ଭୁବନେଶ୍ୱର: ଆସନ୍ତାକାଲି ମହାବିଷୁବ ବା ପଣାସଂକ୍ରାନ୍ତି। ପାଳିତ ହେବ ଓଡ଼ିଆ ନବବର୍ଷ। ପଣାସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ରାଜଧାନୀ ଦୁଇଦିନ ହେଲା ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର ଓ ମଠଗୁଡ଼ିକରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ହନୁମାନ ଜୟନ୍ତୀ ପାଳନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ପଣାସଂକ୍ରାନ୍ତିରେ ପଣା ସେବନର ଏକ ଅନନ୍ୟ ପରମ୍ପରା ରହିଛି। ତେଣୁ ପଣା ସଂକ୍ରାନ୍ତିକୁ ନଜରରେ ରଖି ନଡ଼ିଆ, କଦଳୀ, ବେଲ, ଆମ୍ବ ଦର ଆକାଶଛୁଆଁ ହୋଇଛି। ଏକ ନମ୍ୱର ହାଟ, ଇନ୍ଦ୍ରଧନୁ ମାର୍କେଟ, ସିଆର୍ପି, ଚନ୍ଦ୍ରଶେଖରପୁର, ରସୁଲଗଡ଼, କଳ୍ପନା ଆଦି ସ୍ଥାନରେ ଥିବା ଫଳ ଦୋକାନ ସମେତ ଫୁଟ୍ପାଥ୍ରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ୨୦ରୁ ୨୫ ଟଙ୍କାରେ ଆଗରୁ ବିକ୍ରି ହେଉଥିବା ନଡ଼ିଆ ଗୋଟା ଗତକାଲିଠାରୁ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି। କିଛିଦିନ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଲର ଦର ୩୦ରୁ ୫୦ ଟଙ୍କାରେ ପହଞ୍ଚି ଯାଇଛି। କଦଳୀ ଦର ତ ଆକାଶଛୁଆଁ ହୋଇଯାଇଛି। କଦଳୀଡଜନ ପିଚ୍ଛା ଦର ୫୦ଟଙ୍କାରୁ ୧୨୦ ଟଙ୍କା ହୋଇଛି। ସେହିପରି ଭୋଗଦୋକାନ ଓ ତେଜରାତି ଦୋକାନମାନଙ୍କରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆକାର ଅନୁସାରେ ହନୁମାନ ପତାକାଗୁଡ଼ିକ ୬୦ ଟଙ୍କାରୁ ୧୦୦ଟଙ୍କା ମଧ୍ୟରେ ବିକ୍ରି ହେଉଛି ବୋଲି ଏକ ନମ୍ୱର ହାଟର ବ୍ୟବସାୟୀ ରଘୁ ସାହୁ କହିଛନ୍ତି। ସେହିପରି ଆକାର ଅନୁସାରେ ମାଟି ଠେକିଗୁଡ଼ିକର ଦାମ୍ ୩୦ଟଙ୍କାରୁ ୫୦ଟଙ୍କା ରହିଛି। ଖୋଲାରେ ବିକ୍ରି ହେଉଥିବା ବୁଟ ଛତୁଆର ଦାମ୍ ୨୫୦ ଗ୍ରାମକୁ ୩୦ଟଙ୍କାଥିବା ବେଳେ ବୁଟ, ବାଦାମ, ଚିନି ମିଶ୍ରିତ ଛତୁଆ ଦାମ୍ ୫୦ଟଙ୍କା ରହିଛି। ଏହି ଅବସରରେ କ୍ଷୀର, ଦହି ଓ ଛେନାର ମଧ୍ୟ ଭଲ ବ୍ୟବସାୟ ହୋଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
ହନୁମାନ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି
ମହାବିଷୁବ ସଂକ୍ରାନ୍ତି ସହ ହନୁମାନଙ୍କ ଜୟନ୍ତୀ ପଡ଼ୁଥିବାରୁ ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରରେ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭଳିକି ଭଳି ଆଲୋକମାଳାରେ ସୁସଜ୍ଜିତ ହୋଇଛି ମନ୍ଦିର। ପ୍ରବେଶପଥଠାରୁ ହନୁମାନ ପ୍ରତିମୂର୍ତ୍ତିଙ୍କ ପର୍ଯ୍ୟନ୍ତ ସବୁଠି ନିଆରା ଛାପ ଦେଖିବାକୁ ମିଳୁଛି। ସିଆର୍ପି ଛକସ୍ଥିତ ହନୁମାନ ମନ୍ଦିର ସମେତ ୟୁନିଟ୍ ୫ ଚଣ୍ଡେଶ୍ୱର