାର ଦୁଇଟି କୋଠା ନିର୍ମାଣ କରାଉଛନ୍ତି। ଗତ କିଛି ଦିନ ହେଲା ସେ ବଙ୍ଗୀୟ କୋଲକାତାର ଶ୍ରମିକଙ୍କୁ ଆଣି କାମରେ ଲଗାଯାଇଛନ୍ତି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇନାହିଁ। ସେମାନଙ୍କ ମଧ୍ୟରେ କିଛି ଶ୍ରମିକ ଅସୁସ୍ଥଥିବା ସତ୍ତ୍ବେ ସେମାନେ ତେଜରାତି ସାମଗ୍ରୀ କିଣାକିଣି କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଦୋକାନକୁ ଆସୁଥିବା ଦେଖିବାକୁ ମିଳିଛି। ତେଣୁ ସତ୍ୟବିହାର ବାସିନ୍ଦାମାନେ ଏହାକୁ ନେଇ ବିରୋଧ କରିବା ସହ ଆଜି ବିଏମ୍‌ସିରେ ଅଭିଯୋଗ କରାଥିଲେ।

ସମ୍ବନ୍ଧିତ ଖବର