ଭୁବନେଶ୍ବର: ବିଏମ୍‌ସିର ପରିମଳ ବ୍ୟବସ୍ଥା ଏବେ ଚର୍ଚ୍ଚାରେ ରହିଛି। ଅନ୍ୟ ଉପବିଭାଗ ତୁଳନାରେ ବିଏମ୍‌ସି ଏଥିରେ ଅଧିକ ଖର୍ଚ୍ଚ କରୁଛି। କମିସନର ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁରରେ ଆବର୍ଜନା ପରିଚାଳନାରେ ବେଶ୍‌ ନାଁ କମାଇବା ପରେ ରାଜଧାନୀର ଦାୟିତ୍ବ ନେଇଛନ୍ତି। ସେ ଯୋଗ ଦେବା ପ‌ରେ ଏହି ଉପବିଭାଗର ଗୁରୁତ୍ବ ଆହୁରି ବଢ଼ି ଯାଇଛି। ଅଧିକ କର୍ମଚାରୀ ଆବଶ୍ୟକତା ଦର୍ଶାଇ ସେ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ସଚେତନତା କର୍ମଶାଳାରେ ମାସକୁ ମାସ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି।। ଏସ୍‌ଆଇଙ୍କ ଠାରୁ ଆରମ୍ଭ କରି ଡେପୁଟି କମିସନରଙ୍କ ପର୍ଯ୍ୟନ୍ତ ପରିମଳ ବ୍ୟବସ୍ଥାର ସମୀକ୍ଷା ଓ ଯାଞ୍ଚ କରିବା ବ୍ୟବସ୍ଥା ରହିଛି। ସହରକୁ ସଫା କରିବା ନାଁରେ ଠିକା ନେଇଥିବା ସଂସ୍ଥାକୁ ବିଏମ୍‌ସି ଗାଡ଼ି ଯୋଗାଇ ଟେଣ୍ଡର ଚୁକ୍ତି ଖିଲାପ କରିବା‌ରେ ମଧ୍ୟ ପଛାଉ ନାହିଁ। ହେଲେ ସହରରେ ସ୍ବଚ୍ଛତା ଆଖିଦୃଶିଆ ହେଉ ନାହିଁ। ଏଠି ଯେତିକି ଖର୍ଚ୍ଚ ହେଉଛି ସେତିକି ଅଡ଼ୁଆ ବଢ଼ୁଛି। କର୍ମଚାରୀ ସଂଖ୍ୟା ବଢ଼ୁଥିଲା ବେଳେ ଅଳିଆ ଅଡ଼ୁଆ କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି।