ମନ୍ଦିର, ରାମେଶ୍ୱର ମନ୍ଦିର, ଝାରପଡ଼ା, ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ, ଡିଷ୍ଟ୍ରିକ୍ଟ ସେଣ୍ଟର୍, ନୀଳାଦ୍ରିବିହାର ହନୁମାନ ମନ୍ଦିର, ପଟିଆସ୍ଥିତ ହନୁମାନ ମନ୍ଦିର, ୟୁନିଟ୍-୧ ହନୁମାନ ମନ୍ଦିର, ଭିଏସ୍ଏସ୍ନଗର, ୟୁନିଟ୍ ୮ସ୍ଥିତ ହନୁମାନ ମନ୍ଦିରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମନ୍ଦିରଗୁଡ଼ିକରେ ୧୦୮ ହନୁମାନ ଚାଳୀସା ପାଠ, ଯଜ୍ଞ ସହିତ ପ୍ରସାଦସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରରେ ମହାବୀରଙ୍କ ଦର୍ଶନ କରିବେ ସେଥିପାଇଁ ମନ୍ଦିରଗୁଡ଼ିକରେ ପୁରୁଷ ଓ ମହିଳାଙ୍କ ଲାଗି ଅଲଗା ଅଲଗା ଧାଡ଼ିର ବ୍ୟବସ୍ଥା ହୋଇଛି।
ଚଉରାରେ ବସିବ ବସୁନ୍ଧରା ଠେକି
ଓଡ଼ିଶାବାସୀଙ୍କ ପାଇଁ ପଣାସଂକ୍ରାନ୍ତି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନଠାରୁ ଓଡ଼ିଆ ନବବର୍ଷ ସହ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ। ତେଣୁ ପ୍ରତି ଲୋକଙ୍କ ଘର ସମ୍ମୁଖ ଚଉଁରା, ବେଲଗଛ ମୂଳେ ପଣା ଭୋଗ ଲଗାଥାଏ। ବସୁନ୍ଧରା ଠେକିରେ ଏକ କଣା କରି ସେଥିରେ ଛତୁଆ, ଦହି, ଗୁଡ଼ମିଶା ବେଲପଣା ରଖି ଚଉଁରାରେ ଟଙ୍ଗା ଯାଇଥାଏ। ସହରର ଅଧିକାଂଶ ଲୋକଙ୍କ ଘର ସମ୍ମୁଖରେ ଚଉଁରା ନ ଥିବାରୁ ଆଜିଠାରୁ ସେମାନେ ଛାତ ଉପରେ ଠେକି ବସାଇବାକୁ ପ୍ରସ୍ତୁତି କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ସାମଗ୍ରୀ ବିକ୍ରିବଟା ହୋଇଛି। ବିଶେଷକରି ଏକ ନମ୍ବର ହାଟ ନିକଟରେ ଆବଶ୍ୟକ ପଣାସାମଗ୍ରୀ କିଣିବାକୁ ଭିଡ଼ ଲାଗିଥିଲା।
ଉପକଣ୍ଠରେ ଝାମୁନାଚ, ମେରୁଯାତ୍ରା
ପଣାସଂକ୍ରାନ୍ତିଙ୍କୁ ଓଡ଼ିଶାବାସୀ ଭିନ୍ନ ଭିନ୍ନ ନାମରେ ପାଳନ କରିଥାନ୍ତି। ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ମେରୁଯାତ୍ରା ଓ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍ ଧୁମ୍ଧାମରେ ପାଳିତ ହୋଇଥାଏ। ଦଣ୍ଡପାଟୁଆମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥା’ନ୍ତି। ମହାବିଷୁବ ସଂକ୍ରାନ୍ତିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ ହେଉଥିବାରୁ ଘରେ ଘରେ ଦେବଦେବୀଙ୍କ ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳିତ ହୋଇଥାଏ। ରାଜଧାନୀରେ ବସବାସ କରୁଥିବା ଦକ୍ଷିଣ ଓ ଉତ୍ତର ଓଡ଼ିଶାବାସୀ ମଧ୍ୟ ଏହି ପର୍ବକୁ ଧୁମ୍ଧାମରେ ପାଳନ କରିବାକୁ ପ୍ରସ୍ତୁତି କରିଛନ୍ତି। ସହରର ସାଲିଆସାହି, ରଙ୍ଗମାଟିଆ, କଳାରାହାଙ୍ଗ, ଭରତପୁର ସମେତ ଉପକଣ୍ଠ ଅଞ୍ଚଳରେ ବସବାସ କରୁଥିବା ଲୋକେ ଝାମୁନାଚ, ଦଣ୍ଡନାଚ ଓ ଚଡ଼କ ପର୍ବ ପାଳନ କରିବାକୁ ପ୍ରସ୍ତୁତି ଶେଷ କରିଛନ୍ତି।