ଶୁକ୍ରବାର ଆଷାଢ଼ ଶୁକ୍ଳ ଦ୍ବିତୀୟା। ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ‌ବରଷକୁ ଥରେ ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କୋଟି କୈବେଲ୍ୟନାଥ କାଳିଆ ସାଆନ୍ତ। ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ଜନ୍ମବେଦିକୁ ଯାତ୍ରା କରିବେ ମହାପ୍ରଭୁ। ଏଣେ ଟାହିଆମଣ୍ଡିତ ମହାପ୍ରଭୁଙ୍କୁ ଟିକେ ଦେଖିବାକୁ ଆତୁର ଭକତ। ମହାପ୍ରଭୁ ଆସିବେ ବୋଲି ଅପେକ୍ଷାରତ ତିନିରଥ। ବ୍ୟାକୁଳ ଭକ୍ତ। ମହାପ୍ରଭୁଙ୍କ ଏହି ନବଦିନାତ୍ମକ ମାନବୀୟ ଲୀଳା ସଂଦର୍ଶନ କରିବାକୁ ଜଗନ୍ନାଥଧାମକୁ ଧାଇଁ ଆସୁଛନ୍ତି ଭକ୍ତ। ଏଥିପାଇଁ  ଚଳଚଞ୍ଚଳ ନୀଳାଚଳ, ଉତ୍ସବମୁଖର ଗାଁରୁ ସହର, ରାଜଧାନୀ ଭୁବନେଶ୍ବର।

Advertisment

ଭୁବନେଶ୍ବର: ଦେବସ୍ନାନ ପୂଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଅଣସର ଘରେ ଜ୍ବରରେ କମ୍ପୁଥିଲେ କଳାସାଆନ୍ତେ। ଶେଷରେ ଫୁଲୁରି ତେଲ, ଦଶମୂଳ ମୋଦକ ଲାଗି  ଓ ରାଜବୈଦ୍ୟଙ୍କ ସେବାରେ ସୁସ୍ଥ ହୋଇଛନ୍ତି। ୧୫ ଦିନର ପ୍ରତୀକ୍ଷା ପରେ ଆଜି ରାଜଧାନୀରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ନବଯୌବନ ବେଶରେ ଦର୍ଶନ ‌ଦେଇଛନ୍ତି ମହାପ୍ରଭୁ। ମଙ୍ଗଳ ଆଳତି, ଅବକାଶ ନୀତି ଓ ବେଶ ପରେ ସାହାଣମେଲାରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। କେତେ ଆଶା, କେତେ ଉତ୍କଣ୍ଠା ନେଇ ରାଜଧାନୀବାସୀ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ପାଇଁ ଆଜି ସକାଳୁ ରାଜଧାନୀର ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ଏଥିସହ ପୁରୀ ଶ୍ରୀମନ୍ଦିର ପରି ଭୁବନେଶ୍ବର ଜଗନ୍ନାଥ ମନ୍ଦିରମାନଙ୍କରେ ମଧ୍ୟ ପାଳିତ ହୋଇଛି ନେତ୍ରୋତ୍ସବ। ଇସ୍କନ ମନ୍ଦିରରେ ସକାଳ ସାଢ଼େ ୭ଟାରେ ନେତ୍ରୋତ୍ସବ ପାଳନ କରାଯାଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଇସ୍କନରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଇସ୍କନ ସମ୍ମୁଖରେ ସୁସଜ୍ଜିତ ତିନିରଥ ପ୍ରସ୍ତୁତ ହୋଇ ରହିଥିବା ବେଳେ ଶୁକ୍ରବାର ସକାଳ ୮ଟାରେ ରଥ ପ୍ରତିଷ୍ଠା, ପୂର୍ବାହ୍ନ ୧୧ଟାରେ ପହଣ୍ଡି ଓ ଛେରାପହଁରା ଅନୁଷ୍ଠିତ ହେବ। ଦିନ ୩ଟାରେ ମାଉସୀ ମା’ ଅଭିମୁଖେ ଗଡ଼ିବ ତିନିରଥ।

ୟୁନିଟ୍‌-୮ ଜଗନ୍ନାଥ ମନ୍ଦିର (ଓୟୁଏଟି)ରେ ଆଜି ସକାଳ ସାଢ଼େ ୮ଟାରେ ଠାକୁର ନବଯୌବନ ଦର୍ଶନ ଦେଇଥିଲେ। ଶୁକ୍ରବାର ମଧ୍ୟାହ୍ନ ଗୋଟାଏରେ ପହଣ୍ଡି,  ଦିନ ୩ଟା‌ରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ହେବା ନେଇ ସ୍ଥିର ହୋଇଛି। ଏଠି ସୁସଜ୍ଜିତ ଗୋଟିଏ ରଥରେ ଠାକୁର ଝାଡ଼େଶ୍ବରୀ ମନ୍ଦିରକୁ ଯିବେ। 
ସେହିପରି ତମାଣ୍ଡୋ ଜଗନ୍ନାଥ ମନ୍ଦିରରେ ସକାଳୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ମଙ୍ଗଳଆଳତି ପରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ଶତାଧିକ ଶ୍ରଦ୍ଧାଳୁ। ସିଂହଦ୍ବାରେ ତିନିରଥ ମହାପ୍ରଭୁଙ୍କ ଅପେକ୍ଷା କରିଛି। ମନ୍ଦିର ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି। ତେବେ ଶୁକ୍ରବାର ଦିନ ୨ଟାରେ ପହଣ୍ଡି ଓ ଅପରାହ୍ନ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇ ରଥ ମେଳଣପଡ଼ିଆସ୍ଥିତ ମାଉସୀ ମା’ ମନ୍ଦିରକୁ ଯିବ। ଏଠାରେ ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ଗ୍ରାମବାସୀମାନେ ଟାଣୁଥିବା ବେଳେ ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବେ।

ଖଣ୍ତଗିରି କୋଳଥିଆ ନିକଟ ଚିଦାନନ୍ଦବିହାର ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଗୁରୁବାର ସକାଳ ୫ଟାରେ ଠାକୁରଙ୍କ ଦ୍ବାରଫିଟା ପରେ ମଙ୍ଗଳଆଳତି, ଅବକାଶ, ଗରୁଡ଼ ସ୍ନାନ, ସକାଳ ସାଢ଼େ ୬ଟାରେ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିଲା। ସକାଳ ୯ଟାରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ‌ଆରମ୍ଭ ହୋଇଥିଲା। ଶୁକ୍ରବାର ରଥ ପ୍ରତିଷ୍ଠା ପରେ ସେନାପଟା ଲାଗି ହେବ। ଦିନ ୧୨ଟାରେ ଠାକୁରଙ୍କ ପହଣ୍ଡି ଓ ସାଢ଼େ ୩ରୁ ରଥ ଟଣା ଆରମ୍ଭ ହେବ। ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିଛନ୍ତି। ଶୁକ୍ରବାର ସାଢ଼େ ୮ଟାରେ ରଥ ପ୍ରତିଷ୍ଠା ପରେ ସକାଳ ୧୦ରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ଦିନ ୨ଟାରେ ଛେରାପହଁରା ଓ ୩ ଟାରେ ରଥଟଣା ଆରମ୍ଭ ହେବ।

ଶ୍ରୀବାଣୀକ୍ଷେତ୍ରରେ ପ୍ରସ୍ତୁତି ଚୂଡ଼ାନ୍ତ
ରଥଯାତ୍ରା ପାଇଁ ଚନ୍ଦ୍ରଶେଖରପୁର ଅଞ୍ଚଳର କିସ୍ ଶ୍ରୀବାଣୀକ୍ଷେତ୍ର, ପଟିଆ, ଶୈଳଶ୍ରୀବିହାର, ବିଡିଏ କଲୋନି, ହାଉସିଂବୋର୍ଡ, ଆର୍‌ସିଏମ୍‌, ରେଳବିହାର, ଗାଡ଼କଣ, ରଙ୍ଗମାଟିଆ, ରେଲୱେ କଲୋନି ଓ ଭିଏସ୍‌ଏସ୍‌ନଗରରେ ରଥଯାତ୍ରା ପ୍ରସ୍ତୁତି ଶେଷ ହୋଇଛି। ପଟିଆରେ ଆଜି ଦିନ ୧୦ଟାରେ ଠାକୁରଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା। ଗ୍ରାମବାସୀମାନେ ଆନନ୍ଦଉଲ୍ଲାସରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଏଠାରେ ପାଖାପାଖି ୪୦ ଫୁଟର ରଥ ନିର୍ମାଣ କରାଯାଇଛି। ଯାହାକୁ ପଟିଆଗଡ଼ ପରମ୍ପରା ଅନୁଯାୟୀ ଗ୍ରାମର ରାଜ ପରିବାରର ସଦସ୍ୟ ଛେରାପହଁରା କରିବେ। ରଥଯାତ୍ରା ପାଇଁ ଆଜି ଗ୍ରାମର ମୁଖ୍ୟ ରାସ୍ତାରେ ଥିବା ବିଭିନ୍ନ ଖାଲଖମା ରାସ୍ତାକୁ ମରାମତି କରାଯାଇଛି। ଶୁକ୍ରବାର ଅପରାହ୍ନ ୪ଟାରେ ରଥଟଣା ନେଇ ନିର୍ଘଣ୍ଟ ହୋଇଛି। କିସ୍‌ ଶ୍ରୀବାଣୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି ପରେ ସକାଳ ପ୍ରାୟ ସାଢ଼େ ୯ଟାରେ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ହୋଇଥିଲା। ଧାଡ଼ି ବାନ୍ଧି ହଜାର ହଜାର ଶ୍ରଦ୍ଧାଳୁ ଆଜି ଏଠାରେ ଦାରୁଦିଅଁଙ୍କ ଦର୍ଶନ କରିଥିଲେ। 

ଆସନ୍ତାକାଲି ସକାଳ ୮ଟାରେ ଠାକୁରଙ୍କ ପହଣ୍ଡି ହେବ। ପୁରୀ ଭଳି ଏଠାରେ ମଧ୍ୟ ସମସ୍ତ ନୀତି ନିୟମକୁ ମାନି ରଥ ନିର୍ମାଣ ହୋଇଛି। ନନ୍ଦିଘୋଷରେ ୧୬, ତାଳଧ୍ବଜରେ ୧୪ ଓ ଦେବଦଳନ ରଥରେ ୧୨ଟି ଚକ ରହିଛି। ମା’ ସୁଭଦ୍ରାଙ୍କ ରଥକୁ ଏଠାରେ କେବଳ ମହିଳାମାନେ ଟାଣିବେ। ଆଜି ଏନେଇ କିଟ୍‍ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଡ. ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ମହାପ୍ରଭୁଙ୍କ ପହଣ୍ଡିଠାରୁ ଆରମ୍ଭ କରି ଛେରାପହଁରା, ରଥଟଣା ପର୍ଯ୍ୟନ୍ତ ସମସ୍ତ ରୀତିନୀତି ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ ଡ. ସାମନ୍ତ ପରାମର୍ଶ ଦେଇଥିଲେ। ଶୁକ୍ରବାର ସକାଳ ୧୦ଟାରେ ପହଣ୍ଡି, ଅପରାହ୍ଣ ୩ଟାରେ ଛେରାପହଁରା ନୀତି ସମାପନ କରାଯାଇ ୪ଟାରେ ରଥଟଣା ଆରମ୍ଭ ହେବ।