କଂସେଇଖାନା ଏବେ ଗୋରୁ ଗୁହାଳ
ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର୍, ଅତିଷ୍ଠ କରୁଛି ରକ୍ତ, ମାଂସବର୍ଜ୍ୟ ଦୁର୍ଗନ୍ଧ
ଭୁବନେଶ୍ବର: ରାଜଧାନୀରେ ଆମିଷ ବିକ୍ରିକୁ ବ୍ୟବସ୍ଥିତ କରିବା ପାଇଁ ବିଏମ୍ସି ଗୋଟିଏ ପରେ ଗୋଟିଏ ଯୋଜନା ନାଁରେ ଅଜସ୍ର ଟଙ୍କା ଖର୍ଚ୍ଚ କରି ଚାଲିଛି। ଗାଡ଼କଣରେ ଅତ୍ୟାଧୁନିକ କଂସେଇଖାନା ନିର୍ମାଣ କରିବାଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ମାଂସକଟା ଦୋକାନ ଖୋଲାଇଛି। ଏବେ ପଳାସୁଣିରେ ପ୍ରସ୍ତାବିତ ମଡେଲ୍ ହାଟରେ ବ୍ୟବସ୍ଥିତ ଆମିଷ ମାର୍କେଟ୍ ଓ ପ୍ରତି ୱାର୍ଡରେ ଆମିଷ ଭେଣ୍ଡିଂ ଜୋନ୍ ଖୋଲାଇବା ପାଇଁ ବି ଜୋରସୋର୍ରେ ଯୋଜନା ଚଳାଇଛି। କିନ୍ତୁ ବିଏମ୍ସିର ଏତେ ସବୁ ପ୍ରସ୍ତୁତି, ସାଜସଂରଜାମ ଗୋଟେ ଆଡ଼େ ଓ ମାଂସ ଦୋକାନୀ ତାଙ୍କ ମନମର୍ଜିରେ ବେପାର ଚଳାଇଛନ୍ତି। ରାସ୍ତାକଡ଼ରେ ମାଂସ କାଟିବା ସହ ସେଥିରୁ ବାହାରୁଥିବା ଜୈବ ଆବର୍ଜନାକୁ ଏଣେତେଣେ ଫିଙ୍ଗି ପରିବେଶ ଦୂଷିତ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏ ସବୁକୁ ଦେଖି ବି ବିଏମ୍ସି ଅଧିକାରୀମାନେ ନ ଦେଖିଲା ପରି ଚୁପ୍ ବସୁଛନ୍ତି। ରାସ୍ତାକଡ଼ରେ ଖୋଲାମେଲା ଭାବେ ମାଂସ ନ କାଟିବା ପାଇଁ ସୁପ୍ରିମ୍କୋର୍ଟ ୨୦୧୪ ଜାନୁଆରିରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ଭୁବନେଶ୍ବରରେ ତାହାର ଚରମ ଉଲ୍ଲଙ୍ଘନ ହେଉଥିବା ଦେଖାଯାଉଛି। ଉଦାହରଣ ସ୍ବରୂପ ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ଝାରପଡ଼ା କେନାଲ ରୋଡ୍କୁ ନିଆଯାଇପାରେ।
ଏଠାରେ ୭ରୁ ୮ଜଣ ମାଂସ ବେପାରୀ ଛେଳି ଓ କୁକୁଡ଼ା ମାଂସ ବିକ୍ରି କରୁଛନ୍ତି। ରାସ୍ତା କଡ଼ରେ ଖୋଲାମେଲା ଭାବେ ମାଂସ କାଟିବା ସହ ରକ୍ତ, ମାଂସ, ପର ଆଦି ବର୍ଜ୍ୟକୁ ସେଇଠି ପକାଇ ଦେଉଛନ୍ତି। ସେଥିରୁ ଏମିତି ଉତ୍କଟ ଗନ୍ଧ ବାହାରୁଛି ଯେ ସେ ଅଞ୍ଚଳ ଦେଇ ଯିବା ମୁସ୍କିଲ ହୋଇପଡ଼ୁଛି। ଗନ୍ଧରେ ନାକ ଫାଟି ପଡ଼ୁଛି। ସେହିପରି ଖୋଲାମେଲା ଭାବେ ମାଂସ କଟା ଯାଉଥିବାରୁ ଛୋଟ ଛୋଟ ପିଲାଙ୍କୁ ଏହା ପ୍ରଭାବିତ କରୁଛି। ବିଏମ୍ସି ପକ୍ଷରୁ ଯେ ଏଠାରେ ମାଂସକଟା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ, ତାହା ନୁହେଁ।