Advertisment

କମିସନର ଭାବ‌ରେ ଶ୍ରୀ କୁଲାଙ୍ଗେ କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଅଧିକ ସମୟ ସହର ବୁଲୁଥିବାର ଦେଖିବାକୁ ମିଳୁଛି। ବିଶେଷକରି ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ସେ ଲାଗି ପଡ଼ିଥିବା ଅନୁମେୟ ହେଉଛି। ତାଙ୍କ ସମୟରେ ହିଁ ୫୯ ‘ସାନିଟାରି ମଲ୍ଟିଟାସ୍କିଙ୍ଗ୍‌ ଆସିଷ୍ଟାଣ୍ଟ’ ନିଯୁକ୍ତି ଦିଆଯାଇଛି। ୩୭ ସାନିଟାରି ଇନ୍‌ସ୍‌ପେକ୍ଟର(ଏସ୍‌ଆଇ)ଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। କୁହାଗଲା, ପୂର୍ବରୁ ସବୁ ୱାର୍ଡରେ ସାନିଟାରି ଇନ୍‌ସ୍‌ପେକ୍ଟର ନଥିଲେ। ଏହି ୩୭ ନିଯୁକ୍ତି ପରେ ଏସ୍‌ଆଇଙ୍କ ସଂଖ୍ୟା ୬୭ ହୋଇଗଲା। ଅର୍ଥାତ୍‌ ପ୍ରତି ୱାର୍ଡରେ ଜଣେ ଜଣେ ଏସ୍‌ଆଇ ଦାୟିତ୍ବରେ ରହିଲେ। କିନ୍ତୁ ନିକଟ ଅତୀତରେ ଯେଉଁ ଏସ୍‌ଆଇଙ୍କର ବିଳମ୍ବିତ ରାତିରେ ଦୁର୍ଘଟଣାରେ ମୃତ୍ୟୁ ଘଟିଲା ସେ ୪୨ ଓ ୪୫ ଏଭଳି ୨ଟି ୱାର୍ଡର ଦାୟିତ୍ବରେ ଥିଲେ। ଯଦି ପ୍ରତି ୱାର୍ଡ ପାଇଁ ଜଣେ ଜଣେ ଏସ୍‌ଆଇଙ୍କୁ ଦାୟିତ୍ବ ଦେବା ନାଁରେ ନିଯୁକ୍ତି ଦେଲେ ତେବେ ଜଣେ ଲୋକ ଦୁଇଟି ଦାୟିତ୍ବରେ ରହିଲା କେମିତି?
ଠିକ୍‌ ସେହିଭଳି ୫୯ ‘ସାନିଟାରି ମଲ୍ଟିଟାସ୍କିଙ୍ଗ୍‌ ଆସିଷ୍ଟାଣ୍ଟ’ ନିଯୁକ୍ତି ପାଇଛନ୍ତି।

ଏମାନେ ପରିମଳ ହେଡ୍‌ରୁ ଦରମା ନେଉଛନ୍ତି। କିନ୍ତୁ ସେମାନେ ବିଭିନ୍ନ ଉପବିଭାଗରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଛନ୍ତି। ପରିମଳ ବ୍ୟବସ୍ଥାରେ ଏମାନଙ୍କର କୌଣସି ଦାୟିତ୍ବ ନାହିଁ। ଅଫିସରଙ୍କ ଦରମାକୁ ଛାଡ଼ି ପରିମଳ ପାଇଁ ଗତ ସେପ୍ଟେମ୍ବର ମାସରେ ୫କୋଟି ୬୮ ଲକ୍ଷ ୫ ହଜାର ୭୩୬ ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍‌ ବର୍ଷକୁ ୬୮ କୋଟି ଖର୍ଚ୍ଚ ହେଉଛି। ଏହା ବାଦ୍‌ ଆହୁରି ଅଧିକ ଖର୍ଚ୍ଚ ରହିଛି। ତାହା ହେଉଛି ଠିକା ସଂସ୍ଥା ଯେଉଁଠି ସଫେଇ ଦାୟିତ୍ବ ନେଇଛି ସେଠାରେ ବିଏମ୍‌ସି ଭଡ଼ା ଗାଡ଼ି ଲଗାଇ ଆବର୍ଜନା ଉଠାଉଛି। ଏହି ଗାଡ଼ିଗୁଡ଼ିକୁ ଭଡ଼ା ଦେବା ପାଇଁ ଆସନ୍ତାକାଲି ସ୍ବତନ୍ତ୍ର ପରିମଳ କର୍ପୋରେସନ ବୈଠକ ବସିବାକୁ ଯାଉଛି। ଏହି ଭଡ଼ା ପ୍ରଦାନ ପାଇଁ କର୍ପୋରେସନର ମଞ୍ଜୁରି ମିଳିଲେ ଉପରୋକ୍ତ ଖର୍ଚ୍ଚ ଆହୁରି ବଢ଼ିଯିବ ବୋଲି କୁହାଯାଉଛି।

ସଫେଇ ଠିକ୍ ହେଉନି, ଟିଟିଏସ୍‌ରୁ ଆବର୍ଜନା ବି ଉଠୁନି
ପରିମଳ ବ୍ୟବସ୍ଥା ପରିଚାଳନାରେ ବିଏମ୍‌ସି ଫେଲ୍‌
ଖର୍ଚ୍ଚ ବଢ଼ୁଛି, ଅଡ଼ୁଆ ଛିଡ଼ୁନି
କମିସନର୍‌ଙ୍କ ଘନଘନ କ୍ଷେତ୍ର ପରିଦର୍ଶନ କାମ ଦେଉନି

ଏ ସବୁ ସତ୍ତ୍ବେ ପରିମଳ ବ୍ୟବସ୍ଥା ସୁଧୁରିବା ନାଁ ଧରୁନି। ଭୁଆସୁଣି ଡମ୍ପିଂୟାର୍ଡ ସ୍ଥିତି ଉତ୍କଟ ହେବାରେ ଲାଗିଛି। ଏଠାକୁ ଅଳିଆ ଯିବା ବନ୍ଦ ହେବାକୁ ୭୨ ଘଣ୍ଟା ପୂରି ଯାଇଥିଲେ ମଧ୍ୟ ସମାଧାନ ହୋଇ ପାରୁନାହିଁ। ପୂର୍ବରୁ ହୋଇଥିବା ବିବାଦକୁ ସରକାର ହସ୍ତକ୍ଷେପ କରି ସମାଧାନ କରିଥିଲେ। କିନ୍ତୁ ପୁଣି ଅନୁରୂପ ଦୁର୍ଘଟଣା ଘଟିବାରୁ ଦାରୁଠେଙ୍ଗ ପଞ୍ଚାୟତବାସୀ ଭୁଆସୁଣିକୁ ଆବର୍ଜନା ବନ୍ଦ କରି ଦେଇଛନ୍ତି। ଏଣେ ଆବର୍ଜନା ଜମା କରିବା ପାଇଁ ଏକମାତ୍ର ଭରସା ପାଲଟିଥିବା ଟିଟିଏସ୍‌ ଭର୍ତ୍ତି ହୋଇ ଯାଇଥିବାରୁ ବାହାରେ ଅଳିଆ ଗାଡ଼ି ଧାଡ଼ି ବାନ୍ଧି ଛିଡ଼ା ହୋଇଛି। ଜନପଥ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ଜାଗାରୁ ଆବର୍ଜନା ଉଠାଇ ଦିଆଯାଉଛି। କିନ୍ତୁ ସହରର ଅନ୍ୟ ଜାଗାରୁ ଶତପ୍ରତିଶତ ଆବର୍ଜନା ଉଠି ପାରୁ ନାହିଁ। ୩ ଦିନ ଧରି ଅଚଳାବସ୍ଥା ଜାରି ରହିଛି।

ଗତଥର ଭୁଆସୁଣି ବିବାଦରେ ସରକାର ହସ୍ତକ୍ଷେପ କରିଥିଲେ। ଆବର୍ଜନା ସମସ୍ୟା ସମାଧାନ ପାଇଁ ମେଗା ଏମ୍‌ସିସି ପ୍ରତିଷ୍ଠା କରିବା ସହ ଆସନ୍ତା ବର୍ଷ ମେ ମାସ ସୁଦ୍ଧା ଭୁଆସୁଣିକୁ ଆବର୍ଜନା ବୋହିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଘଟଣାକୁ ଦୁଇମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମେଗା ଏମ୍‌ସିସି ପାଇଁ ଇଟା‌ଖଣ୍ଡେ ପଡ଼ି ପାରି ନାହିଁ। ପରିମଳ ବ୍ୟବସ୍ଥାରେ ରହିଥିବା ଏଭଳି ପରିଚାଳନାଗତ ତ୍ରୁଟି ବା ବିଶୃଙ୍ଖଳା ଆଗକୁ ଭୁବନେଶ୍ବର ପାଇଁ ବିପଦ ହେବାକୁ ଯାଉଥିବା ଆଶଙ୍କା ପ୍ରକାଶ ପାଇଛି।