ଶୁଖିଲା ପଡ଼ିଛି କେନାଲ, ପରିବା ଚାଷକୁ ଟାଙ୍କିପାଣି ଭରସା

ଚନ୍ଦ୍ରଶେଖରପୁର: କେନାଲରେ ପାଣି ନାହିଁ। ତେଣୁ ପରିବା କିଆରୀ ଶୁଖି ଗଲାଣି। ଫଳନ୍ତି ଗଛ ସବୁ ପାଣି ନ ପାଇ ମରିବାକୁ ବସିଲାଣି। ତେଣୁ ଭଡ଼ାରେ ମିଳୁଥିବା ପାଣିଟାଙ୍କି ଭରସା। କିନ୍ତୁ ଏକର ଏକର ପରିବା ଚାଷ ଜମିକୁ ଭଡ଼ା ଟାଙ୍କିରେ ପାଣି ଯୋଗାଇବା ସମ୍ଭବ ହେଉନାହିଁ। ତେଣୁ ଚିନ୍ତାରେ ପଡ଼ିଛି ଚାଷୀ। କେନାଲ ପାଣି ନ ମିଳିଲେ ପରିବା ଚ‌ାଷ ଉଜୁଡ଼ିବା ନିଶ୍ଚିତ। ଚାଷୀର ଝାଳବୁହା ପରିଶ୍ରମ ସହ ଜମିରେ ବିନିଯୋଗ ହୋଇଥିବା ହଜାର ହଜାର ଟଙ୍କା ନଷ୍ଟ ହେବା ସାର। ଏ ହେଉଛି ରାଜଧାନୀ ଉପକଣ୍ଠ କଲ୍ୟାଣପୁର, କଳାରାହାଙ୍ଗ, ଟାଙ୍ଗିବନ୍ତ, ଓସ୍ତପଡ଼ା ଓ କଳାଝରୀ ଅଞ୍ଚଳର ଚାଷୀମାନଙ୍କ ବର୍ତ୍ତମାନର ‌ଅବସ୍ଥା।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ ଦୟାୱେଷ୍ଟ କେନାଲ ଏବେ ଶୁଖିଲା ପଡ଼ିଛି। ସେହିଭଳି ରୋକଟ ଇଞ୍ଜଣା ମାଇନର୍ କେନାଲ୍ ଓ ଇଞ୍ଜଣା କାଳାରାହାଙ୍ଗ ମାଇନର୍ କେନାଲ୍ ମଧ୍ୟ ଶୁଖିଲା‌ ପଡ଼ିଛି। ତେଣୁ ଚାଷୀମାନଙ୍କ ପରିବା କିଆରୀକୁ ଜଳ ଯୋଗାଣ ହୋଇପାରୁନାହିଁ। ଗଛ ସବୁ ଫଳନ୍ତି ଅବସ୍ଥାରେ। ଏ ସମୟରେ ଜମିକୁ ପ୍ରଚୁର ଜଳ ଆବଶ୍ୟକ। କିନ୍ତୁ ଜଳାଭାବରୁ ଗଛରେ ଫୁଲ ରହୁନାହିଁ। ଫଳରେ ଫଳ ଫଳିବା ପ୍ରଭାବିତ ହୋଇଛି। ଏଥିପାଇଁ ଅନ୍ୟ ବିକଳ୍ପ ରାସ୍ତା ନ ଥିବାରୁ କିଛି ଚାଷୀ ଏବେ ପାଣି ଟାଙ୍କି ଭଡ଼ା କରି ଜମିରେ ମଡ଼ାଉଛନ୍ତି। ଦେବରାଜ ଭୋଇଙ୍କ କହିବା କଥା ଆଖି ଆଗରେ ଫଳନ୍ତି ଗଛ ମରିବାକୁ ବସିଥିବାରୁ ମନ ସମ୍ଭାଳୁନାହିଁ। ତେଣୁ ଟଙ୍କା ଖର୍ଚ୍ଚ କରି ଟାଙ୍କି ପାଣି ଭଡ଼ା କରି ଜମିରେ ମଡ଼ାଉଛୁ। କିନ୍ତୁ ଭଡ଼ା ବାବଦରେ ପଇସା ଖର୍ଚ୍ଚ କରି ସବୁ କିଆରୀକୁ ବଞ୍ଚେଇବା ସମ୍ଭବ ନୁହେଁ। ସେହିଭଳି ବଗୁଲି ପ୍ରଧାନଙ୍କ କହିବା ଅନୁଯାୟୀ ବର୍ଷକୁ ଦୁଇ ତିନି ଥର ପରିବା ଚାଷ କରାଯାଉଥିଲା। ଏବେ କିନ୍ତୁ କେନାଲ ଜଳ ସମସ୍ୟା ପାଇଁ ଥରେ ବି ପରିବା ଚାଷ କରିବାକୁ ଚାଷୀମାନେ ମନ ବଳାଉନାହାନ୍ତି। ଜମି ପଡ଼ିଛି ବୋଲି ସିନା ମନ ହେଉଛି, କିନ୍ତୁ ଏଥିପାଇଁ ବହୁଥର ଚିନ୍ତା ପଡ଼ିବାକୁ ପଡ଼ୁଛି ବୋଲି ବଗୁଲି କହିଛନ୍ତି। ତେଣୁ ଏବେ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ପାଞ୍ଚ ପଞ୍ଚାୟତରେ ପ୍ରାୟ ଦଶ ହଜାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷ ଉପରେ ନିର୍ଭର କରୁଥିବା ଏହି ଚାଷୀମାନେ କେନାଲ ଜଳଯୋଗାଣ ବନ୍ଦ ପାଇଁ ନିରୁପାୟ ହୋଇ ପଡ଼ିଛନ୍ତି। ଚାଷୀ ଅମୂଲ୍ୟ ପ୍ରଧାନଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ହଜାର ହଜାର ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଦୟାୱେଷ୍ଟ କେନାଲ ଖନନ କରିଥିଲେ। କିନ୍ତୁ ଏବେ ତାହା ଅବ୍ୟବହୃତ ହୋଇପଡ଼ିଛି। ମରାମତି ନାଁରେ ପ୍ରତିବର୍ଷ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ଏହା କାହା ସ୍ବାର୍ଥରେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ମରାମତି ନାଁରେ ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ହାତ ଚିକ୍କଣ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାକୁ ନେଇ ପାଞ୍ଚ ପଞ୍ଚାୟତର କୃଷକମାନେ ବାରମ୍ବାର ଜଳସେଚନ ବିଭାଗ ଓ ସ୍ଥାନୀୟ ବିଧାୟକ ଓ ସରପଞ୍ଚମାନଙ୍କୁ ଅବଗତ କରାଇଛନ୍ତି। କିନ୍ତୁ କୌଣସି ପ୍ରକାର ସୁଫଳ ‌ମିଳିନାହିଁ। ଉଲ୍ଲେଖଯୋଗ୍ୟ ଯେ ଏହି ଅଞ୍ଚଳର କୃଷକମାନେ ପୂର୍ବରୁ ବର୍ଷକୁ ୧୦ ପ୍ରକାରରୁ ଅଧିକ ପନିପରିବା ଚାଷ କରୁଥିଲେ। ମାତ୍ର ଗତ କିଛି ବର୍ଷ ହେଲା ଏହି କେନାଲର ଅନିୟମିତ ଜଳ ଯୋଗାଣ ପାଇଁ ମାତ୍ର ଦୁଇ ତିନି ପ୍ରକାର ପରିବା ଚାଷ କରାଯାଉଛି।

ସମ୍ବନ୍ଧିତ ଖବର