ଅଧା‌ଗଢ଼ା ତୋରଣରେ ଅଟକିଗଲା ବସ୍‌ଷ୍ଟାଣ୍ଡ, ପାଣିରେ ପଡ଼ିଲା ୫ ଲକ୍ଷ

ବାଲିପାଟଣା: ଏକ ଚକାଚକ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ ବୋଲି ନୀଳ ନକ୍‌ସା ପ୍ରସ୍ତୁତ ହେଲା। ବିଧାୟକ ପାଣ୍ଠି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଣ୍ଠିରୁ ପ୍ରାୟ ୧୫ ଲକ୍ଷ ଟଙ୍କା ବିନିଯୋଗ ହେଲା। ପ୍ରଥମ ପର୍ଯ୍ୟାୟର ଏହି ବିନିଯୋଗ ପରେ ଆହୁରି ଅନୁଦାନ ମିଳିବ ବୋଲି ଯୋଜନା ମଧ୍ୟ ହେଲା। ସ୍ଥାନୀୟ ଲୋକେ ସୁନ୍ଦର ବସ୍‌ଷ୍ଟାଣ୍ଡର ଗୋଲାପି ଚିତ୍ର ଦେଖିଲେ। ପ୍ରଥମ ପର୍ଯ୍ୟାୟରେ ତୋରଣ ତିଆରି ହେଲା। ଖାଲଖମା ଥିବା ପଡ଼ିଆକୁ ମାଟି ପକାଇ ସମତୁଲ କରାଗଲା। କାମ ଆଗକୁ ବଢ଼ିବା ଦେଖି ଅଞ୍ଚଳବାସୀ ବି ଖୁସି ହେଲେ। ମାତ୍ର ହଠାତ୍ କାମ ବନ୍ଦ ହୋଇଗଲା। କିଛି ଅନୁଦାନ ବି ଫେରିଗଲା। ଦୁଇଟି କଂକ୍ରିଟ୍‌ ତୋରଣ ଓ ମାଟି ପୋତିବାରେ କାମ ଅଟକିଗଲା। ଏମିତିରେ ବିତିଗଲାଣି ସାତ ବର୍ଷ। ବସ୍‌ଷ୍ଟାଣ୍ଡର ଗୋଲାପି ଚିତ୍ର ମଳିନ ପଡ଼ିଗଲାଣି। ପୁଣି କାମ ଆରମ୍ଭ ହେବ କି ନା, ତାହାର ଉତ୍ତର କାହା ପାଖରେ ନାହିଁ। ଏହା ହେଉଛି ବନମାଳିପୁର ଭାପୁର ତ୍ରିବେଣିଶ୍ବର ପଡ଼ିଆରେ ନିର୍ମାଣ ହେବାକୁ ଥିବା ବସ୍‌ଷ୍ଟାଣ୍ଡର କଥା।

ସୂଚନାନୁସାରେ ପ୍ରାୟ ୭ ବର୍ଷ ତଳେ ଭାକରସାହି ପଞ୍ଚାୟତ ଭାପୁରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ସ୍ଥାନୀୟ ବନମାଳିପୁର ଏକ ବାଣିଜ୍ୟିକ ଅଞ୍ଚଳ ହୋଇଥିବାରୁ ଓ ଏଠାରେ ବହୁ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ଥିବାରୁ ଏକ ବସ୍‌ଷ୍ଟାଣ୍ଡର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଯୋଜନା କରାଯାଇଥିଲା। ବନମାଳିପୁରରୁ ଭୁବନେଶ୍ୱରକୁ ପ୍ରତିଦିନ ବହୁ ସଂଖ୍ୟାରେ ବସ ଯାତାୟତ କରେ। ବଜାରରେ ଯାତ୍ରୀ ଓହ୍ଲାଇବା ଏବଂ ଚଢ଼ିବାବେଳେ ଟ୍ରାଫିକ୍‌ ସମସ୍ୟ ଉପୁଜିଥାଏ। ବନମାଳିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟ୍ୟୟନ ଛାତ୍ରଛାତ୍ରୀ ବସ୍‌ରେ ଯାତାୟାତ କଲାବେଳେ ସମସ୍ୟା‌‌ରେ ପଡ଼ନ୍ତି। ସେମାନଙ୍କୁ ବଜାରରୁ ବିଦ୍ୟାଳୟ ପର୍ଯ୍ୟନ୍ତ ବହୁ ଦୂର ଚାଲିବାକୁ ପଡ଼େ। ସେହିଭଳି ପବିତ୍ର ଅନ୍ତର୍ବେଦୀ ପୀଠ ଏବଂ ପ୍ରାଚୀ ଘାଟକୁ ବର୍ଷ ସାରା ଶ୍ରଦ୍ଧାଳୁ ଆସନ୍ତି। ସେମାନେ ବଜାରରୁ ପୀଠକୁ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହାବାଦ୍‌ ବନମାଳିପୁର ବଜାରରେ ବସ୍‌ ରହିବା ପାଇଁ ମଧ୍ୟ ଉପଯୁକ୍ତ ସ୍ଥାନ ନଥିବାରୁ ତ୍ରିବେଣିଶ୍ବର ପଡ଼ିଆକୁ ବସ୍‌ଷ୍ଟାଣ୍ଡରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତତ୍କାଳୀନ ଜୟଦେବ ବିଧାୟକ ଶଶୀଭୂଷଣ ବେହେରା ୧୦ ରୁ ଅଧିକ ନୂତନ ବସ (ବିଟିଏସ) ଚଳାଚଳର ଶୁଭ ଉଦ୍‌ଘାଟନ କରିଥିଲେ। ବସ୍‌ଗୁଡିକ ଏହି ରୁଟ୍‌ରେ କିଛି ଦିନ ଚାଲିଲା। ମାତ୍ର କ୍ଷତି ହେବା ଦର୍ଶାଇ ପରବର୍ତ୍ତୀ ସମୟରେ ବସ ଚଳାଚଳ ବନ୍ଦ ହୋଇଗଲା ଓ ବସ୍‌ଷ୍ଟାଣ୍ଡ ନିର୍ମାଣ ମଧ୍ୟ ଅଟକିଗଲା। ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଥମେ ପଡ଼ିଆରେ ଥିବା ଖାଲଖମା ପୋତା ଯାଇଥିଲା। ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାରରେ ୨ଟି ସୁଉଚ୍ଚ କଂକ୍ରିଟ ଗେଟ୍‌ ନିର୍ମାଣ ହୋଇଥିଲା। ସେଥିପାଇଁ ଗ୍ରାମ୍ୟ ଉନୟନ୍ନ ବିଭାଗରୁ ୧୦ ଲକ୍ଷ ଏବଂ ବିଧାୟକଙ୍କ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। ପରେ ପୁଣି ବିଧାୟକଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। କିନ୍ତୁ ନିର୍ମାଣ କାମ ବନ୍ଦ ହୋଇଯିବାରୁ ସେହି ଅନୁଦାନ ଫେରିଗଲା। ଏହା ଭିତରେ ନୂଆ ବସ୍‌ଷ୍ଟାଣ୍ଡ ସ୍ବପ୍ନ ହୋଇ ରହିଯାଇଛି। ଏଠାରେ ବ୍ୟୟ ହୋଇଥିବା ସରକାରୀ ପାଣ୍ଠି ପାଣିରେ ପଡିଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର