କେଶବ ପାଣି
ଭୁବନେଶ୍ବର: ଜଳାଶୟ ପୋତି କୋଠା ନିର୍ମାଣ ଚାଲିଛି। ଗଛ କଟାଯାଇ ଆପାର୍ଟମେଣ୍ଟ ପ୍ରତିଷ୍ଠା ହେଉଛି। ପ୍ରତିବର୍ଷ ଏତେ ସଂଖ୍ୟକ କୋଠା ନିର୍ମାଣ ହେଉଛି ଯେ ଆକଳନ ବାହାରକୁ ଚାଲିଯାଉଛି। ୨୦୧୮ ତୁଳନାରେ ୨୦୨୪ରେ ଭୁବନେଶ୍ବର ସହରରେ କୋଠା ନିର୍ମାଣ ପ୍ରାୟ ୨୩% ବୃଦ୍ଧି ପାଇଛି। ମାତ୍ର ୬ ବର୍ଷ ମଧ୍ୟରେ ସହରରୁ ୯.୮% ଗଛ କଟାଯାଇଛି ଏବଂ ୭୫% ଜଳାଶୟ ଉପରେ କୋଠା ନିର୍ମାଣ ହୋଇଛି, ଯାହାକି ଗ୍ରୀଷ୍ମ ପ୍ରବାହର ଅନ୍ୟତମ କାରଣ ପାଲଟିଛି।
ଏବେ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ଘଟୁଛି ତାହାର ପ୍ରଭାବରେ ୨୦୫୦ ବେଳକୁ ଭୁବନେଶ୍ବରରେ ଗ୍ରୀଷ୍ମ ପ୍ରବାହ ଅଧିକ ଭୀଷଣ ରୂପ ଧାରଣ କରିବ। ବର୍ତ୍ତମାନ ତାପମାତ୍ରା ଯେତିକି ରହୁଛି ୨୦୨୫ ବେଳକୁ ଆହୁରି ୨ରୁ ୨.୫ ଡିଗ୍ରି ବୃଦ୍ଧି ପାଇବ ବୋଲି ଭୁବନେଶ୍ବରର ଗ୍ରୀଷ୍ମ ପ୍ରବାହକୁ ନେଇ ଇଣ୍ଟରନ୍ୟାସନାଲ ଫୋରମ୍ ଫର୍ ଏନଭର୍ନମେଣ୍ଟ, ସଷ୍ଟେନେବିଲିଟି ଆଣ୍ଡ୍ ଟେକ୍ନୋଲୋଜି(ଆଇଫରେଷ୍ଟ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୨୦୨୪ରେ ଭୁବନେଶ୍ବରରେ ଲଗାତାର ୧୭ ଦିନ ପାଇଁ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଚିନ୍ତାର କାରଣ ହେଉଛି ଯେ ୨୦୨୪ରେ ୩୬୫ ଦିନ ମଧ୍ୟରୁ ୨୩୨ ଦିନ ଭୁବନେଶ୍ବର ପାଇଁ ଚେତାବନୀ ଦିଆଯାଇଥିଲା। ସେଥିମଧ୍ୟରୁ ୭୭ ଦିନ ୟେଲୋ ଓ ୫୫ ଦିନ ଅରେଞ୍ଜ ୱାର୍ଣ୍ଣିଂ ଥିଲା। ଜାନୁଆରି ଓ ଡିସେମ୍ବର ମାସରେ ଆଦୌ ୱାର୍ଣ୍ଣିଂ ଦିଆଯାଇ ନ ଥିଲା। ଅର୍ଥାତ୍ ଫେବ୍ରୁଆରିରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ୱାର୍ଣ୍ଣିଂ ଦିଆଯାଇଥିଲା। ଜୁଲାଇରେ ୨୭, ଅଗଷ୍ଟରେ ୩୦, ସେପ୍ଟେମ୍ବରରେ ୨୫ ଓ ଅକ୍ଟୋବରରେ ୨୬ ଦିନ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିଲା। ତେବେ ଏପ୍ରିଲରେ ୧୦, ମେ’ରେ ୧୭ ଓ ଜୁନ୍ରେ ୨୦ ଦିନ ଅରେଞ୍ଜ ୱାର୍ଣ୍ଣିଂ ଜାରି ହେବା ଚିନ୍ତାର ବିଷୟ ପାଲଟିଛି।
କୁଆଖାଇ ନଦୀକୂଳ, ବିମାନବନ୍ଦର, ସାଲିଆସାହି ଅଧିକ ଉତ୍ତପ୍ତ
୨୦୧୮ ତୁଳନାରେ ୨୦୨୪ରେ କୋଠା ନିର୍ମାଣ ୨୩% ବୃଦ୍ଧି
ରାତିର ତାପମାତ୍ରା ବଢ଼ୁଛି, ଗ୍ରୀଷ୍ମ ପ୍ରବାହ ସହ ଆର୍ଦ୍ରତା ମଧ୍ୟ ବଢ଼ୁଛି
ତଥ୍ୟ ଉପରେ ଆଉ ଟିକିଏ ନିରିଖି ଦେଖିଲେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଆର୍ଦ୍ରତା ମଧ୍ୟ ବୃଦ୍ଧି ପାଉଛି। ୧୯୬୧ରୁ ୧୯୯୦ରୁ ଓ ୧୯୯୧ରୁ ୨୦୨୦ ତଥ୍ୟକୁ ଅନୁଧ୍ୟାନ ପରେ ଜଣାପଡ଼ୁଛି ଯେ ତାପମାତ୍ରା ଓ ଆର୍ଦ୍ରତା ସ୍ତର ବଢ଼ିଚାଲିଛି। ଗ୍ରୀଷ୍ମ ସମୟର ତାପମାତ୍ରା ହାରାହାରି ୧ ଡିଗ୍ରି ବୃଦ୍ଧି ପାଇଛି। ରାତିର ତାପମାତ୍ରା ମଧ୍ୟ ବଢ଼ୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ ତାପମାତ୍ରା ପାଖାପାଖି ୨୦ ଡିଗ୍ରି ଫରକ ରହୁଛି। ଗୋଟିଏ ଗୋଟିଏ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୫୫ ଡିଗ୍ରିରେ ପହଞ୍ଚୁଥିବା ବେଳେ ସର୍ବନିମ୍ନ ୩୪ ଡିଗ୍ରି ରହୁଛି। ୨୦୨୪ ଏପ୍ରିଲରେ ସଂଗ୍ରହ କରାଯାଇଥିବା ତଥ୍ୟ ଅନୁଯାୟୀ କୁଆଖାଇ ନଦୀକୂଳକୁ ଲାଗି ରହିଥିବା ବିଏମ୍ସି ୫ ନମ୍ବର ୱାର୍ଡରେ ସର୍ବାଧିକ ତାତି ଅନୁଭୂତ ହୋଇଥିଲା।
ଏହା ତଳକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଆସୁଥିବା ୫୨ ନମ୍ବର ୱାର୍ଡ ଅଧିକ ଗ୍ରୀଷ୍ମ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହେଉଛି। ସାଲିଆସାହି ରହିଥିବା ବିଏମ୍ସି ୧୬, ୨୦, ୨୧ ଓ ୨୬ ନମ୍ବର ୱାର୍ଡର ତାପମାତ୍ରା ଅଧିକ ରହିବା ସହ ପ୍ରବଳ ଗ୍ରୀଷ୍ମ ପ୍ରବାହ ପରିଲକ୍ଷିତ ହେଉଛି। ୧୦ ନମ୍ବର ୱାର୍ଡରେ ଆସୁଥିବା ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ୬୫ ନମ୍ବର ୱାର୍ଡ ଅଧୀନ କଳିଙ୍ଗ ବିହାରରେ ଶିଳ୍ପାଞ୍ଚଳ ସହ ଆବାସିକ ସ୍ଥଳୀ ରହିଥିବାରୁ ତାପମାତ୍ରା ଏଠାରେ ମଧ୍ୟ ଅଧିକ ରହୁଛି। ସହର ଅପେକ୍ଷା ଏହାର ଉପକଣ୍ଠର ତାପମାତ୍ରା ୨ରୁ ୫ ଡିଗ୍ରି କମ୍ ରହୁଥିବା ସର୍ଭେ ସମୟରେ ଦେଖିବାକୁ ମିଳିଛି।
୧୦୦ରୁ ୧୫ ପରିବାରରେ ଏସି
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଶୀତତାପ ନିୟନ୍ତ୍ରିତ(ଏସି) କୋଠରୀକୁ ସହରବାସୀ ଆଦରି ନେଉଛନ୍ତି। ପରିଣାମ ସ୍ବରୂପ ୨୦୨୧ ତୁଳନାରେ ୨୦୨୩ରେ ଘରୋଇ ଆବାସ ସ୍ଥଳୀରେ ଏସି ବ୍ୟବହାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୧ରେ ସହରରେ ୬% ପରିବାରଙ୍କ ପାଖରେ ଏସି ଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୧୫%ରେ ପହଞ୍ଚିଛି। ଅର୍ଥାତ୍ ପ୍ରତି ୧୦୦ ପରିବାର ମଧ୍ୟରୁ ଏବେ ୧୫ଟି ପରିବାର ଏସି ବ୍ୟବହାର କରୁଛନ୍ତି। ଅର୍ଥାତ୍ ବାର୍ଷିକ ହାରାହାରି ୭୦% ବୃଦ୍ଧି ହୋଇଛି। ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଏସି ବ୍ୟବହାରୀଙ୍କ ସଂଖ୍ୟା ବହୁ ମାତ୍ରାରେ ବଢ଼ିଥିବା ଦେଖିବାକୁ ମିଳିଛି।
