ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ (ମୁକ୍ତା)‌ରେ ଠିକାଦାରଙ୍କୁ ହଟାଇ ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକୁ ଦାୟିତ୍ବ ଦିଆଯାଇଛି। ଏହି ଏସ୍‌ଏଚ୍‌ଜିମାନଙ୍କୁ ‘ଗୋଷ୍ଠୀ ଠିକାଦାର’ ଆଖ୍ୟା ଦିଆଯାଇଛି। ଦକ୍ଷତା ବୃଦ୍ଧି କରିବା ସହ ସେମାନେ ଯେଭଳି ଠକାମିର ଶିକାର ହେବେ ନାହିଁ, ସେଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେଇଛି। ଗତ ସୋମବାର ଦିନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ନିର୍ଦ୍ଦେଶିକା ମାନଭିତା ବରାଡି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି।

Advertisment

ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ ତଥା ମୁକ୍ତାର ରାଜ୍ୟ ନୋଡାଲ ଅଧିକାରୀ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ଦକ୍ଷତା ବିକାଶ ଫଳରେ ମୁକ୍ତା ଅଧିକ ଗତିଶୀଳ ହେବ ବୋଲି ବିଭାଗ ଆଶାବାଦୀ ଅଛି। ଏହି ସଂସ୍ଥା ତୃଣମୂଳସ୍ତରରେ ଏସଏଚ୍‌ଜି ଓ ବସ୍ତି ଉନ୍ନୟନ ସଂସ୍ଥାଗୁଡ଼ିକୁ ତାଲିମ ପ୍ରଦାନ କରିବ। ଏଥିପାଇଁ ୯ଟି କ୍ଲଷ୍ଟର୍‌ରେ ୧୧୫ଟି ପୌରାଞ୍ଚଳରେ ଏହି ତାଲିମ୍‌ ପ୍ରଦାନ କରାଯିବ। ଏହା ନିୟମିତ ଭାବେ ଜାରି ରହିବ। ତାଲିମ ପରେ ମଧ୍ୟ ଆକଳନ କରାଯାଇ ଗୋଷ୍ଠୀଗୁଡ଼ିକର ଦକ୍ଷତା ବୃଦ୍ଧି କରାଯିବ। ରାଜ୍ୟର ୧୧୫ ପୌରାଞ୍ଚଳରେ ୨୦ ହଜାରରୁ ଅଧିକ ଏସ୍‌ଏଚ୍‌ଜି ଓ ୧ ହଜାରରୁ ଅଧିକ ବସ୍ତି ଉନ୍ନୟନ କମିଟି ମୁକ୍ତାରେ ବିଭିନ୍ନ ଉନ୍ନୟନମୂଳକ କାମ ଜାରି ରଖିଛନ୍ତି। ଏଥିରେ ୭ଲକ୍ଷ ସହରୀ ଗରିବ ଓ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨ ହଜାର ୫୦୦ ଗୋଷ୍ଠୀସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଯେଉଁଥିରେ ପକ୍କା ସଡ଼କ, ଡ୍ରେନ୍‌, ବର୍ଷା ଜଳ ଅମଳ, କମ୍ୟୁନିଟି ସେଣ୍ଟର୍‌, ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଓ ସର୍ବସାଧାରଣ ସ୍ଥାନର ବିକାଶ କାର୍ଯ୍ୟ ଅନ୍ତର୍ଭୁକ୍ତ।