ରାଜଧାନୀ ମହୋତ୍ସବ ଉଦ୍‌ଯାପିତ

ଭୁବନେଶ୍ଵର: ସୋମବାର ଭଞ୍ଜକଳା ମଣ୍ଡପରେ ଚଣ୍ଡୀପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ୍ ପକ୍ଷରୁ ପ୍ରଥମ ରାଜଧାନୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନର ଅତିଥିଭାବେ ମଧ୍ୟ ଭୁବନେଶ୍ୱର ବିଧାୟକ ତଥା ଟ୍ରଷ୍ଟର ଆଜୀବନ ସଦସ୍ୟ ଅନନ୍ତ ନାରାୟଣ ଜେନା, ଅବସରପ୍ରାପ୍ତ ଭାରତୀୟ ପ୍ରାଶାସନିକ ଅଧିକାରୀ ଶରତ ଦାସ, ଉଦ୍ୟୋଗପତି ସୁନୀଲ ମୁରାକ୍କା, ଆଇଟିଏସ୍‌ଟିର ଅଧ୍ୟକ୍ଷା ଅଳକାନନ୍ଦା ଯୋଶୀ, ଅଲ ଇଣ୍ଡିଆ ଟାଲେଣ୍ଟ ସର୍ଚ୍ଚର ପ୍ରତିଷ୍ଠାତା ଗୌରୀ ଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଦ୍ୱିତୀୟ ତଥା ସନ୍ଧ୍ୟା ଅଧିବେଶନରେ ଓଡ଼ିଶାର ପ୍ରଥମ ଦିବ୍ୟାଙ୍ଗ ପ୍ରଶାସନିକ ଅଧିକାରୀ ସନ୍ନ୍ୟାସୀ ବେହେରା, ଚିକିତ୍ସକ ଡା. ମନୋଜ ସାହୁ, ସର୍ବଭାରତୀୟ ନୃତ୍ୟ ସଂସ୍ଥାନର ନିର୍ଦେଶକ ଉପେନ୍ଦ୍ରନାଥ ଶର୍ମା, ଶିଳ୍ପପତି କୌଶିକ ମେହେର, ରାମଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ଉପଦେଷ୍ଟା ହରେକୃଷ୍ଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୋଲକାତାରୁ ନୃତ୍ୟଶିଳ୍ପୀ ଅର୍ଜିକା ଘୋଷ, ରାଉରକେଲାରୁ ଶ୍ରୀଜଗନ୍ନାଥ କଳା ପରିଷଦ ଓ କଳିକା ଡ୍ୟାନ୍ସ ଏକାଡେମୀ, କେନ୍ଦୁଝରରୁ ସ୍ପିରିଟ୍ ଜା’ ଡ୍ୟାନ୍ସ ଏକାଡେମୀ, ବରଗଡ଼ରୁ ଶୁଭମ୍‌ ବାରିକ ପ୍ରମୁଖ କଳାକାରମାନେ ଭାରତନାଟ୍ୟମ, ଓଡ଼ିଶୀ, ସମ୍ବଲପୁରୀ, ବିହୁ, ବଜନିୟା ଆଦି ନୃତ୍ୟ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସଙ୍ଗୀତ ପରିବେଷଣ କରିଥିଲେ। ବିଚାରକମଣ୍ଡଳୀ ଭାବେ ସୋନାଲି ବିଶ୍ୱାଳ ଓ ଆରୢାନ୍‌ ପ୍ରତିଯୋଗିତାର ବିଚାର କରିଥିଲେ ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସଡ଼କ ଦୁର୍ଘଟଣାର ଶିକାର ହୋଇ ପୁନର୍ବାର ସାଧାରଣ ଜୀବନଯାପନ କରିବାକୁ ସମର୍ଥ ହୋଇଥିବା ଅମିତ୍‌ ଚାଟାର୍ଜୀଙ୍କୁ ଚଳିତ ବର୍ଷର ଗିରିଜା ସମର୍ଥ ସମ୍ମାନ ଏବଂ ଡା. ମନୋଜ ସାହୁ ଓ ଡା. ଦେବୀପ୍ରସାଦ ପାତ୍ରଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷ ଗୌରକିଶୋର ପରିଡ଼ା ଓ କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅମୀୟବାଳା ପରିଡ଼ା, ନିର୍ଦ୍ଦେଶକ ମଳୟ ମୌସମ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର