୮ବର୍ଷ ପରେ ବାସ୍ତବ ରୂପ ନେବ, କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌

ତରଳ ଅକ୍ସିଜେନ୍ ପ୍ଲାଣ୍ଟ ସହିତ ସିଏସ୍‌ଏସ୍‌ଡି, ଦୁଇଟି ପାଞ୍ଚ ମହଲା ବିଲ୍ଡିଂ, ଖର୍ଚ୍ଚ ହେବ ୨୨୯ କୋଟି

ଭୁବନେଶ୍ବର: ୮ବର୍ଷ ପରେ ବାସ୍ତବ ରୂପ ନେବାକୁ ଯାଉଛି କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁ ଅଫ୍‌ ସାଇନ୍‌ସ ଏଣ୍ଡ ରିସର୍ଚ୍ଚ (ପିଜିଆଇଏସ୍‌ଆର)। ରାଜ୍ୟ ସରକାର ଏହାକୁ ପ୍ରଶାସନିକ ମଞ୍ଜୁରୀ ଦେବା ପରେ ପିଜିଆଇ ପାଇଁ ବାଟ ଫିଟିଛି। ଖୁବଶୀଘ୍ର ଏଥିପାଇଁ ଟେଣ୍ଡର କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

୨୦୧୩ ମସିହାରେ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲକୁ ପିଜିଆଇରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପିଜିଆଇ ଚଣ୍ଡୀଗଡ଼ ଢାଞ୍ଚାରେ ଏକ ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିଲା। ଏଥିପାଇଁ ଏକାଧିକ ବାର ବୈଠକ ବସିଥିଲେ ହେଁ, ଏହା ବାସ୍ତବ ରୂପ ନେଇପାରି ନ ଥିଲା। ଏପରିକି ହସ୍ପିଟାଲ ପଛ ପଟେ ରହିଥିବା କ୍ବାର୍ଟର୍ସକୁ ଖାଲି କରାଯାଇଥିଲା। ହେଲେ ଦୀର୍ଘଦିନ ଧରି ପିଜିଆଇ ନିର୍ମାଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟି ଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ‘ସରକାରଙ୍କ ସଂପତ୍ତି’ ବୋଲି ବୋର୍ଡ ଲଗାଇବାକୁ ପଡ଼ିଥିଲା। ପିଜିଆଇ ପ୍ରକଳ୍ପ ବିଳମ୍ବ ହେବା ପଛରେ ଆର୍ଥିକ ସହାୟତା ମୁଖ୍ୟ ବାଧକ ସାଜିଥିବା କୁହାଯାଉଛି। ତେବେ ବିଳମ୍ବରେ ହେଲେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ପିଜିଆଇ ପ୍ରତିଷ୍ଠା କରିବା ଲାଗି ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିସନ୍ ଜରିଆରେ ୨୨୯.୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି।

ଏଥିପାଇଁ ଦୁଇଟି ପାଞ୍ଚ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ କରାଯିବ। ଗୋଟିଏ ବିଲ୍ଡିଂରେ ପ୍ରଶାସନିକ କାର୍ଯ୍ୟାଳୟ ଓ ଅନ୍ୟଟିରେ ଏକାଡେମିକ ବ୍ଲକ୍ ରହିବ। ଏହାସହ ସିନିଅର ରେସିଡେଣ୍ଟ ଡାକ୍ତର ଓ ବାଳକ/ବାଳିକା ଛାତ୍ରବାସ ନିର୍ମାଣ କରାଯିବ। ସେହିପରି ଏକ ୩ମହଲା ବିଶିଷ୍ଟ ବିଲ୍ଡିଂରେ କେନ୍ଦ୍ରୀୟ ଷ୍ଟେରାଇଲ ସପ୍ଲାଏ ବିଭାଗ ବା ସିଏସ୍‌ଏସ୍‌ଡି ଓ ତରଳ ଅକ୍ସିଜେନ୍ ପ୍ଲାଣ୍ଟ ରହିବ। ରୋଗୀମାନେ ଯେପରି ସହଜରେ ପାରାମେଡିକାଲ ଓ ପାଥୋଲୋଜି ସେବା ପାଇପାରିବେ ତାହାକୁ ନଜରରେ ରଖି ବିଲ୍ଡିଂ ଡିଜାଇନ୍ କରାଯିବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସଂପୂର୍ଣ୍ଣ କମ୍ପ୍ଲେକ୍ସକୁ ପରିବେଶ ଉପଯୋଗୀ ଭାବେ ଗଢ଼ାଯିବା ସହିତ ବର୍ଷାଜଳ ଅମଳ ବ୍ୟବସ୍ଥା, ସୋଲାର ପ୍ୟାନେଲ ଓ ବାଧାମୁକ୍ତ ନିର୍ମାଣ କରାଯିବ। ଖୁବଶୀଘ୍ର ଏହାର ଟେଣ୍ଡର କରାଯିବା ପରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଏହାକୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିଲା କ୍ୟାପିଟାଲ ହସ୍ପିଟାଲ। ଆରମ୍ଭରେ ୬୦ଶଯ୍ୟାକୁ ନେଇ ୨୦ଏକର ଜାଗାରେ ପ୍ରତିଷ୍ଠା ହୋଇଥିବା ହସ୍ପିଟାଲ ଏବେ ୭୫୦ଶଯ୍ୟାକୁ ବୃଦ୍ଧି ପାଇଛି। ରାଜଧାନୀ ସମେତ ଖୋର୍ଧା, ନୟାଗଡ଼, ପୁରୀ ଓ ଅନ୍ୟ ଆଖାପାଖ ଅଞ୍ଚଳରୁ ଏଠାକୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ହସ୍ପିଟାଲରେ ଏବେ ୨୦ଟି ବିଭାଗ ଥିବା ବେଳେ ୩ଟି ବିଭାଗରେ କେବଳ ଓପିଡି ସପ୍ତାହକୁ ଥରେ କାର୍ଯ୍ୟ କରୁଛି। ଏହାସହ ହସ୍ପିଟାଲର ୪ଟି ବିଭାଗରେ ଡିପ୍ଲୋମା ଓ ୮ଟି ବିଭାଗରେ ଡିଏନ୍‌ବି ପାଠ୍ୟକ୍ରମ ଚାଲୁ ରହିଛି।

ସମ୍ବନ୍ଧିତ ଖବର