ଲୁଟେରାଙ୍କ କବ୍‌ଜାରେ ରାଜଧାନୀ: ଲମ୍ବୁଛି ଅପରାଧ ତାଲିକା, ପୁଲିସ୍‌ ଫେଲ୍‌

ବୃଦ୍ଧାଙ୍କୁ ହତ୍ୟା ଓ ଲୁଟ୍ ମାମଲାକୁ ୪ ମାସ ବିତିଲା

ଭୁବନେଶ୍ବର: ଲୁଟେରାଙ୍କ କବ୍‌ଜାକୁ ଚାଲି ଯାଇଛି ରାଜଧାନୀ। ଏମିତି କୌଣସି ଦିନ ନାହିଁ ଯେଉଁଦିନ ରାଜଧାନୀରେ ଲୁଟ୍ କିମ୍ବା ଚୋରି ହେଉନାହିଁ। ଗୋଟିଏ ଗୋଟିଏ ଦିନରେ ଏକାଧିକ ଲୁଟ୍ ଘଟଣା ରାଜଧାନୀବାସୀଙ୍କୁ ଅତିଷ୍ଠ କରି ପକାଇଲାଣି। ଦିନକୁ ଦିନ ଏହି ଅପରାଧର ତାଲିକା ଲମ୍ବି ଚାଲିଛି। ପୁଣି ନୂଆ ନୂଆ ତରିକାରେ ହେଉଛି ଲୁଟ୍‌। ଏମିତିକି ବିଧାୟକ, ପୁଲିସ ଅଫିସରଙ୍କ ଘର ମଧ୍ୟ ବାଦ୍‌ ପଡ଼ୁନାହିଁ। ତେଣୁ ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ। ହାତଗଣତି କେତୋଟି ମାମଲାରେ ପୁଲିସ ଲୁଟେରାଙ୍କୁ ଧରୁଛି ସିନା ଅଧିକାଂଶ ମାମଲାରେ ଫେଲ୍ ମାରିଛି ପୁଲିସ। ମାସ ପରେ ମାସ ଗଡ଼ି ଚାଲୁଛି, କିନ୍ତୁ ଧରାପଡ଼ୁ ନାହାନ୍ତି ଅପରାଧୀ। ବିଧାୟକଙ୍କ କ୍ବାର୍ଟର୍ସରୁ ଚୋରି ଘଟଣା ହେଉ କିମ୍ବା ନୟାପଲ୍ଲୀରେ ବୃଦ୍ଧାଙ୍କୁ ଗଳାକାଟି ଲୁଟ୍ ଘଟଣା ହେଉ, ଏମିତି ସଂଗିନ୍ ଅପରାଧୀଙ୍କ ଟେର୍ ପାଉନି ପୁଲିସ। କେବଳ ଲୁଟ୍ କି ରାହାଜାନି ନୁହେଁ ରାଜରାସ୍ତାରେ ଅସାମାଜିକଙ୍କ ଆତଙ୍କ ମଦ୍ୟ ବଢି ଚାଲିଛି। ଦୁଇ ଦିନ ତଳେ କଟକରୋଡ୍‌ରେ ଜଣେ ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରାଯାଇଥିଲା। ସଞ୍ଜ ନଇଁଲେ ରାଜଧାନୀର ରାଜରାସ୍ତାରେ ମଦୁଆଙ୍କ ଉତ୍ପାତ ଦେଖିବାକୁ ମିଳୁଛି। ପୁଲିସର ଦୁର୍ବଳ ପାଟ୍ରୋଲିଂ ଅପରାଧୀଙ୍କୁ ସୁହାଉଛି। ତେଣୁ କମିସନରେଟ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି।

ବୃଦ୍ଧାଙ୍କୁ ହତ୍ୟା ଓ ଲୁଟ୍ ମାମଲାକୁ ୪ ମାସ ବିତିଲା
୨୦୨୦ ଜୁଲାଇ ୨୬ ତାରିଖ। ସେଦିନ ରାଜଧାନୀରେ ଦୁଇ ଦୁଇଟି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଖାରବେଳନଗର ଅଞ୍ଚଳରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ସୁନାଚେନ୍‌ ଲୁଟ୍ କରି ଫେରାର୍ ହୋଇଗଲେ। ଏହି ଘଟଣାର ମାତ୍ର କେଇ ଘଣ୍ଟା ପରେ ନୟାପଲ୍ଲୀରେ ଦୁର୍ବୃତ୍ତମାନେ ଜଣେ ବୃଦ୍ଧାଙ୍କ ଗଳା କାଟି ଲୁଟ୍ କଲେ। ଏହି ଦୁଇ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଥିଲା। ସପ୍ତାହେ ଭିତରେ ଡିଏସ୍‌ପିଙ୍କୁ ଲୁଟିଥିବା ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କଲା। ମାତ୍ର ନୟାପଲ୍ଲୀରେ ବୃଦ୍ଧା ତୁଳସୀ ଦେଇଙ୍କୁ ଗଳା କାଟି ହତ୍ୟା କରିଥିବା ଦୁର୍ବୃତ୍ତମାନଙ୍କ ଟେର୍ ପାଇଲା ନାହିଁ ପୁଲିସ। ପାଖାପାଖି ୪ ମାସ ବିତିବା ପରେ ବି ପୁଲିସ ହାତ ଖାଲି। ମାମଲାର ତଦନ୍ତଭାର ସ୍ପେଶାଲ ସ୍କ୍ବାଡ୍ ହାତକୁ ଯାଇଥିଲେ ବି ଦୁର୍ବୃତ୍ତମାନଙ୍କ ଟେର୍ ପାଉନି ପୁଲିସ।
ଦୂରେଇ ଗଲେଣି ଜନତା, ବର୍ଷେ ହେଲା ପୁଲିସ-ପବ୍ଲିକ ଇଣ୍ଟରଫେସ୍ ବନ୍ଦ
କମିସନରେଟ ପୁଲିସ ଠାରୁ ଦୂରେଇ ଗଲେଣି ଜନତା। ଧୀରେ ଧୀରେ ଲୋକଙ୍କ ସହ ସମ୍ପର୍କ ବନ୍ଦ ହେବାରେ ଲାଗିଛି। ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ନେଇ ପୁଲିସ ଯେଉଁ ବୈଠକ କରୁଥିଲା, ତାହା ବନ୍ଦ ହୋଇଯାଇଛି। କରୋନା କଟକଣା କୋହଳ ହେବା ପରେ ମଧ୍ୟ ଏହି ଇଣ୍ଟରଫେସ୍ କାର୍ଯ୍ୟକ୍ରମ କରାଯାଉନାହିଁ। ଏମିତିକି ସୋସିଆଲ୍ ମିଡିଆରେ ଭର୍ଚୁଆଲ୍‌ ବୈଠକ ମଧ୍ୟ ହେଉନାହିଁ। ଯାହାଫଳରେ ଅପରାଧୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଆଚାର୍ଯ୍ୟବିହାର ପରିଷଦର ସଦସ୍ୟ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି ଯେ ଅପରାଧୀଙ୍କୁ ଧରିବାକୁ ହେଲେ ପୁଲିସକୁ ନିଜସ୍ବ ଗୁଇନ୍ଦା ବଢାଇବାକୁ ପଡ଼ିବ। ସେହିପରି ଲୋକଙ୍କ ସହ ସମ୍ପର୍କ ମଧ୍ୟ ସୁଦୃଢ କରିବାକୁ ପଡ଼ିବ। ଲୋକଙ୍କ ସହ ସମ୍ପର୍କ କମିଲେ ଅପରାଧ ନିଶ୍ଚିତ ଭାବେ ବଢିବ। ଯେହେତୁ ଏବେ ସବୁ କିଛି ସ୍ବାଭାବିକ ଅବସ୍ଥାକୁ ଫେରିଲାଣି, ତେଣୁ ପୁଲିସ କରୋନା କଟକଣା ରକ୍ଷା କରି ସ୍ଥାନୀୟ ଲୋକଙ୍କ ସହ ବୈଠକ କରିଲେ ଏହା ଫଳପ୍ରଦ ହୋଇପାରିବ।
ପାଟ୍ରୋଲିଂ ଫେଲ୍
ଭୁବନେଶ୍ବର ସହରାଞ୍ଚଳ ପୁଲିସ ପାଇଁ ରହିଛି ୩୫ଟି ପିସିଆର ଭ୍ୟାନ୍। ପ୍ରତି ଥାନା ଅଞ୍ଚଳରେ ପ୍ରାୟ ୨ଟି ପିସିଆର ଭ୍ୟାନ୍ ରହୁଛି। ରାଜରାସ୍ତାରୁ ଲୁଟେରା ଚେନ୍, ଭ୍ୟାନିଟି ଓ ମୋବାଇଲ ଫୋନ୍ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି। କିନ୍ତୁ ଗୋଟିଏ ବି ମାମଲାରେ ପିସିଆର ଭ୍ୟାନ୍ ହାବୁଡ଼ରେ ଲୁଟେରା ପଡ଼ୁ ନାହାନ୍ତି। ରାତି କଥା ତ ଆହୁରି ସାଂଘାତିକ। ଗତ କିଛିଦିନ ତଳେ ସମ୍ବାଦ ଟିମ୍ ରାଜଧାନୀର ପ୍ରବେଶ ପଥ ସମେତ ବିଭିନ୍ନ ଅଞ୍ଚଳ ବୁଲିଥିଲା। ମାତ୍ର ଗୋଟିଏ ଦୁଇଟି ସ୍ଥାନରେ ପିସିଆର ଭ୍ୟାନ ଉପସ୍ଥିତିକୁ ଛାଡ଼ି ଦେଲେ ଆଉ କେଉଁଠି ଦେଖିବାକୁ ମିଳି ନ ଥିଲା। ଲୁଟେରାଙ୍କୁ ଧରିବା କମିସନରେଟ ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହୋଇ ପଡ଼ିଛି।
୭ ଥାନାକୁ ଟାର୍ଗେଟ୍‌
୭ଟି ଥାନା ଇଲାକାକୁ ଟାର୍ଗେଟ କରିଛନ୍ତି ଲୁଟେରା। ସେଗୁଡିକ ହେଲା କ୍ୟାପିଟାଲ, ଖାରବେଳନଗର, ସହିଦନଗର, ମଞ୍ଚେଶ୍ବର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ଖଣ୍ଡଗିରି। ଏହି ସବୁ ଅଞ୍ଚଳରେ ଲୁଟେରା ସକ୍ରିୟ ଅଛନ୍ତି। ପୁଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଲୁଟପାଟ କରୁଛନ୍ତି। ଶତାଧିକ ଲୁଟ୍ ମାମଲାରେ ପୁଲିସ ହାତ ଖାଲି ରହିଛି। ଏହି ଅଞ୍ଚଳରେ ଲୁଟେରାଙ୍କୁ କାବୁ କରିବାରେ ଫେଲ୍ ମାରିଛି ପୁଲିସ।
କାମଚଳାରେ ଚାଲିଛି ଦୁଇ ଥାନା
ରାଜଧାନୀର ଦୁଇଟି ଥାନାରେ ନାହାନ୍ତି ଆଇଆଇସି। ଗୋଟିଏ ହେଲା ଇନଫୋସିଟି ଓ ଅନ୍ୟଟି ମଞ୍ଚେଶ୍ବର। ଲକଡାଉନରେ ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ତତ୍କାଳୀନ ଇନଫୋସିଟି ଥାନା ଆଇଆଇସି ବିଶ୍ବଜିତ ମହାନ୍ତିଙ୍କୁ ଗତ ସେପ୍ଟେମ୍ବରରେ କୋରାପୁଟକୁ ବଦଳି କରାଯାଇଥିଲା। ଇନ୍ସପେକ୍ଟର ବଦଳିକୁ ପ୍ରାୟ ତିନି ମାସ ହୋଇଗଲାଣି। କିନ୍ତୁ ଖାଲି ପଡ଼ିଛି ସ୍ଥାୟୀ ଆଇଆଇସି ପଦ। ସେହିପରି ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ମଞ୍ଚେଶ୍ବର ଥାନାର ତତ୍କାଳୀନ ଆଇଆଇସି ଯତୀନ୍ଦ୍ରନାଥ ସେଠୀଙ୍କୁ ହଟାଇ ଦିଆଯାଇଥିଲା। ପ୍ରାୟ ଦୁଇ ମାସ ହେଲା ଏହି ପଦ ମଧ୍ୟ ଖାଲି ଅଛି। ନିକଟରେ ଏହି ଦୁଇ ଥାନା ଅଞ୍ଚଳରେ ଗୋଟିଏ ବ୍ୟାଙ୍କ ଓ ଏଟିଏମ୍ ଲୁଟ୍ ଘଟଣା ଘଟିଛି। ସେପ୍ଟେମ୍ବର ୨୮ରେ ମଞ୍ଚେଶ୍ବର ଥାନା ବରିମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୯ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ସେହିପରି ଅକ୍ଟୋବର ୧୧ ତାରିଖରେ ଇନଫୋସିଟି ଥାନା ଅଧୀନ ପଟିଆ ନିକଟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ମେସିନ୍ କାଟି ଲୁଟେରା ୨୮ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହି ଦୁଇ ଥାନା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ କାମଚଳା ଭାବେ ଚାଲିଛି।

ପର୍ଦ୍ଦାଫାସ୍ ହୋଇପାରି ନ ଥିବା କେତୋଟି ମାମଲା
ହଂସପାଳ ଅଟଳାରେ ମେଡିସିନ୍ ଦୋକାନୀ ପ୍ରସନ୍ନ ଦାସଙ୍କୁ ଦୋକାନ ଭିତରେ ଆକ୍ରମଣ କରି ୭୦ ହଜାର ଟଙ୍କା ଲୁଟ୍
କ୍ୟାପିଟାଲ ହସ୍ପିଟାଲରେ ସହିଦନଗର ପୁଲିସକୁ ଧକ୍କା ଦେଇ ଠକେଇ ଅଭିଯୁକ୍ତ ଫେରାର
କ୍ୟାପିଟାଲ ଥାନା ଅଞ୍ଚଳରେ ବିଧାୟକ ମୋହନ ମାଝୀଙ୍କ କ୍ବାର୍ଟର୍ସରୁ ଚୋରି
ବାଲିଅନ୍ତା ଥାନା ବେଣ୍ଟପୁର ଦିଵାନାପାଟଣା ରାସ୍ତାରେ ଦୁଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ୨.୨୦ ଲକ୍ଷ ଟଙ୍କା ଲୁଟ୍
ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଶ୍ରମିକ ବୁଦ୍ଧରାମ ସିଂଙ୍କୁ ହତ୍ୟା

ସମ୍ବନ୍ଧିତ ଖବର