ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ: ବିନା ଟିକେଟ୍‌ରେ ଚାଲିଛି ପ୍ରାର୍ଥିପତ୍ର ଦାଖଲ

ବିଜେପିରୁ ୧୫, ବିଜେଡିରୁ ଜଣେ, ତୃତୀୟ ଦିନରେ ଦାଖଲ ହେଲା ୧୬ ପ୍ରାର୍ଥିପତ୍ର

ଭୁବନେଶ୍ୱର: ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଏଯାଏ ପ୍ରାର୍ଥୀଙ୍କ ନାମ ସାର୍ବଜନୀନ କରୁନାହାନ୍ତି। ଉଭୟ ଦଳର ନେତାମାନେ ପ୍ରାର୍ଥିପତ୍ର ଚୂଡ଼ାନ୍ତ ହୋଇଥିବା କହୁଥିଲେ ମଧ୍ୟ ବିଧିବଦ୍ଧ ଭାବେ ତାଲିକା ଘୋଷଣା କରୁ ନାହାନ୍ତି। କିନ୍ତୁ ପ୍ରାର୍ଥୀମାନଙ୍କର ଧୈର୍ଯ୍ୟଚୁତି ଘଟିଲାଣି। ତେଣୁ ଗତକାଲିଠାରୁ ବିଜେପିର ଆଶାୟୀମାନେ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ କରିଛନ୍ତି। ଗତକାଲି ତିନିଜଣ ଦାଖଲ କରିଥିଲା ବେଳେ ଆଜି ୧୨ଜଣ ଦାଖଲ କରିଛନ୍ତି। ଏହା ସହ ବିଜେଡିର ଜଣେ ଆଶାୟୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଏମାନେ ପରବର୍ତ୍ତୀ ସମୟରେ ଦଳୀୟ ଟିକେଟ୍‌ ଦାଖଲ କରିବେ। ଆଜି ପ୍ରାର୍ଥିପତ୍ର ଦାଖଲର ତୃତୀୟ ଦିନରେ ଏହି ୧୩ ଜଣଙ୍କୁ ମିଶାଇ ମୋଟ୍‌ ୧୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନଥିଲେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପିର ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିବା ନେଇ ଆଶ୍ବାସନା ମିଳିଥିବା କୁହାଯାଉଛି। ଏଣୁ ସେମାନେ ନିର୍ଦ୍ବନ୍ଦ୍ବରେ ବିଜେପି କର୍ମୀମାନଙ୍କୁ ନେଇ ଶୋଭାଯାତ୍ରାରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଉଛନ୍ତି। ଆହୁରି ମଧ୍ୟ ସେମାନଙ୍କ ସହ ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଓ ଭୁବନେଶ୍ବର (ମଧ୍ୟ) ନେତା ଜଗନ୍ନାଥ ପ୍ରଧାନଙ୍କୁ ଦେଖିବାକୁ ମିଳୁଛି। ତେଣୁ ସେମାନଙ୍କୁ ଦଳୀୟ ଟିକେଟ୍‌ ମିଳିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଆସନ୍ତାକାଲି ସୁଦ୍ଧା ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି। ମମତା ମଲ୍ଲିକ ୪୬ ନମ୍ବର ୱାର୍ଡ, ସୁବାସିନୀ ପୃଷ୍ଟି ୬୧, ଧରିତ୍ରୀ ଜେନା ୩୩, ଗୀତାଞ୍ଜଳି ସାହୁ ୩୯, ମମତା ସେଠୀ ୩୬, ଆରତି ଭୂୟାଁ ୨୩, ରଶ୍ମିରଞ୍ଜନ ମହାପାତ୍ର ୪୨, ତୁଳସୀ ବିଶୋୟୀ ୪୦, ରାମଚନ୍ଦ୍ର ରଣସିଂହ ୫୦, ପ୍ରିୟମ୍ବଦା ପୃଷ୍ଟି ୨୮, ଜ୍ୟୋତିରେଖା ନାୟକ ୪୫, କାର୍ତ୍ତିକ ସୁନ୍ଦରାୟ ୬୫ ନମ୍ବର ୱାର୍ଡ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବିଜେପି ରାସ୍ତାରେ ବିଜେଡି ବି ଯିବା ଆରମ୍ଭ କରିଛି। ଆଜି ୫୨ ନମ୍ବର ୱାର୍ଡର ବିଜେଡି ଆଶାୟୀ ପ୍ରାର୍ଥୀ ଶ୍ରୀଧର ବେହେରା ପ୍ରାର୍ଥିପତ୍ର ପତ୍ର ଦାଖଲ କରିଛନ୍ତି। କିନ୍ତୁ ସେ ଦଳୀୟ ଟିକେଟ୍‌ ଦାଖଲ କରିପାରି ନାହାନ୍ତି। ବିଜେଡି କର୍ମୀ ଓ ଦଳୀୟ ପତାକା ଧରି ସେ ଶୋଭାଯାତ୍ରା‌ରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୨୦୧୪ ନିର୍ବାଚନରେ ଶ୍ରୀଧର କଂଗ୍ରେସ ଟିକେଟ୍‌ରେ ଜିତି ବିଜୟ ଲାଭ କରିଥିଲେ ଓ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ। ତାଙ୍କୁ ଟିକେଟ୍‌ ମିଳିବା ନେଇ ସଙ୍କେତ ମିଳିଲା ପରେ ଆଗୁଆ ପ୍ରାର୍ଥିପତ୍ର ଦାଖଲ କରିଥିବା କୁହାଯାଉଛି।

ଶୁକ୍ରବାର ସ୍ବାଧୀନ ଭାବେ ୩ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନେ ହେଉଛନ୍ତି, ୬୧ ନମ୍ବର ୱାର୍ଡ ପାଇଁ ନରେନ୍‌ ସାହୁ, ୫୪ପାଇଁ ଶିବପ୍ରସାଦ ବେହେରା ଓ ୩୨ ପାଇଁ ଜହର ଖାନ୍‌। ଏହି ତିନିଟି ଯାକ ୱାର୍ଡ ଅଣସଂରକ୍ଷିତ ରହିଛି। ପୂର୍ବଥର ଏହି ତିନିଟି ବିଜେଡି କବ୍‌ଜାରେ ରହିଥିଲା।

ଶୁକ୍ରବାର ମେୟର ପଦବି ପାଇଁ ୭ଟି ଆବେଦନପତ୍ର ସହ ମୋଟ ୧୫ଟି ଫର୍ମ ଇସ୍ୟୁ ହୋଇଛି। କିନ୍ତୁ ପ୍ରାର୍ଥିପତ୍ର ଦାଖଲ ହୋଇନାହିଁ। ଦୁଇ ପ୍ରମୁଖ ଦଳ ଏହି ପଦ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି। ସ୍ବାଧୀନ ଭାବେ ମଧ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ସେହିଭଳି ଆଜି କର୍ପୋରେଟର୍‌ ପଦ ପାଇଁ ୨୧୦ ସହ ମୋଟ ୫୮୧ଟି ଆବେଦନପତ୍ର ଇସ୍ୟୁ ହୋଇଛି। ନାମାଙ୍କନପତ୍ର ଦାଖଲ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜି ଅତିରିକ୍ତ କାଉଣ୍ଟର ଖୋଲା ଯାଇଥିବା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର