ଭୁବନେଶ୍ବର : ନିଶା ପାଇଁ ଅଶାନ୍ତ ହେଉଛି ରାଜଧାନୀ। କେତେବେଳେ ଦିନ ଦି’ ପହରରେ ରାଜରାସ୍ତାରେ ମୁଣ୍ଡ ଗଡ଼ୁଛି ତ ଆଉ କେତେବେଳେ ନିଶାଡ଼ି ସ୍ବାମୀ ହାତରେ ପରିବାର ଉଜୁଡ଼ି ଯାଉଛି। ଗତ କିଛିବର୍ଷ ହେଲା ନିୟମିତ ବ୍ୟବଧାନରେ ରାଜଧାନୀରେ ଏହିଭଳି ଗୋଟିକ ପରେ ଗୋଟିଏ ଅଘଟଣ ଦେଖିବାକୁ ମିଳୁଛି। ଅପରପଟେ କମିସନରେଟ୍ ପୁଲିସର ତଥ୍ୟ ମଧ୍ୟ ସମାନ କଥା ବ୍ୟକ୍ତ କରୁଛି। ରାଜଧାନୀରେ ଯେତେ ଛିନ୍ତାଇ, ଲୁଟ୍ ଓ ଚୋରି ହେଉଛି, ସେଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତରୁ ଅଧିକ ମାମଲାରେ ଲୁଟେରାମାନେ ନିଶା ଖାଇବା ପାଇଁ ଅପରାଧ ଘଟାଉଥିବା ଜଣାପଡ଼ୁଛି। ଏପରିକି ଚଳିତବର୍ଷ ରାଜଧାନୀରେ ମାତ୍ର ୬ମାସ ମଧ୍ୟରେ ନିଶା ଖାଇବାକୁ କେନ୍ଦ୍ର କରି ୪ଟି ମୁଣ୍ଡ ଗଡ଼ିସାରିଲାଣି। ଏହା ସହିତ ନିଶା ଖାଇବା ଓ ବ୍ୟବସାୟକୁ ନେଇ ମଧ୍ୟ ଏକାଧିକ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିସାରିଛି।
/sambad/media/post_attachments/wp-content/uploads/2022/01/murder-knif-300x176.jpg)
କେତେକ ପ୍ରମୁଖ ଘଟଣା
୧ଜାନୁଆରି: ଜିରୋ ନାଇଟ୍ରେ ସୁନ୍ଦରପଦାସ୍ଥିତ ହଜ ନିକଟରେ କପିଳେଶ୍ବର ଓ ସୁନ୍ଦରପଦାର କିଛି ଯୁବକ ସେଲିବ୍ରେସନ୍ କରିଥିଲେ। ନିଶାସକ୍ତ ଅବସ୍ଥାରେ ଡିଜେ ବଜାଇ ନାଚୁଥିବା ୨ ଗୋଷ୍ଠୀ ପରସ୍ପରକୁ କମେଣ୍ଟ୍ ମାରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ମାତ୍ର ପରେ ନିଜ ମଧ୍ୟରେ ସମାଧାନ କରି ଘଟଣାସ୍ଥଳରୁ ଫେରି ଯାଇଥିଲେ। ପରେ ଭିକି ମଲିଆ ଗୋଷ୍ଠୀ ମାରଣାସ୍ତ୍ର ଆଣି ହଜ ନିକଟରେ ଉତ୍ପାତ କରିଥିଲେ। ହଜ ସୁରକ୍ଷା ଦାୟିତ୍ବରେ ଥିବା ଦୀପକ ରାଉତରାୟ ଏହାକୁ ବିରୋଧ କରିବାରୁ ତାଙ୍କୁ ଖଣ୍ଡାରେ ହାଣିବା ସହ ତାଙ୍କ ପାଟିରେ ଗୁପ୍ତି ପୂରାଇ ହତ୍ୟା କରିଥିଲେ।
୧୮ଜାନୁଆରି: ବଡ଼ଗଡ଼ ଥାନା ଅଧୀନସ୍ଥ କଳିଙ୍ଗ ବସ୍ତିରେ ସୈତାନ ପୁଅ ଜନ୍ମଦାତ୍ରୀ ମା’ କୁ ହତ୍ୟା କରିଥିଲା। ମା’ ରଶ୍ମିତା ଜେନାଙ୍କ ସାନପୁଅ ପ୍ରଶାନ୍ତ ତାଙ୍କୁ ନିଶା ଖାଇବାକୁ ଟଙ୍କା ମାଗିଥିଲା। ରଶ୍ମିତା ଟଙ୍କା ଦେଇ ନପାରିବାରୁ ପ୍ରଶାନ୍ତ ତାଙ୍କୁ ଏକ ଲୁହା ରଡ୍ରେ ପିଟିପିଟି ହତ୍ୟା କରିବା ପରେ ଲୁଗାପଟା ଘୋଡ଼ାଇ ନିଆଁ ଲଗାଇଦେଇଥିଲା। ଘର ଜଳିବା ଦେଖି ବସ୍ତିବାସିନ୍ଦାଙ୍କ ଠାରୁ ଖବର ପାଇ କମିସନରେଟ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରିବା ସହିତ ପ୍ରଶାନ୍ତକୁ ଗିରଫ କରିଥିଲା।
୨୪ଏପ୍ରିଲ: ଭୁବନେଶ୍ବର ରେଳଷ୍ଟେସନ୍ ପରିସରରେ ୨ଜଣ ଯୁବକ ମହମ୍ମଦ ଆଲାମ ଓ ଶଙ୍କର ପାଣ୍ଡେ ନିଶା ଖାଇବା ସମୟରେ ନିଶାକୁ ନେଇ ଭାଗବଣ୍ଟା ଛିଡ଼ିନଥିଲା। ଫଳରେ ଶଙ୍କର ଓ ଆଲାମ ମଧ୍ୟରେ ବଚସା ହୋଇଥିଲା। ଉତ୍କ୍ଷିପ୍ତ ହୋଇ ଶଙ୍କର ନିସ୍ତୁକ ମାଡ଼ମାରି ଆଲାମକୁ ଦରମରା କରିପକାଇଥିଲା। ଏହା ପରେ ଏକ ରଡ୍ରେ ଛାତିକୁ ପିଟିଦେବାରୁ ଆଲାମର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପରେ ଜିଆର୍ପି ଘଟଣାର ତଦନ୍ତ କରି ଶଙ୍କରକୁ ଗିରଫ କରିଥିଲା।
୯ଜୁନ: ନିଶା ଖାଇବାକୁ ପତ୍ନୀ ବିରୋଧ କରିବାରୁ ଜହ୍ଲାଦ ସ୍ବାମୀ ଛୁରିରେ ପତ୍ନୀକୁ ଗୋଡ଼ାଇ ଗୋଡ଼ାଇ ବୀଭତ୍ସ ଭାବେ ହତ୍ୟା କଲା। ଏପରିକି ବଡ଼ଝିଅ ମା’ ମରିବାକୁ ନେଇ ପ୍ରତିବାଦ କରିବାରୁ ତା’ ବେକକୁ କାଟି ତାକୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କ ଶବ ଜବତ କରିବା ସହ ହତ୍ୟାକାରୀ ସ୍ବାମୀ ସଞ୍ଜିତ ଦାଶକୁ ଗିରଫ କରିଥିଲା।