ପ୍ରଚାର ମଇଦାନ ଏବେ ସରଗରମ

୩ ମେୟର ପ୍ରାର୍ଥୀ ପ୍ରଚାରରେ ସାମିଲ ହେଲେ, ଗଳିକନ୍ଦିରେ ଆରମ୍ଭ ହୋଇଛି ସଭା, ପଦଯାତ୍ରା

ଭୁବନେଶ୍ବର: ପ୍ରାର୍ଥିପତ୍ର ଦାଖଲ ସରିବା କ୍ଷଣି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କର୍ପୋରେଟର୍‌ ଓ ମେୟର ପ୍ରାର୍ଥୀମାନେ। ଟିକେଟ୍‌ ଛକାପଞ୍ଝାରେ ଏତେ ଦିନ ଗଡ଼ିଗଲା ଯେ ସେମାନଙ୍କୁ ପ୍ରଚାର ପାଇଁ ବି ସମୟ ମିଳିଲାନି। ଏଣେ ହାତରେ ମାତ୍ର ୧୫ ଦିନ ସମୟ। ତେଣୁ ପ୍ରତିଟି ଦିନ ଏବେ ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ମଙ୍ଗଳବାର ସକାଳୁ ସକାଳୁ ହିଁ ସବୁ ୱାର୍ଡର ପରିବେଶ ଚଳଚଞ୍ଚଳ ହୋଇଯାଇଥିଲେ। ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କ ସହ ପ୍ରଚାରକୁ ଓହ୍ଲାଇଥିଲେ। ଛୋଟ ଛୋଟ ସଭା ଓ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ବସ୍ତିଗୁଡ଼ିକରେ ପ୍ରାର୍ଥୀମାନେ ଅଧିକ ସମୟ ଦେଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ଫୁର୍‌ସତ ନ ଥିଲା। ଆଜି ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ମହିଳା ଦିବସ ପାଳନ କରି ମହିଳା ଭୋଟର୍‌ଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଥିଲା।

ତିନି ଦଳର ମେୟର ପ୍ରାର୍ଥୀ ଆଜି ପ୍ରଚାରକୁ ଓହ୍ଲାଇଛନ୍ତି। ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ପୂର୍ବାହ୍ନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଥିଲେ। ଶ୍ରୀମତୀ ଦାସଙ୍କ ସହ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସାମିଲ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ଏକାମ୍ର ନିର୍ବାଚନ ଅଧୀନ ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ମଧ୍ୟ ସାମିଲ ହୋଇଥିଲେ। ପୂଜାର୍ଚ୍ଚନା ପରେ ମେୟର ପ୍ରାର୍ଥୀ ଓ କର୍ପୋରେଟର ପ୍ରାର୍ଥୀମାନେ ଏକ ବିଶାଳ ମୋଟରସାଇକେଲ୍‌ ପଟୁଆଳରେ ଏକାମ୍ର କ୍ଷେତ୍ରର ବିଭିନ୍ନ ଅଞ୍ଚଳ ବୁଲିଥିଲେ।

କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପ୍ରଚାର ଆରମ୍ଭ କରିଥିଲେ। ତାଙ୍କ ସହ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଦଳର ବରିଷ୍ଠ ନେତାମାନେ ସାମିଲ ହୋଇ ପ୍ରଚାରର ମଙ୍ଗ ଧରିଥିଲେ। ୟୁନିଟ୍‌-୨ ଅଞ୍ଚଳରେ ଥିବା ବିଭିନ୍ନ ବସ୍ତି ବୁଲି ଲୋକଙ୍କୁ ଭେଟିଥିଲେ। ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ସେଗୁଡ଼ିକର ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ ମଧ୍ୟ ପଛରେ ପଡ଼ି ନ ଥିଲେ। ସେ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂଙ୍କ ସମେତ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ପ୍ରଥମ ଦିନରେ ସେଭଳି ପ୍ରଚାର କରିପାରି ନାହାନ୍ତି। ସନ୍ଧ୍ୟା ହେବାରୁ ମନ୍ଦିର ନିକଟବର୍ତୀ ଅଞ୍ଚଳ ବୁଲି ଲୋକଙ୍କୁ ଭେଟିଛନ୍ତି। ବୁଧବାରଠାରୁ ଜୋରଦାର ପ୍ରଚାର କରାଯିବ ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର