କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲେ ଗୋଧି ଛୁଆ

ଭୁବନେଶ୍ବର: କୃତ୍ରିମ ଉପାୟରେ ୧୬ଟି ଅଣ୍ଡାରୁ ଗୋଧିଛୁଆ ବାହାରିଛନ୍ତି। ସ୍ନେକ ହେଲ୍ପ ଲାଇନ ପକ୍ଷରୁ ୭ ମାସ ଧରି ଯତ୍ନ ପରେ ଛୁଆମାନେ ଜନ୍ମ ହୋଇଛନ୍ତି। ସ୍ନେକ ହେଲ୍ପ ଲାଇନର ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନା ଅନୁସାରେ, ଗତବର୍ଷ ସେପ୍ଟେମ୍ବର ମାସରେ ଖୋର୍ଧା ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ଷଠିଲୋ ଗାଁରେ ବଳଭଦ୍ର ପତିଙ୍କ ଫାର୍ମ ହାଉସରୁ ୧୬ଟି ଅଣ୍ଡା ଉଦ୍ଧାର କରାଯାଇଥିଲା। ପ୍ରଥମେ ‌ଅଣ୍ଡାଗୁଡ଼ିକ କାହାର ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନଥିଲା। ତେଣୁ କୃତ୍ରିମ ଉପାୟରେ ଏହାକୁ ଫୁଟାଇବା ବ୍ୟବସ୍ଥା କରାଯାଇଥିଲା। ୭ ମାସ ପରେ ୧୬ଟି ବେଙ୍ଗଲ ମନିଟର ଗୋଧି ଛୁଆ ଫୁଟି ବାହାରିଥିଲେ। ସମସ୍ତ ଛୁଆଙ୍କୁ ସିଟି ଫରେଷ୍ଟ ଡିଭିଜନର ମଞ୍ଚେଶ୍ବର ରେଞ୍ଜର ଫରେଷ୍ଟ ଗାର୍ଡ ଭକ୍ତ କିସ୍କୁଙ୍କ ଉପସ୍ଥିତିରେ ଭୁବନେଶ୍ବର ଉପକଣ୍ଠରେ ଏକ ପ୍ରାକୃତିକ ସ୍ଥାନରେ ଛଡ଼ାଯାଇଛି।

ଶିକାର ଯୋଗୁଁ ବେଙ୍ଗଲ ମନିଟରଙ୍କ ସଂଖ୍ୟା ହ୍ରାସ ପାଇଛି। କିଛି ବ୍ୟକ୍ତି ମାଂସ ପାଇଁ ଗୋଧି ହତ୍ୟା କରନ୍ତି। ବେଙ୍ଗଲ ମନିଟର ଗୋଧି ଛାଲକୁ ଓଡ଼ିଶାରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ଖଞ୍ଜଣୀ ତିଆରେ ବ୍ୟବହାର କରାଯାଏ। ବେଙ୍ଗଲ ମନିଟର ଗୋଧି ପ୍ରଜାତି ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ ବେଆଇନ। ଏହାର ଶିକାର ପାଇଁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର