ନିର୍ବାଚନ ମୁଡ୍‌ରେ ରାଜଧାନୀ, ଶେଷ ଦିନରେ ୨୩୭

ସରିଲା ପ୍ରାର୍ଥିପତ୍ର ଦାଖଲ, ମୋଟ୍‌ ୩୭୨ ପ୍ରାର୍ଥିପତ୍ର ଦାଖଲ ହେଲା, ଆଜି ଯାଞ୍ଚ୍‌

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ଅବଧି ଶେଷ ହୋଇଛି। ଶେଷ ଦିନରେ ମେୟର ପଦ ପାଇଁ ୭ ଓ କର୍ପୋରେଟର ପଦ ପାଇଁ ୨୩୦ ଜଣ ନାମାଙ୍କନ କରିଛନ୍ତି। ଏହି ଆବେଦନକୁ ମିଶାଇ ମେୟର ପଦ ପାଇଁ ମୋଟ୍‌ ୧୨ଟି ଓ କର୍ପୋରେଟର ପଦ ପାଇଁ ୩୬୦ ଆବେଦନ ହୋଇଛି। ଏହି ସବୁ ଆବେଦନଗୁଡ଼ିକ ଆସନ୍ତାକାଲି ଯାଞ୍ଚ କରାଯିବ। ୯ ତାରିଖ ଦିନ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ସୁଯୋଗ ରହିବ। ସେହିଦିନ ଅପରାହ୍ନ ୫ଟା ଭିତରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।

ଶୋଭାଯାତ୍ରାରେ ଉଠିଲା ପଡ଼ିଲା ରାଜଧାନୀ

ପ୍ରାର୍ଥିପତ୍ର ଦାଖଲ ପାଇଁ ଶେଷ ଦିନରେ ଆଜି ପ୍ରବଳ ଗହଳି ହୋଇଥିଲା। ୭ ମେୟରଙ୍କ ସମେତ ପ୍ରମୁଖ ଦଳମାନଙ୍କର କର୍ପୋରେଟର ପଦ ପାଇଁ ଦିନ ତମାମ୍‌ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଜାମ୍‌ ରହିଥିଲା। ସକାଳ ୧୦ଟାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା। ରାଜଧାନୀର ବିଭିନ୍ନ ସ୍ଥାନରୁ ବିଶାଳ ଶୋଭାଯାତ୍ରାରେ ପ୍ରାର୍ଥୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଆଜି ସବୁ ଦଳର ଅର୍ଦ୍ଧାଧିକ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରୁଥିବାରୁ ସାରା ସହରରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ରାସ୍ତା ଯାଏ ନାରାବାଜିରେ ଫାଟି ପଡ଼ୁଥିଲା। ନିର୍ବାଚନ ପୂର୍ବରୁ ଏହା ପ୍ରଚାରର ପ୍ରଥମ ସୋପାନ ହୋଇଥିବାରୁ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ସମସ୍ତେ ଅଣ୍ଟା ଭିଡ଼ିଥିଲେ। ପ୍ରାର୍ଥୀମାନେ ନିଜ ନିଜ ୱାର୍ଡର ଗଳିକନ୍ଦିରେ ଶୋଭାଯାତ୍ରାରେ ବୁଲିବା ପରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସୁଥିଲେ। ଫଳରେ ଆଜି ପୂର୍ବାହ୍ନରେ ସହରର ବିଭିନ୍ନ ମୁଖ୍ୟ ରାସ୍ତାରେ ମଧ୍ୟ ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଥିଲା। ଆଜି ପ୍ରାର୍ଥିପତ୍ର ଦାଖଲ ପରେ ପ‌ରେ ହଁ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହା ସହ ପୂରା ରାଜଧାନୀ ଏବେ ନିର୍ବାଚନ ମୁଡ୍‌ରେ।

ପୂର୍ବରୁ କଂଗ୍ରେସ ପକ୍ଷରୁ ମେୟର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିସାରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ ଓ ବି‌ଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହା ବାଦ୍‌ ପିବିଆଇରୁ ରାଜଶ୍ରୀ ବିଶ୍ବାଳ, ବିଏସ୍‌ପିରୁ ସଂଯୁକ୍ତା ଜେନା, ଏଫ୍‌ଟିପିରୁ ସ୍ବପ୍ନା ବିଜୟିନୀ, କଳିଙ୍ଗ ସେନାରୁ ସ୍ମିତା ମିଶ୍ର ପ୍ରମୁଖଙ୍କ ସମେତ ଆଜି ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗତକାଲି ସୁଦ୍ଧା ଦାଖଲ କରିଥିବା ୫ ଜଣଙ୍କୁ ମିଶାଇ ମେୟର ପଦବି ପାଇଁ ମୋଟ ୧୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଏହି ଦାଖଲ ପ୍ରକ୍ରିୟାକୁ ପରିଚାଳନା କରିଥିବା ବେଳେ ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ କେନ୍ଦ୍ର ପରିଦର୍ଶନ କରିଥିଲେ। ଜନଗହଳିକୁ ଦୃଷ୍ଟିରେ ରଖି ମନୋନୟନ କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସବୁ ଠପ୍‌

ଆଜି ଗୋଟିଏ ଦିନରେ ୨୩୭ ନାମାଙ୍କନ ପତ୍ର ଦାଖଲ ହେଲା। ସେଥିରେ ଶାସକଦଳ ପ୍ରାର୍ଥୀମାନଙ୍କର ଶୋଭାଯାତ୍ରା ସବୁଠାରୁ ବେଶି ଲମ୍ବା ଥିଲା। ମେୟର ପ୍ରାର୍ଥୀଙ୍କ ଶୋଭାଯାତ୍ରା ଡିଏଭି ସ୍କୁଲ ପାଖରୁ ବାହାରିଥିବା ବେଳେ ଅନ୍ୟ କର୍ପୋରେଟରଙ୍କ ବିଭିନ୍ନ ଛକରୁ ବାହାରିଥିଲା। ଫଳରେ ପାୱାର ହାଉସ୍‌ ଛକ ଟ୍ରାଫିକ୍‌ରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏକ ସମୟରେ ୩ରୁ ୪ ଶୋଭାଯାତ୍ରା ପାଇଁ ସବୁ ଠପ୍‌ ହୋଇ ଯାଇଥିଲା। ପାୱାର ହାଉସ୍‌ଛକରୁ ଲୋକସେବା ଭବନ ଆଡ଼କୁ ଆସିବା ରାସ୍ତା ଜାମ୍‌ ଥିଲା। ଖାରବେଳ ଭବନ ପଛ ଦେଇ ଲୋକସେବା ଭବନ ଆଡ଼କୁ ଆସିବା ରାସ୍ତା ମଧ୍ୟ ଜାମ୍‌ ହୋଇ ଯାଇଥିଲା। ଗୋଟିଏ ପଟେ ବିଜେଡି ଶୋଭାଯାତ୍ରାରେ ଗୀତ, ଆଉ ଗୋଟିଏ ପଟେ କଂଗ୍ରେସ ଶୋଭାଯାତ୍ରାରେ ଗୀତ ପୂରା ରାଜଧାନୀର ନିର୍ବାଚନୀ ପରିବେଶକୁ ସରଗରମ କରିଦେଇଥିଲା। ରାସ୍ତାରେ ‌ଲଗାତାର ଶୋଭାଯାତ୍ରା ଯାଉଥିବାରୁ ସାଧାରଣ ଲୋକ ଅକଥନୀୟ ଟ୍ରାଫିକ୍‌ ଯନ୍ତ୍ରଣାର ଶିକାର ହୋଇଥିଲେ।

ବିଜେଡି ନେତାଙ୍କ ଭିଡ଼, ବିଜେପିରେ ନେତା ମରୁଡ଼ି

ଆଜି ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଡିଏଭି ସ୍କୁଲ ଛକରୁ ଏକ ବି‌ରାଟ ଶୋଭାଯାତ୍ରାରେ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ। ତାଙ୍କ ସହିତ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏବଂ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ। କିଛି କର୍ପୋରେଟର୍‌ ପ୍ରାର୍ଥୀ ମଧ୍ୟ ତାଙ୍କ ସହ ସହ ସାମିଲ ହୋଇଥିଲେ। କିନ୍ତୁ ବିଜେପି ପକ୍ଷରୁ ସୁନୀତି ମୁଣ୍ଡ୍‌ ପ୍ରାର୍ଥିପତ୍ର ଦାଖଲ ବେଳେ କୌଣସି ବଡ଼ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। କେବଳ ଜିଲ୍ଲା ସଭାପତି ବାବୁ ସିଂହ ତାଙ୍କ ସହ ଉପସ୍ଥିତ ଥିଲେ। ନା ସାଂସଦ ଅପରାଜିତା ଷଡ଼ଙ୍ଗୀ ଆସିଥିଲେ ନା ଅନ୍ୟ କୌଣସି ବରିଷ୍ଠ ନେତା।

ଧାଡ଼ିରେ ଛିଡ଼ା ହେଲେ ପ୍ରାର୍ଥୀ

ଜଣେ ଜଣେ ପ୍ରାର୍ଥୀ ଏକାଧିକ ନାମାଙ୍କନ ପତ୍ର ଦାଖଲ କରୁଥିଲେ। ସେହି ଅନୁସାରେ ପ୍ରସ୍ତାବକଙ୍କ ସଂଖ୍ୟା ବଢ଼ୁଥିଲା। ଏଣୁ ପ୍ରବଳ ଗହଳି ହେବାରୁ ପ୍ରାର୍ଥୀମାନଙ୍କୁ ପୁଲିସ ଡହ ଡହ ଖରାରେ ଧାଡ଼ିରେ ଛିଡ଼ା କରାଇଥିଲା। ପ୍ରସ୍ତାବକମାନଙ୍କୁ ବାହାରକୁ ବାହାର କରିଦେଇଥିଲା। ପ୍ରାର୍ଥୀ ପ୍ରବେଶ କରିବା ପରେ ପ୍ରସ୍ତାବକଙ୍କୁ ମାଇକ୍‌ ଯୋଗେ ଡକା ଯାଉଥଲା।

ବିଧାୟକଙ୍କୁ ଚିହ୍ନିପାରିଲେନି ପୁଲିସ

ବିଜେଡି ମେୟର ପ୍ରାର୍ଥୀଙ୍କ ସହ ତିନି ବିଧାୟକ ରହିଥିଲେ। ସୁଶାନ୍ତ ରାଉତ ମାସ୍କ ପିନ୍ଧିଥିଲେ। ଏଣୁ ସେଠାରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ଚିହ୍ନି ନ ପାରିବାରୁ ଛାଡ଼ି ନଥିଲେ। ଫଳରେ ଫାଟକ ପାଖରେ ପୁଲିସ ସହ ଅନ୍ୟ ଦୁଇ ବିଧାୟକଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ବିଧାୟକଙ୍କୁ ଛାଡ଼ିଥିଲା।

ମୁଁ ସ୍ବାଧୀନ, ମୋ ନେତା ନବୀନ

୭ନମ୍ବର ୱାର୍ଡରୁ ଗତ ଥର ବିଜେଡି ଟିକେଟ୍‌ରେ କର୍ପୋରେଟର ଭାବେ ଜିତିଥିଲେ ସ୍ବର୍ଣ୍ଣପ୍ରଭା ରାୟ। ଏଥର ତାଙ୍କୁ ଟିକେଟ୍‌ ଦେବା ପାଇଁ ପ୍ରତିଶ୍ରୁତି ମିଳିଲା। ଶେଷ ପର୍ଯ୍ୟନ୍ତ ନେତା ଝୁଲାଇ ରଖିଲେ। ହେଲେ ଟିକେଟ୍‌ ଦେଲେନି। ଆଜି ସେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ। କହିଲେ ‘ମୁଁ ସ୍ୱାଧୀନ, ମୋ ନେତା ନବୀନ।’

ସମ୍ବନ୍ଧିତ ଖବର