ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଜାମୁକୋଳିସ୍ଥିତ ଗୋ-ଶାଳାରେ ପୁଣି ଷଣ୍ଢ ମଲେଣି। ପ୍ରବଳ ଖରା ଓ ଖାଦ୍ୟାଭାବରୁ ଦୁଇଟି ଷଣ୍ଢ ମରି ଯାଇଥିବା କୁହାଯାଉଛି। କିଛି ଦିନ ହେବ ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହୁଛି। ସେଠାରେ ଥିବା ଶତପ୍ରତିଶତ ଷଣ୍ଡଙ୍କ ବିଶ୍ରାମ ନେବା ପାଇଁ ସେଡ୍‌ ନଥିବାରୁ ଖରାରେ ବୁଲୁଥିବାରୁ ମରି ଯାଉଛନ୍ତି। କେତେକଙ୍କୁ ସେହି ଗୋ-ଶାଳା ଭିତରେ ପୋତି ଦିଆଯାଉଛି। ଅଭିଯୋଗ ଆସିବା ପରେ ବିଏମ୍‌ସି ଅଧିକାରୀ ଘଟଣାସ୍ଥଳରେ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

ଗତ ୨୦୨୧ ମସିହାରେ ପ୍ରାୟ ୧୫ ଷଣ୍ଢ ମରି ଯାଇଥିଲେ। ଏହାକୁ ଏକ ଟ୍ରକ୍‌ ଯୋଗେ ବାହାରକୁ ନିଆଯାଉଥିବା ବେଳେ ବଜରଙ୍ଗ ଦଳର କର୍ମୀମାନେ ଧରିଥିଲେ। ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ଗୋଶାଳା ଉପରେ ବିଏମ୍‌ସି ଗୁରୁତ୍ବ ଦେଇଥିଲା। ଗତ ଜାନୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରହଣୀ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଗୋ-ଶାଳା ସମ୍ପ୍ରସାରଣ ପାଇଁ ୨୦.୫ ଏକର ଜାଗା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ୫.୫ ଏକର ଜାଗାରେ ଥିବା ଏହି ଗୋଶାଳାରେ ୯୦୬ ଗୋରୁ ରହୁଥିଲେ। ଏହା ୨୬ ଏକର ହେବା ପରେ ୪ ହଜାର ଗୋରୁ ରହିପାରିବେ ବୋଲି କୁହାଯାଉଥିଲା। ଏହି ଜାଗା ମିଳିଥିଲେ ମଧ୍ୟ ଗାଈଗୋରୁଙ୍କ ପାଇଁ ସେଡ୍‌ ଯଥେଷ୍ଟ ନଥିବାରୁ ସମସ୍ୟା ହୋଇଛି। ସ୍ଥାନୀୟ ‌ଲୋକଙ୍କ କହିବା ଅନୂଯାୟୀ ପ୍ରତ୍ୟେକ ଦିନ ଏଠାରେ ଗୋରୁ ମରୁଛନ୍ତି।