ଭୁବନେଶ୍ବର: ଲଘୁଚାପଜନିତ ବର୍ଷାରେ ଆଜି ଉବୁଟୁବୁ ହୋଇଛି ରାଜଧାନୀ। ବୁଡ଼ିଛି ଭୁବନେଶ୍ବର ସହର ଓ ସହରତଳି ଅଞ୍ଚଳ। ବର୍ଷାରେ ପ୍ରମୁଖ ରାସ୍ତାମାନଙ୍କରେ ଅସମ୍ଭାଳ ପରିସ୍ଥିତି ଦେଖିବାକୁ ମିଳିଛି। ଏଜି ଛକରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାରେ ମନ୍ତ୍ରୀ, ବିଧାୟକମାନଙ୍କ କ୍ବାର୍ଟର୍ସ ଆଗରେ ବି ପାଣି ଲହଡ଼ି ମାରିଛି। ଆଜି ଅଧଘଣ୍ଟାଏ ବର୍ଷାରେ ବମିଖାଲ, ଶ୍ରୀୟା ଛକ, ଏକାମ୍ର ହାଟ ସମ୍ମୁଖ ରାସ୍ତା, ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଓ ସମ୍ମୁଖ ରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟ ବି ଏଥିରୁ ବାଦ୍ ପଡ଼ିନଥିଲା। କାର୍ଯ୍ୟାଳୟ ସମ୍ମୁଖ ଓ ପଛ ରାସ୍ତାରେ ପାଣି ଲହଡ଼ି ମାରିଥିଲା। ଡ୍ରେନ୍ରେ ପାଣି ନିଷ୍କାସନ ହୋଇନପାରି ରାସ୍ତା ଉପରେ ଲହଡ଼ି ମାରିଥିଲା। ଫଳରେ ଯାତାୟାତରେ ପ୍ରଭାବିତ ହୋଇଥିଲା। ଲୋକେ ଦୁର୍ଦ୍ଦଶା ଭୋଗିଥିଲେ। ସହରର ଗଳିକନ୍ଦି ବି ଏଥିରୁ ବାଦ୍ ପଡ଼ିନଥିଲା। କେଉଁଠି ଆଣ୍ଠୁଏ ତ’ କେଉଁଠି ଜଙ୍ଘେ ଉଚ୍ଚରେ ପାଣି ଗଳିକନ୍ଦିରେ ଲହଡ଼ି ମାରିଥିଲା। ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା। ବିଶେଷ କରି ବମିଖାଲ ବ୍ରିଜ୍ ନିକଟରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡ଼ି ମାରିଥିଲା। ଫଳରେ ଗାଡ଼ିମୋଟର ଯାତାୟାତ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା। ପାଣିରେ ବି କିଛି ଗାଡ଼ି ଫସି ରହିଥିଲା। ପ୍ରାୟ ଅଧଘଣ୍ଟାଏ ପରେ ପାଣି ଖାଲି ହେବାରୁ ଯାତାୟାତ ସ୍ବାଭାବିକ ହୋଇଥିଲା। ଲଘୁଚାପ ଯୋଗୁଁ ଆଜି ସକାଳୁ ପାଗ ମେଘୁଆ ରହିବା ସହ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ଆରମ୍ଭ ହୋଇଥିଲା। ଅପରାହ୍ଣରେ ବର୍ଷା ଛେଚିଥିଲା। ଚାହୁଁ ଚାହୁଁ ବମିଖାଲ ଓ ଅନ୍ୟସ୍ଥାନରେ ନାଳ ପାଣି ମିଶା ବର୍ଷା ପାଣି ରାସ୍ତାରେ ଲହଡ଼ି ଭାଙ୍ଗିଥିଲା। ୟୁନିଟ୍-୩ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଖପାଖ ଅଞ୍ଚଳ ପାଣିରେ ବୁଡ଼ି ରହିଥିଲା।
ନେତାଜୀନଗର ବସ୍ତିରେ ଘରେ ପଶିଲା ପାଣି
ଆଜି ଅପରାହ୍ଣରେ ବର୍ଷା ଫଳରେ ରସୁଲଗଡ଼ ନେତାଜୀନଗର ବସ୍ତି ଉବୁଟୁବୁ ହୋଇଥିଲା। ପ୍ରତି ଘରେ ପାଣି ପଶିଥିଲା। ଫଳରେ ଲୋକଙ୍କ ରୋଷେଇବାସ ବନ୍ଦ ହୋଇଯାଇଥିଲା। ନେତାଜୀନଗର, ଶବରସାହିରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ନେତାଜୀନଗରରେ ପ୍ରାୟ ୭୦ ପରିବାର ରହୁଛନ୍ତି। ଲୋକ ସଂଖ୍ୟା ପ୍ରାୟ ୨୫୦। ନେତାଜୀନଗର ଅଞ୍ଚଳ ସାହି ସଭାପତି ସନାତନ ସେଠୀ କହିଛନ୍ତି, ଆଜି ଅପରାହ୍ଣରେ ବର୍ଷା ହେବା ଫଳରେ ସମସ୍ତଙ୍କ ଘରେ ପାଣି ପଶିଛି। ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି, ଆମ ସାହି ଦେଇ ଯାଇଥିବା ଡ୍ରେନ୍କୁ କିଛି ଅସାଧୁ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ନାଳ ଶେଷ ମୁଣ୍ଡରେ ବନ୍ଧ ବାନ୍ଧି ନାଳ ପାଣି ନିଷ୍କାସନ ବାଟ ବନ୍ଦ କରି ଦେଇଛନ୍ତି। ଫଳରେ ପାଣି ନିଷ୍କାସନ ହୋଇନପାରି ସାହିରେ ଜମି ରହୁଛି। ଏ ନେଇ ସାହି ଲୋକେ ବିଧାୟକଙ୍କୁ ଅଭିଯୋଗ କରିଥିବା କହିଛନ୍ତି। କିନ୍ତୁ ବିଳମ୍ବିତ ରାତି ସୁଦ୍ଧା ସେମାନଙ୍କୁ କୌଣସି ସହାୟତା ମିଳିନଥିବା କହିଛନ୍ତି।