ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଉତ୍ସବମୁଖର ପଲ୍ଲୀରୁ ଦିଲ୍ଲୀ। ସବୁଠି ପାଳିତ ହେଉଛି ବିଜୟ ଉତ୍ସବ। ଦେଶର କୋଣ ଅନୁକୋଣରୁ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ନିକଟକୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ। ଆଉ ଏଥିରୁ ବାଦ୍ ପଡ଼ିନି ଓଡ଼ିଶାର ରାଜଧାନୀ ଭୁବନେଶ୍ବର। ବିଜେପି, ବିଜେଡି ଭଳି ରାଜନୈତିକ ଦଳର ନେତା, ମନ୍ତ୍ରୀ, ବିଧାୟକ ନିଜ ନିଜ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛନ୍ତି। ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ନାଚ ଗୀତରେ ମାତି ଯାଇଛନ୍ତି। ମାତ୍ର ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି ଦ୍ରୌପଦୀ ପଢ଼ିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ। ବିଜୟ ଖବର ଶୁଣିବା ମାତ୍ରେ ଛାତ୍ରୀମାନେ କ୍ୟାମ୍ପସରେ ଉତ୍ସବ ପାଳନ କରିଛନ୍ତି। ରାଷ୍ଟ୍ରପତି ପଢ଼ୁଥିବା ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ପାଇଥିବାରୁ ସେମାନେ ନିଜକୁ ଗୌରବ ମନେ କରି ଆନନ୍ଦରେ ଆତ୍ମହରା ହୋଇପଡ଼ିଛନ୍ତି।
ଦ୍ରୌପଦୀ ଶିକ୍ଷା ଗ୍ରହଣ କରିଥିବା ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଖୁସିର ଲହରି ଖେଳି ଯାଇଛି। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଅପରାହ୍ଣରେ ବିଦ୍ୟାଳୟର ଛାତ୍ରୀମାନେ ବାଜା ବଜାଇ ନାଚଗୀତରେ ଝୁମିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀ ଓ କର୍ମଚାରୀମାନେ ମଧ୍ୟ ପରସ୍ପରକୁ ମିଠା ଖୁଆଇ ଖୁସି ଜାହିର କରିଥିଲେ। ଏମିତିକି ବିଦ୍ୟାଳୟର ହ୍ବାଟସ୍ଆପ୍ ଆଲୁମିନି ଗ୍ରୁପ୍ରେ ଦ୍ରୌପଦୀ ମୁର୍ମୁ ସଦସ୍ୟ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା ପଠାଇ ଚାଲିଥିଲେ। ଛାତ୍ରୀମାନେ ବାଜା ବଜାଇ କ୍ୟାମ୍ପସରେ ପରେଡ୍ କରିଥିଲେ। ପ୍ରତିଟି ମୁହଁରେ ଦ୍ରୌପଦୀଙ୍କୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା। ବିଦ୍ୟାଳୟ ପାଖରେ ଥିବା କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସରେ ଛାତ୍ରୀମାନେ ଏକାଠି ହୋଇ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଅନ୍ତେବାସୀ ଶୁଣିଲେ ଦ୍ରୌପଦୀଙ୍କ ଜୀବନୀ
ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ ଦ୍ରୌପଦୀ ୟୁନିଟ୍-୯ସ୍ଥିତ ଇନ୍ଦିରା ଗାନ୍ଧୀ ଆଦିବାସୀ ଛାତ୍ରୀ ନିବାସରେ ରହୁଥିଲେ। ସେଠାରେ ବି ଆଜି ଉତ୍ସବ ଦେଖିବାକୁ ମିଳିଥିଲା। ଦ୍ରୌପଦୀ ରାଷ୍ଟ୍ରପତି ଭାବେ ବିଜୟ ହେଉଥିବା ସନ୍ଧ୍ୟାରେ ଜଣାପଡ଼ିବା ପରେ ଛାତ୍ରୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ। ସାନ୍ତାଳୀ ଭାଷାର ଗୀତ ଗାଇବା ସହ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବରେ ରାଜ୍ୟ ବିଜେପି ନେତୃମଣ୍ଡଳୀ ଯୋଗଦେଇ ଛାତ୍ରୀମାନଙ୍କୁ ଆହୁରି ଉତ୍ସାହିତ କରିଥିଲେ। ଛାତ୍ରୀନିବାସରେ ରହୁଥିବା ଅନ୍ତୋବାସୀଙ୍କୁ ମିଠା ଖୁଆଇଥିଲେ। ସେମାନଙ୍କ ସହ ନାଚି ସେଲ୍ଫି ନେଇଥିଲେ। ଏହି ଅବସରରେ ବିଜେପିର ରାଜ୍ୟ ନେତୃମଣ୍ଡଳୀଙ୍କ ସମେତ ହଷ୍ଟେଲ ଅଧୀକ୍ଷିକା ମୁକ୍ତାମୟୀ କୁମ୍ଭାର, ସହଅଧୀକ୍ଷିକା ମିନତି ଦାସ, ଯମୁନା ଟୁଡୁ ପ୍ରମୁଖ ଉପସ୍ଥିତ ରହି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ସମ୍ପର୍କରେ ପିଲାଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ବିଜେପି ବିଧାୟିକା କୁସୁମୁ ଟେଟେ, ସୁରମା ପାଢ଼ୀ, ସ୍ମୃତି ପଟ୍ଟନାୟକ, ଉର୍ମିଳା ମହାପାତ୍ର, ସୁନିତୀ ମୁଣ୍ଡ୍, ମନ୍ଦାକିନୀ ପାତ୍ର, ଅଙ୍କିତା ଶୁଭଦର୍ଶନୀ, ଅଭିନେତ୍ରୀ ପିଙ୍କି ପ୍ରଧାନ, ଅଭିନେତା ଶ୍ରୀତମ ଦାସ, ଠାକୁର ରଞ୍ଜିତ ଦାସ, ଲୁଲୁ କାନୁନ୍ଗୋ, ପ୍ରଶାନ୍ତ ନାୟକ, ସୁଜିତ ଦାସ, ସୁରଥ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ।
‘#ଦ୍ରୌପଦୀ’ ଟ୍ରେଣ୍ଡ୍
ପୂର୍ବାହ୍ନରେ ଭୋଟ୍ ଗଣତି ଆରମ୍ଭ ହେବା କ୍ଷଣି ସାମାଜିକ ଗଣମାଧ୍ୟମରେ ‘#ଦ୍ରୌପଦୀ’ ଟ୍ରେଣ୍ଡ୍ ଆରମ୍ଭ ହୋଇଥିଲା। ଟ୍ବିଟର୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ପରି ସାମାଜିକ ଗଣମାଧ୍ୟମରେ ସବୁ ବର୍ଗର ବ୍ୟକ୍ତିବିଶେଷ ‘#ଦ୍ରୌପଦୀ’ ଲେଖି ସମସ୍ତେ ଦ୍ରୌପଦୀଙ୍କ ବିଜୟ କାମନା କରିଥିଲେ। ଭୋଟ୍ଗଣତି ଯେତିକି ଆଗଉଥିଲା, ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଉତ୍ସାହ ସେତେ ବଢ଼ୁଥିଲା। ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତିର ଫଳ ଆସିବା ପରେ ବିଜୟ ଉତ୍ସବ ପାଳନ କରିବାରେ ଲାଗି ପଡ଼ିଥିଲେ। ବାକି ପର୍ଯ୍ୟାୟକୁ ଆଉ ଅପେକ୍ଷା ନକରି ଆବାଳ ବୃଦ୍ଧ ବନିତା ନିଜ ନିଜ ଷ୍ଟାଟସ୍ରେ ଦ୍ରୌପଦୀଙ୍କ ଫଟୋ ରଖି ଶୁଭେଚ୍ଛା ଜଣାଇବାରେ ଲାଗି ପଡ଼ିଥିଲେ। ରାତିରେ ସମ୍ପୂର୍ଣ୍ଣ ଫଳାଫଳ ଜଣାପଡ଼ିବା ପରେ ମୋଦି ସରକାର ସମୟରେ ଓଡ଼ିଶାରୁ ଜଣଙ୍କ ପରେ ଜଣେ କିଭଳି ଦେଶର ପ୍ରମୁଖ ପଦରେ ଅଧିଷ୍ଠିତ ହେଉଛନ୍ତି, ସେନେଇ ଟ୍ରେଣ୍ଡ ଚାଲିଥିଲା। ‘ସ୍ବାଗତମ୍’, ‘ଅଭିନନ୍ଦନ’ ପରି ଶୁଭେଚ୍ଛା ବାର୍ତା ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା।