ଖଣ୍ଡଗିରି: ବରମୁଣ୍ଡା ବସ୍ଷ୍ଟାଣ୍ଡ (ବିଏସ୍ଏବିଟି)ରେ କୋଟି କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେଲା। ହେଲେ କେତେକ ମୌଳିକ ସମସ୍ୟା ସମାଧାନ ହେଲା ନାହିଁ। ଯାହା ଫଳରେ ଅଶାନ୍ତି ଲାଗି ରହିଛି। ଏହାକୁ ପରିଚାଳନା କରୁଥିବା ବିଡିଏ ମୌଳିକ ସମସ୍ୟା ସୁଧାରିବା ପରିବର୍ତ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଅସନ୍ତୋଷ ସୀମା ଲଂଘିଛି। ରାସ୍ତାକଡ଼ରେ ଗାଡ଼ି ଧୁଆ ହେଉଥିବାରୁ ଟ୍ରାଫିକ୍ ଜାମ୍ ସହିତ ପ୍ରତ୍ୟେକ ଦିନ ଗଣ୍ଡଗୋଳ ହେଉଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ବିଡିଏ ରାସ୍ତାକଡ଼ରୁ ଗାଡ଼ିଧୁଆ ବନ୍ଦ କରିଥିଲା। ଏକ ସ୍ବତନ୍ତ୍ର ଟିମ୍ ବଡ଼ିଭୋର୍ରୁ ବରମୁଣ୍ଡାରେ ଜଗିରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। କିନ୍ତୁ ଗାଡ଼ି ଧୋଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ପୁଣି ଥରେ ରାସ୍ତା ଉପରେ ଗାଡ଼ିଧୁଆ ଆରମ୍ଭ ହୋଇଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡ ଭିତରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେଲା। କିନ୍ତୁ ବସ୍ ଧୋଇବା ପାଇଁ ମାତ୍ର ୧୦ଟି ବେ' ତିଆରି ହୋଇଛି। ଏକ ସମୟରେ ୧୦ଟି ବସ୍ ଧୁଆ ଯାଇ ପାରିବ। କିନ୍ତୁ ସେଥିରୁ ୫ଟି କାର୍ଯ୍ୟକ୍ଷମ ହୋଇଛି। ଅର୍ଥାତ୍ ଏକ ସମୟରେ ଏବେ ମାତ୍ର ୫ଟି ବସ୍ ଧୁଆଯାଇ ପାରୁଛି। ଫଳରେ ଅନ୍ୟ ବସ୍ଗୁଡ଼ିକ ଧୋଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ପ୍ରତି ଗାଡ଼ିକୁ ୩୦ରୁ ୪୦ ମିନିଟ୍ ସମୟ ଲାଗୁଥିବା ବେଳେ ଦିନକୁ ୧୦ ଘଣ୍ଟା ଗାଡ଼ି ଧୋଇଲେ ମଧ୍ୟ ୧୫ରୁ ଅଧିକ ଗାଡ଼ି ଧୁଆଯାଇ ପାରିବ ନାହିଁ। ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ବସ୍ଗୁଡ଼ିକ ଧୋଇବା ପାଇଁ ସମୟ ପାଇନଥା'ନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ହିଁ ଧୋଇଥାନ୍ତି। ବିଏସ୍ଏବିଟି ନିର୍ମାଣ ହେବା ପରେ ଏଠାରେ ପର୍ଯ୍ୟାପ୍ତ ବ୍ୟବସ୍ଥା ହେବା ନେଇ ସମ୍ଭାବନା ରହିଥିଲା। କିନ୍ତୁ ବରମୁଣ୍ଡାକୁ ଆସୁଥିବା ୧୫୦୦ ବସ୍ ପାଇଁ ଏଠାରେ ମାତ୍ର ୧୦ଟି ହେଲା, ସେଥିରୁ ପୁଣି ଅଧା ଚାଲିଲାନି। ଏଣୁ ପୂର୍ବରୁ ରାସ୍ତାକଡ଼ରେ ଚାଲିଥିବା ଏହି ବେପାର ପୁଣି ଚାଲିଲା। ଏହାକୁ ବିଡିଏ ବନ୍ଦ କରିବାକୁ ଉଦ୍ୟମ କରି ମଧ୍ୟ ସକ୍ଷମ ହେଲାନାହିଁ। ବସ୍ ମାଲିକଙ୍କ ଅଭିଯୋଗ ହେଉଛି, ଏତେ ଟଙ୍କା ଖର୍ଚ୍ଚ କଲେ, ହେଲେ ସବୁ ସୁବିଧା ଦେଇ ପାରିଲେ ନାହିଁ। ଏବେ ବି ଶତପ୍ରତିଶତ ବସ୍ ଏହି ଷ୍ଟାଣ୍ଡ ଭିତରକୁ ଯାଉ ନାହାନ୍ତି। ଆରଏଫ୍ଆଇଡି (ରେଡିଓ ଫ୍ରିକ୍ୟୁଏନ୍ସି ଆଇଡେଣ୍ଟିଫିକେସନ) ମଧ୍ୟ ସବୁ ବସ୍ରେ ଲାଗିପାରିଲାନି। ଏବେ ରାସ୍ତାକଡ଼ରେ ବସ୍ ଧୋଇବା ବନ୍ଦ କରୁଛନ୍ତି। ଆଗ ପର୍ଯ୍ୟାପ୍ତ ବ୍ୟବସ୍ଥା କରନ୍ତୁ, ତା’ ପରେ କାର୍ଯ୍ୟାନୁଷ୍ଠାନ ନେବେ।
ବିଡିଏର କହିବା କଥା ହେଉଛି, ରାସ୍ତାକଡ଼ରେ ଏଭଳି ଚାଲିବା ଦ୍ବାରା ଟ୍ରାଫିକ୍ ସମସ୍ୟା ଉପୁଜୁଛି। ଏହା ସମ୍ପୂର୍ଣ୍ଣ ବେଆଇନ। ଏହି ଜାଗା ଛଡ଼ା ଅନ୍ୟତ୍ର ଅନେକ ଜାଗା ରହିଛି ଯେଉଁଠି ବସ୍ ଧୁଆ ଯାଇ ପାରିବ। ବିଏସ୍ଏବିଟି ଭିତରେ ଖୁବ୍ଶୀଘ୍ର ସମସ୍ତ ବସ୍ ବେ’ କାର୍ଯ୍ୟକ୍ଷମ କରାଯିବ। କିନ୍ତୁ ଏହି ରାସ୍ତାକଡ଼ରେ ଧୋଇବାକୁ ଦିଆଯିବ ନାହିଁ। ପୁଣି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ।
ସୂଚନାଯୋଗ୍ୟ, ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍ ରୋଡ (ବରମୁଣ୍ଡା ପଟୁ ଖଣ୍ଡଗିରି ଯିବାକୁ ରାସ୍ତା) ମଝିରେ ବସ୍ ଧୁଆ ହେଉଛି। ଦୁଇଟି ବସ୍ ରହିଗଲେ ଅନ୍ୟ ଗାଡ଼ି ଯିବାଆସିବା ପାଇଁ ଆଉ ରାସ୍ତା ମିଳେନି। ପାଣି ମଧ୍ୟ ଛିଟିକି ପଡ଼େ। ବିଶେଷକରି ସକାଳେ ଓ ସନ୍ଧ୍ୟାରେ ଏହି ସର୍ଭିସ୍ ରୋଡ୍ ଏହି କାରଣରୁ ଜବରଦଖଲରେ ଥାଏ। ରଙ୍ଗ୍ରୁଟ୍ରେ ମଧ୍ୟ ଅନେକ ସମୟରେ ଗାଡ଼ି ଆସୁଥିବାରୁ ଅସମ୍ଭାଳ ଭିଡ଼ ହେଉଛି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfsfhshhffh.jpg)