ବେପାରୀମାନେ ଯେଉଁ ସ୍ଥାନରେ ଛେଳି, କୁକୁଡ଼ା କାଟୁଛନ୍ତି, ତା’ର ଠିକ୍ ପଛ ପାର୍ଶ୍ବରେ ୨୦ ବର୍ଷ ତଳେ ବିଏମ୍ସି ପକ୍ଷରୁ ଏକ କଂସେଇଖାନା ନିର୍ମାଣ ହୋଇଥିଲା। ପୂର୍ବରୁ ଭୁବନେଶ୍ବର ଉପକଣ୍ଠ ସମେତ ଯଦୁପୁର, ବାଲିଅନ୍ତା, ବାଲିପାଟଣା ଆଦି ଅଞ୍ଚଳରୁ ମାଂସ ବ୍ୟବସାୟୀମାନେ ଏଠି ମାଂସ କାଟୁଥିଲେ। ପ୍ରଶାସନ ପକ୍ଷରୁ ଜଣେ ଅଧିକାରୀ ମାଂସର ମାନକୁ ଯାଞ୍ଚ କରି ତାହା ବିକ୍ରିଯୋଗ୍ୟ ବୋଲି ସେଥିରେ ଷ୍ଟାମ୍ପ୍ ମାରୁଥିଲେ। ତା’ ପରେ ବ୍ୟବସାୟୀ ସେହି ମାଂସକୁ ବିକ୍ରି ପାଇଁ ନେଉଥିଲେ। ହେଲେ କାଳକ୍ରମେ ସେ ବ୍ୟବସ୍ଥା ବନ୍ଦ ହୋଇଗଲା। ଏଠାକୁ ଆଉ କେହି ଅଧିକାରୀ ଆସିଲେନି। ତେଣୁ ବିଏମ୍ସିର ଏହି କଂସେଇଖାନାକୁ ଏବେ ଗୋରୁ ଗାଈ କବ୍ଜା କରି ନେଇଛନ୍ତି। ଏନେଇ ଜଣେ ମାଂସ ବ୍ୟବସାୟୀ କହିଛନ୍ତି, ସେଠାରେ ମାଂସ କାଟିବା ପାଇଁ ଆମକୁ ବିଏମ୍ସି ପକ୍ଷରୁ କୌଣସି ନିର୍ଦ୍ଦେଶ ନାହିଁ। ଆମକୁ ଯଦି ବିଏମ୍ସି ନିର୍ଦ୍ଦେଶ ଦେବ ତେବେ ସେଠି ଯାଇ ମାଂସ କାଟିବାରେ ଆମର କୌଣସି ଆପତ୍ତି ନାହିଁ।
ଖାଲି ଝାରପଡ଼ା ଛକ ନୁହେଁ, ଏହି କେନାଲ ରୋଡ୍ର ପଳାସୁଣି, ବମିଖାଲ, ଲକ୍ଷ୍ମୀସାଗର, ବଡ଼ଗଡ଼ ଏବଂ ଆରପଟେ ଚକେଇସିହାଣି, ଭିଏସ୍ଏସ୍ନଗର ପାଣିଟାଙ୍କି ଆଦି ଛକଗୁଡ଼ିକରେ ଏମିତି ଅବ୍ୟବସ୍ଥିତ ଢଙ୍ଗରେ ମାଂସ ବେପାର ଚାଲିଛି। ଏ ସଂପର୍କରେ ଅନ୍ୟ ଜଣେ ମାଂସ ବେପାରୀ କହିଛନ୍ତି ଯେ ବିଏମ୍ସିର କଂସେଇଖାନାରେ ମାଂସ ବେପାର ପାଇଁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ସହରରେ ଏମିତି କେତେ କଂସେଇଖାନା ବିଏମ୍ସି କରିଛି ଯେ ଆମେ ସେଠାରେ ବେପାର କରିବୁ। ୨୦ ବର୍ଷ ତଳେ ସହରରେ ଯେତିକି ମାଂସର ଆବଶ୍ୟକତା, ଏବେ କ’ଣ ସେତିକି ଅଛି। ତେଣୁ ପ୍ରତି ୱାର୍ଡରେ ବିଏମ୍ସି କଂସେଇଖାନା ଖୋଲି ରାସ୍ତାକଡ଼ ବେପାରୀଙ୍କୁ ଥଇଥାନ କଲେ ଏ ସମସ୍ୟା ଆପେ ହଟିଯିବ।
ଏ ସଂପର୍କରେ ସାନିଟାରି ଇନ୍ସପେକ୍ଟର୍ ଅନୀଲ କୁମାର ଦେହାରଦଳେଇଙ୍କୁ ପଚାରିବାରୁ ସେ କହିଛନ୍ତି, ସେଠାରେ ମାଂସ କାଟିବା ପାଇଁ ତାଙ୍କୁ ବାରମ୍ବାର ତାଗିଦ୍ କରାଯାଉଥିଲେ ହେଁ ସେମାନେ ମାନୁନାହାନ୍ତି। ତାଙ୍କୁ ମୋଟା ଅଙ୍କର ଜରିମାନା କରାଯିବ।