ଆକ୍ସନ ପ୍ଲାନ୍ କାର୍ଯ୍ୟକାରୀ କରାଯାଉ
ସର୍ଭେ ସମୟରେ ଅଧିକ ଉତ୍ତପ୍ତ ସ୍ଥଳ ସାଲିଆସାହି ଓ ଜନପଥ ଅଞ୍ଚଳରେ କିଭଳି ତାପମାତ୍ରା ହ୍ରାସ ପାଇବ ତାହାକୁ ନେଇ ରୂପରେଖ ପ୍ରସ୍ତୁତ ହୋଇଛି। ସାଲିଆସାହି ବସ୍ତି ଲୋକଙ୍କ ଘରର ଛାତ ଉପରେ ଧଳା ପେଣ୍ଟ ଲଗାଇବା, ମଧ୍ୟମ ବର୍ଗ ଲୋକ ଓ ବିଭିନ୍ନ ଅନୁଷ୍ଠାନ ଛାତ ଉପରେ ସବୁଜ ବଗିଚା ସୃଷ୍ଟି, ବାଣିଜ୍ୟିକ ପ୍ରତିଷ୍ଠାନରେ ସୋଲାର ଲଗାଇବାକୁ ପରାମର୍ଶ ଦିଆଯାଇଛି। ଜନପଥରେ ନିକଟରେ ଅର୍ବାନ ପାର୍କ ସୃଷ୍ଟି, ରୋଡ୍ ମେଡିଆନ୍ରେ ଗଛ ଲଗାଇବା, ଜଳାଶୟଗୁଡ଼ିକର ପୁନଃରୁଦ୍ଧାର, କୋଠା ଉଚ୍ଚତା ଧାର୍ଯ୍ୟ କରାଗଲେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି କୁହାଯାଇଛି। ଏଭଳି କରିବା ଦ୍ବାରା ସାଲିଆସାହିରେ ଦିନର ତାପମାତ୍ରା ୨.୪ ଡିଗ୍ରି ହ୍ରାସ ପାଇବ। ପ୍ରଚଣ୍ଡ ଖରା ସମୟରେ ତାପମାତ୍ରା ୫.୧ ଡିଗ୍ରି କମିବାକୁ ଥିବା ବେଳେ ରାତି ସମୟରେ ୧.୧ ଡିଗ୍ରି କମିପାରେ ବୋଲି ଆକଳନ କରାଯାଇଛି। ସେହିପରି ଜନଥପରେ ତାପମାତ୍ରା ୦.୭ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।
- ଚନ୍ଦ୍ର ଭୂଷଣ, ସିଇଓ, ଆଇଫରେଷ୍ଟ
ଏବେ ଗୋଟିଏ ମାସ ଶୀତ ହେଉଛି
ତାପମାତ୍ରା ବୃଦ୍ଧି ଏବେର ନୁହେଁ। ଗତ ୩୦ରୁ ୩୫ ବର୍ଷ ହେଲା ସହରୀକରଣ ବଢ଼ିବା ଦ୍ବାରା ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଆଗରୁ ୬ ଋତୁ ଅନୁଭୂତ ହେଉଥିବା ବେଳେ ଏବେ ତାହା ୩କୁ ଆସିଗଲାଣି। ବର୍ଷକ ୧୨ ମାସ ମଧ୍ୟରୁ ମାତ୍ର ଗୋଟିଏ ମାସ ଶୀତ ଅନୁଭୂତ ହେଉଛି। ନ ହେଲେ ଅନ୍ୟାନ୍ୟ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହୁଛି। ଏହାର ମୁକାବିଲା କରିବାକୁ ଆମେ କମ୍ ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେଇଛୁ। ଏବେ ଆଇଫରେଷ୍ଟ ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
-ସୁଲୋଚନା ଦାସ, ମେୟର, ଭୁବନେଶ୍ବର