ଭୁବନେଶ୍ୱର: ଧରାବତରଣ କରିବେ ମା’ କାଳୀ। ଏଥିପାଇଁ ମା’ଙ୍କୁ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ଚଳିତ ବର୍ଷ ୪୬ ବର୍ଷରେ ପଦାର୍ପଣ କରୁଥିବା ବରମୁଣ୍ଡା ମହାକାଳୀ ପୂଜା ଏଥର ମହାସମାରୋହରେ ଆୟୋଜିତ ହେଉଛି। ବରମୁଣ୍ଡା ଦକ୍ଷିଣକାଳୀ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ପୂଜା ଅବସରରେ ବିଶ୍ବଶାନ୍ତି ମହାଯଜ୍ଞ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି। ସେହି ଦିନ ଅଙ୍କୁରାରୋପଣ ସହିତ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରରୁ ଜଳଯାତ୍ରା କାଳୀ ମନ୍ଦିର ପର୍ଯ୍ୟନ୍ତ ଆସିବ। ୧୯ ତାରିଖରେ ସୂର୍ଯ୍ୟଙ୍କୁ ପୂଜା କରି ହୋମକୁଣ୍ଡରେ ଅଗ୍ନି ସଂଯୋଗ କରିବେ। ସନ୍ଧ୍ୟାରେ ୮ରୁ ୧୦ଟି ମଣ୍ଡଳୀ ସଂକୀର୍ତ୍ତନ କରିବେ। ଆସନ୍ତା ୨୦ ତାରିଖ ଅର୍ଦ୍ଧରାତ୍ରରେ ଶ୍ୟମାକାଳୀ ପୂଜା ସହିତ କୁଷ୍ମାଣ୍ଡ ବଳି ଦିଆଯିବ। ଦୀପାବଳିରେ ୧୦୮ ଦୀପ ଦାନ କରାଯିବ। ଚାରିଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ବୋଲି ସମ୍ପାଦକ ଧୋବେଇ ପାଟ୍ଟଶାଣୀ ସୂଚନା ଦେଇଛନ୍ତି।
ସତ୍ୟନଗର ସତ୍ୟକାଳୀ ମନ୍ଦିରରେ ମଧ୍ୟ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଠାରେ ଆସନ୍ତା ୨୦ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ପୂଜା ଚାଲିବ। ଏଥର ଏକ ପ୍ରାସାଦର ତୋରଣ କରାଯାଉଛି। ପୂଜାବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା’ଙ୍କର ଉପଚାର ପୂଜା ଓ ଚଣ୍ଡୀପାଠ ହେବ। ଦ୍ୱିତୀୟ ଦିନ ତାରାବେଶ ପରେ ୨୨ ତାରିଖରୁ ୨୯ ତାରିଖ ମଧ୍ୟରେ ଷୋଡ଼ଶୀ ବେଶ, ଭୈରବୀ ବେଶ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ବେଶ ଓ ଶେଷରେ ପୂର୍ଣ୍ଣାହୂତି ଓ କମଳା ବେଶ ଅନୁଷ୍ଠିତ ହେବ। ମା’ଙ୍କ ପ୍ରତି ବେଶରେ ବିଭିନ୍ନ ରାଶିମାନଙ୍କ ପାଇଁ ସ୍ବତନ୍ତ୍ର ଦୀପଦାନ ଓ ଗାଡ଼ିପୂଜା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ପୂଜା ଅବସରରେ ସତ୍ୟକାଳୀ ମେଳା ସହିତ ମୀନାବଜାର ଓ ଦୋଳି ଆଦି ପଡ଼ିବ। ପୂଜାର ଶେଷ ତିନି ଦିନ ଓଲିଉଡ୍ର ନାମୀଦାମୀ କଳାକାର ମନ୍ମଥ ମିଶ୍ର, ଶ୍ରୀଚରଣ, ସୋହିନୀ ମିଶ୍ର ପ୍ରମୁଖ ଆସିବାର ଯୋଜନା ହୋଇଛି ବୋଲି ପୂଜା କମିଟି କୋଷାଧ୍ୟକ୍ଷ ଶ୍ୟାମାପଦ ଚାଟାର୍ଜୀ ସୂଚନା ଦେଇଛନ୍ତି। ସେହିପରି ବାପୁଜୀନଗରସ୍ଥିତ ଶ୍ରୀଶ୍ରୀ ଦକ୍ଷିଣକାଳୀ ମନ୍ଦିରରେ ମଧ୍ୟ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଚଳିତ ବର୍ଷ ଏହି ପୂଜା ୪୦ତମ ବର୍ଷରେ ପଦାର୍ପଣ କରିଛି। ଏଠାରେ ୧୯ତାରିଖ ଦିନ ଅଧିବାସ ସହିତ ଷୋଡ଼ଶ ଉପଚାର ପୂଜା ସହିତ କଳସ ଯାତ୍ରା ହେବ। ୨୦ ତାରିଖରେ ମା’ଙ୍କ ପୂଜା ସହିତ ୨୧ ତାରିଖରେ ଘଟ ବିସର୍ଜନ ହେବ। ୨୦ ତାରିଖ ଦିନ ପ୍ରାୟ ୧୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନ ରହିବ। ପୂଜା ତିନି ଧରି ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ସଭାପତି ହୃଷିକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/18/sfsfsfxxcxcc-2025-10-18-02-37-08.jpg)