ଠକଙ୍କ କବ୍‌ଜାରେ ରାଜଧାନୀ!

ଶଳା-ଭିଣୋଇଙ୍କ ରାକେଟ୍‌ରେ ରେଳ ଅଧିକାରୀ କିଏ?

ଭୁବନେଶ୍ବର: ପୂର୍ବତଟ ରେଳପଥରେ ଚାକିରି ନାଁରେ ବଡ଼ ଧରଣର ଠକେଇ ମାମଲାରେ ଧରାପଡ଼ିଥିବା ଠକ ଶଳା-ଭିଣୋଇଙ୍କ ରାକେଟ୍‌ରେ ରେଳ ବିଭାଗର ଏକାଧିକ ଅଧିକାରୀ ବା କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ପ୍ରଥମରୁ ବିନା ତଦନ୍ତରେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ରେଳ ବିଭାଗର କୌଣସି କର୍ମଚାରୀଙ୍କ ଏହି ଠକେଇରେ ସାମିଲ ନାହାନ୍ତି ବୋଲି ତରବରିଆ ଭାବେ ସଫେଇ ଦେଇଥିଲେ। ମାତ୍ର ଜଣେ ଚାକିରି ଆଶାୟୀ ଯୁବକଙ୍କୁ ନେଇ ଜଟଣୀସ୍ଥିତ ଖୋର୍ଦ୍ଧା ରୋଡ୍ ମେଡିକାଲରେ ସ୍ବାସ୍ଥ୍ୟ ଯାଞ୍ଚ କରାଇବା, ପଶ୍ଚିମବଙ୍ଗର କଲ୍ୟାଣୀ ଷ୍ଟେସନ ଓ ଝାଡ଼ଖଣ୍ଡର ଧାନବାଦ ଷ୍ଟେସନରେ ଡ୍ୟୁଟି ଦିଆଯିବା ଆଦି ସଂପର୍କରେ ଆଜି ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପ‌ରେ ରେଳ ବିଭାଗରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ଖୋର୍ଦ୍ଧା ରୋଡ୍ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବ୍ୟକ୍ତି ମେଡିକାଲର କେଉଁ କର୍ମଚାରୀ ଠକ ସହ ସଂପୃକ୍ତ? ମେଡିକାଲ ପରୀକ୍ଷା ପାଇଁ କାଗଜପତ୍ର କିଏ ତିଆରି କଲା? ଷ୍ଟେସନରେ ୟୁନିଫର୍ମ ପିନ୍ଧି ନିଯୁକ୍ତିପତ୍ର ଓ ଡ୍ୟୁଟି ଦେଇଥିବା ବ୍ୟକ୍ତି ରେଲଓ୍ଵେର ଅଧିକାରୀ କି? ଯଦି କେହି ଅଧିକାରୀ ସମ୍ପୃକ୍ତ ଅଛନ୍ତି ସେମାନେ କେଉଁଠି କାମ କରନ୍ତି? ଏଭଳି ଏକାଧିକ ପ୍ରଶ୍ନ ଏବେ ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି ରେଳବାଇ କର୍ତ୍ତୃପକ୍ଷ। ତଦନ୍ତକାରୀ ପୁଲିସ ମଧ୍ୟ ରେଳ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ତଦନ୍ତ ଚଳାଇଛି। ପୂରା ରାକେଟର ପର୍ଦ୍ଦାଫାସ୍ କରିବା ଲାଗି ଗିରଫ ହୋଇଥିବା ଠକ ସମରଜିତ୍ ଓ ତାର ଶଳା ସୌମ୍ୟରଞ୍ଜନକୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଏ ନେଇ ଏସଡିଜେଏମ୍ କୋର୍ଟରେ ରିମାଣ୍ଡ ଆବେଦନ କରିବ ପୁଲିସ। ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଖୋର୍ଦ୍ଧା ରୋଡ୍ ଆରପିଏଫ୍‌ର ତନାଘନା ଆରମ୍ଭ
ଆଜି ୨ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ କରିବ ପୁଲିସ

