ଖଣ୍ଡଗିରି: ଯେଉଁ ବୟସରେ ହସି ଖେଳି ସମୟ କାଟିବା କଥା ସେହି ବୟସରେ ଉଠାଉଛନ୍ତି ପରିବାର ବୋଝ। ଯେଉଁ କାନ୍ଧରେ ବହି ବସ୍ତାନୀ ରହିବା କଥା ସେହି କାନ୍ଧରେ ବାଉଁଶ। ଖଣ୍ଡଗିରି ମେଳାରେ ବାଉଁଶରାଣୀ ଖେଳ ଦେଖାଇ ରୋଜଗାର କରିବାକୁ ସୁଦୂର ଛତିଶଗଡ଼ର କୱାର୍ଦ୍ଧା ଅଞ୍ଚଳରୁ ଆସିଥିବା ଏହି ବାଉଁଶରାଣୀ ହେଉଛନ୍ତି ରୁକ୍ମଣୀ। ବୟସ ପାଖାପାଖି ୧୦ ବର୍ଷ ହେବ। ଲମ୍ବା ବାଡ଼ି ଧରି ୧୦ ଫୁଟ୍ ଉଚ୍ଚ ସରୁ ରସିରେ ଚାଲୁଛି। ସେହି ରସିରେ ପୁଣି ସାଇକେଲ୍ ଚଲାଉଛି। ଦେଖଣାହାରୀ କିଏ ୫ ଟଙ୍କା, କିଏ ୧୦ ଟଙ୍କା ପକାଇଦେଇ ଯାଉଛି। ଯାହା ରୋଜଗାର ହେଉଛି ସେଥିରେ ୫ ପ୍ରାଣୀ କୁଟୁମ୍ବ ଚଳୁଛି।
ରୁକ୍ମଣୀ ପରିବାରର ବଡ଼ ଝିଅ। ତାଙ୍କଠୁ ସାନ ୭ ବର୍ଷର ଭାଇ ରବି ଓ ୬ ବର୍ଷର ଆକାଶ ରୁକ୍ମଣୀ। ବାପା ବୁଲିବୁଲି ବେଲୁନ୍ ବିକ୍ରି କରନ୍ତି। ରୁକ୍ମଣୀଙ୍କ କହିବା କଥା, ସେ ୫ ବର୍ଷ ବୟସରୁ ବାଉଁଶରାଣୀ ହୋଇ ଏଭଳି କସରତ ଦେଖାଉଛନ୍ତି। ମେଳାରୁ ମେଳା ବୁଲି ବେଲୁନ୍ ବିକ୍ରିରୁ ବାପାଙ୍କର ରୋଜଗାର ଓ ବାଉଁଶରାଣୀରୁ ଯାହା ଆସେ ସେଥିରେ ପରିବାର ଚଳେ। ଛୋଟ ପିଲା ଖେଳ ଦେଖାଇବାକୁ ନେଇ କଟକଣା ଥିବାରୁ ଅନେକ ଜାଗାରେ ବିରୋଧ ହୁଏ। ଯେଉଁଠି ଖେଳ ଦେଖାଇ ହୁଏ, ସବୁ ଜାଗାରୁ ସମାନ ରେରାଜଗାର ନଥାଏ। ଗୋଟିଏ ପଟେ ପେଟର ତାତି, ଅନ୍ୟ ପଟେ ପସରା ମେଲେଇବାକୁ ନେଇ କଟକଣା ମଧ୍ୟରେ ଯୁଝି ହେଉଛନ୍ତି ଏଇ ୧୦ ବର୍ଷର ବାଳିକା। ୪ର୍ଥ ଶ୍ରେଣୀରେ ପଢ଼ୁଛି ବୋଲି କହିଥିଲେ, ହେଲେ ସ୍କୁଲ୍ ନାଁ ମନେ ପକାଇ ପାରି ନଥିଲେ। ତେବେ ଏଭଳି ଜଣେ ରୁକ୍ମିଣୀ ନୁହେଁ, ବରଂ ରାଜଧାନୀର ପ୍ରତ୍ୟେକ ମେଳା ଏଭଳି ଶହ ଶହ ରୁକ୍ମଣୀଙ୍କ କଥା କୁହେ।