ଅନ୍ୟପକ୍ଷରେ ରେଲଓ୍ଵେ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହରେ ଖୋର୍ଦ୍ଧା ରୋଡ୍ ଆରପିଏଫ୍ ମଧ୍ୟ ଏହି ମାମଲାର ତନାଘନା ଆରମ୍ଭ କରିଛି। ଆରପିଏଫ୍‌ର ଏକ ଗୁଇନ୍ଦା ଟିମ୍ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗକାରୀଙ୍କୁ ଭେଟି ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି। କେଉଁଠି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା, କେଉଁଠି ଅଭିଯୁକ୍ତଙ୍କୁ ଡ୍ୟୁଟି ଦିଆଯାଇଥିଲା, କେମିତି ନିଯୁକ୍ତିପତ୍ର ଦିଆଯାଇଥିଲା, ସେ ସମ୍ପର୍କରେ ଜାଣିବାକୁ ଚାହିଁଛି। ସେହିପରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ ଆରପିଏଫ୍ ଟିମ୍ ମଧ୍ୟ ସେମାନଙ୍କୁ ପଚରାଉଚରା କରିବ ବୋଲି ଅନୁମାନ କରାଯାଉଛି। ଠକ ଶଳା-ଭିଣୋଇ ଗିରଫ ହେବା ପରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ଏକ ଟିମ୍ ଥାନାକୁ ଯାଇ ସେମାନଙ୍କୁ ପଚରାଉଚରା କରିଥିଲା। ସେମାନେ ରେଲଓ୍ଵେ କର୍ମଚାରୀ ନୁହନ୍ତି ବୋଲି କୁହାଯାଇଥିଲା। ଏବେ ଏହି ରାକେଟ୍‌ର ରେଳ ଅଧିକାରୀଙ୍କ ସମ୍ପୃକ୍ତି ସନ୍ଦେହକୁ ଗମ୍ଭୀରତାର ସହ ନେଇ ପୂର୍ବତଟ ରେଳପଥ ପକ୍ଷରୁ ତଦନ୍ତ କରାଯିବ କି ବୋଲି ପ୍ରଶ୍ନ ଉଠିଛି।

କେଉଁଠି ତିଆରି ହୋଇଥିଲା ଜାଲ୍ ନିଯୁକ୍ତିପତ୍ର
ଠକେଇ ପଛରେ ରହିଛି ବିରାଟ ରାକେଟ୍। ଚାକିରି ପାଇଁ ଟଙ୍କା ଆଦାୟ ଆରମ୍ଭ ଠାରୁ ଡ୍ୟୁଟି ଦିଆଯିବା ପର୍ଯ୍ୟନ୍ତ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ରେଲଓ୍ଵେ ଲୋଗୋ ଥିବା ଜାଲ୍ ନିଯୁକ୍ତିପତ୍ର, ମେଡିକାଲ ସାର୍ଟିଫିକେଟ୍, ପରିଚୟପତ୍ର କେଉଁଠି ତିଆରି ହୋଇଥିଲା? ଏହାକୁ କିଏ ତିଆରି କରିଥିଲା? ରାଜଧାନୀର କୌଣସି କମ୍ପ୍ୟୁଟର ସେଣ୍ଟରରେ ଏହା ତିଆରି ହୋଇଥିଲା କି? ଏଯାଏ ଏସବୁର ଟେର୍ ମଧ୍ୟ ପୁଲିସ ପାଇ ପାରି ନାହିଁ। ଦୁଇ ଅଭିଯୁକ୍ତ ରିମାଣ୍ଡରେ ଆସିବା ପରେ ଏ ସବୁର ଗୁମର ଖୋଲିବ ବୋଲି ପୁଲିସ ଆଶା ରଖିଛି।
୪ ବର୍ଷ ତଳେ ଗିରଫ ହୋଇଥିଲେ ରେଲଓ୍ଵେ କର୍ମଚାରୀ
୨୦୧୭ରେ ରେଲଓ୍ଵେ ଚାକିରି ନାଁରେ ଠକେଇ ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ହାତରେ ଧରା ପଡ଼ିଥିଲା ଏକ ବଡ଼ଧରଣର ରାକେଟ୍। ଏହି ରାକେଟ୍‌ରେ ରେଲଓ୍ଵେ ଇଞ୍ଜିନିୟରଠୁ ଆରମ୍ଭ କରି ଠିକା କର୍ମଚାରୀ, ଜାଲ ନିଯୁକ୍ତିପତ୍ର ତିଆରି କରିଥିବା କମ୍ପ୍ୟୁଟର ଦୋକାନୀଙ୍କୁ ଗିରଫ କରିଥିଲା ପୁଲିସ। ଠକେଇର ସମ୍ପୃକ୍ତ ପୂରା ରାକେଟର ପର୍ଦ୍ଦାଫାସ୍ ହୋଇଥିଲା।
ଷ୍ଟେଟ୍ ବ୍ୟାଙ୍କରେ ଚାକିରି ନାଁରେ ବି କରିଥିଲେ ଠକେଇ
ଠକ ଶଳା-ଭିଣୋଇଙ୍କ କାରନାମା କେବଳ ରେଲଓ୍ଵେ ଚାକିରି ଠକେଇର ସୀମିତ ହୋଇ ରହି ନାହିଁ। ଷ୍ଟେଟ୍ ବ୍ୟାଙ୍କ ପିଓ ଚାକିରି କରାଇ ଦେବାକୁ କହି ଆଶାୟୀଙ୍କ ଠାରୁ ଏମାନେ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି। ଠିକ୍ ଏହିଭଳି ଉପାୟରେ ଚାକିରି ଆଶାୟୀଙ୍କୁ ଦିଲ୍ଲୀ ପଠାଇ ଟ୍ରେନିଂ ମଧ୍ୟ ଦିଆ କରାଇଛନ୍ତି। ପୁଲିସ ହାତରେ ଧରାପଡ଼ିବା ପରେ ଠକେଇର ଶିକାର ହୋଇଥିବା ଯୁବକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ତମାଣ୍ଡୋ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।

ସମ୍ବନ୍ଧିତ ଖବର