ଭୁବନେଶ୍ବର: ବାଲେଶ୍ବର ଏଫ୍ଏମ୍ କଲେଜ୍ ଛାତ୍ରୀ ଆତ୍ମାହୁତି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ନ୍ୟାୟିକ ତଦନ୍ତ ଦାବିରେ ଆଜି କଂଗ୍ରେସ ଓ ମିଳିତ ବିରୋଧୀ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଏହିକ୍ରମରେ ରାଜଧାନୀରେ ଏହାର ବେଶ୍ ପ୍ରଭାବ ଦେଖିବାକୁ ମିଳିଥିଲା। ଗୁରୁବାର ସକାଳ ୬ଟାରୁ କଂଗ୍ରେସ ଓ ମିଳିତ ବିରୋଧୀ ସମର୍ଥକ ପଦଯାତ୍ରା, ବାଇକ୍ ଶୋଭାଯାତ୍ରାରେ ବାହାରି ଜାତୀୟ ରାଜପଥଠାରୁ ଆରମ୍ଭ କରି ରେଳଷ୍ଟେସନ୍, ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ସବୁଠି ପହଞ୍ଚି ଧାରଣା ଦେବା ସହ ସରକାରଙ୍କ ବିରୋଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେଉଁଠି ରାସ୍ତାରେ ବସି ଧାରଣା ଦେଇଥିଲେ ତ କେଉଁଠି ଜାତୀୟ ରାଜପଥରେ ରଶି ବାନ୍ଧି ଅବରୋଧ କରିଥିଲେ। ଯେଉଁଥିପାଇଁ ସବୁଠି ଗାଡ଼ିର ଲମ୍ବାଧାଡ଼ି ଲାଗିଥିଲା। ସେମିତି ରାଜଧାନୀର ମଲ୍ଠାରୁ ଆରମ୍ଭ କରି ଦୋକାନବଜାର, ସୋରୁମ୍, ଏମିତିକି ରାସ୍ତାକଡ଼ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ଯଦିଓ କଂଗ୍ରେସ କର୍ମୀ ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଜରୁରୀକଳୀନ ସେବା ପାଇଁ ସ୍ବତନ୍ତ୍ର କରିଡର୍ ବ୍ୟବସ୍ଥା କରୁଥିଲେ, ତଥାପି କେତେକ ସ୍ଥାନରେ ଆମ୍ବୁଲାନ୍ସ ଫସିଥିଲା।
କିଛି ସ୍ଥାନରେ ଲୋକମାନେ ଏହାକୁ ବିରୋଧ କରି ନିଜ ଅଫିସ୍, କର୍ମସ୍ଥଳୀକୁ ଯିବା ପାଇଁ ଚାହିଥିଲେ। ହେଲେ କଂଗ୍ରେସ କର୍ମୀ ସେମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ବନ୍ଦରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଏହାସତ୍ତ୍ବେ କେତେକ ସ୍ଥାନରେ ଲୋକମାନେ ନମାନିବାରୁ ସେଠାରେ ଆନ୍ଦୋଳନକାରୀ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଯୋଗୁ ସାମାନ୍ୟ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିଲା। ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ହସ୍ତକ୍ଷେପ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ତେବେ ଦିନ ପାଖାପାଖି ୧ଟା ସମୟରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଶତାଧିକ ବରିଷ୍ଠ କଂଗ୍ରେସ ନେତା, ଯୁବ, ଛାତ୍ର ଓ ମହିଳା ସମର୍ଥକ କଂଗ୍ରେସଭବନରୁ ଶୋଭାଯାତ୍ରାରେ ବାହାରି ବିଧାନସଭାମୁହାଁ ହୋଇଥିଲେ। ଲୋୟର ପିଏମ୍ଜିରେ ପହଞ୍ଚି ନାରାବାଜି କରି ସରକାରଙ୍କ ଉପରେ ବର୍ଷିବା ସହ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ଆନ୍ଦୋଳନକାରୀଙ୍କୁ ବାଧା ଦେବାରୁ କିଛି ସମୟ ସେଠାରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ୪୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ ପରେ ସ୍ଥିତି ଆୟତ୍ତ ହୋଇଥିଲା।
ମେଡିକାଲ୍ ନାଁରେ କିଏ ଖସିଲା କିଏ ଫସିଲା
ବନ୍ଦ ନେଇ ବିଭିନ୍ନ ସ୍ଥାନରେ ରାସ୍ତାରୋକ, ଧାରଣା ଦିଆଯାଇଥିବା ବେଳେ ଆନ୍ଦୋଳନକାରୀ ଜରୁରିକାଳୀଳ ସେବାରେ ଥିବା ବ୍ୟକ୍ତି, ଗାଡ଼ିକୁ ଛାଡ଼ିଦେଉଥିଲେ। କୌତୁହଳର ବିଷୟ ଅନେକ ଲୋକ ଖସିବା ପାଇଁ ସାଙ୍ଗରେ ଆଣିଥିବା ପୁରୁଣା ମେଡିକାଲ୍ ରିପୋର୍ଟ ଦେଖାଉଥିଲେ। କିଏ କିଏ କହୁଥିଲା ଦେଖନ୍ତୁ ଗାଡ଼ିରେ ରୋଗୀ ଅଛନ୍ତି। କିଏ ମେଡ଼ିକାଲ୍ ଅଫିସର ତ କିଏ ପୁଲିସ ବୋଲି ପରିଚୟ ଦେଉଥିଲେ। ରାସ୍ତାରେ ଯାଉଥିବା ଅଧିକାଂଶ ଲୋକଙ୍କ ଏଭଳି ସ୍ଥିତି ଦେଖି ଆନ୍ଦୋଳନକାରୀ ଦ୍ବନ୍ଦ୍ବରେ ପଡ଼ିଥିଲେ। ସତରେ କ’ଣ ଆଜି ରୋଗୀଙ୍କ ସଂଖ୍ୟା ବଢ଼ିଛି, ଆଉ କେବଳ ପୁଲିସ, ଡାକ୍ତର, ମେଡିକାଲ୍ କର୍ମଚାରୀ ରାସ୍ତାରେ ଯାଉଛନ୍ତି? ଆନ୍ଦୋଳକାରୀଙ୍କ ମନକୁ ଏଭଳି ପ୍ରଶ୍ନ ଆସିବା ପରେ ସେମାନେ କେତେଜଣଙ୍କୁ କାର୍ଡ ଦେଖାଇବା ପାଇଁ କହିଥିଲେ। ହେଲେ ସେମାନେ ପ୍ରମାଣ ନଦେଖାଇ ଯୁକ୍ତି କରି ଖସିଥିଲେ। ସେମିତି କିଛି ଜଣଙ୍କ ମେଡିକାଲ୍ ରିପୋର୍ଟ ଅତି ପୁରୁଣା ଥିବା ମଧ୍ୟ ଜଣାପଡ଼ିଥିଲା। ତେଣୁ ଯେଉଁମାନେ ମିଛ କହି ଖସିବାକୁ ପ୍ରୟାସ କରୁଥିଲେ, ସେମାନଙ୍କୁ ଆନ୍ଦୋଳନକାରୀ ଅଟକାଇଥିଲେ।
ବ୍ୟାଙ୍କରେ ଉତ୍ତେଜନା
ସାରା ସହରରେ ଦୋକାନବଜାର, ଘରୋଇ ପ୍ରତିଷ୍ଠାନ ବନ୍ଦ ଥିବା ବେଳେ ସହିଦନଗର ଅଞ୍ଚଳରେ କେତେକ ବ୍ୟାଙ୍କ ଖୋଲା ରହିଥିଲା। ବ୍ୟାଙ୍କ ଖୋଲା ଥିବା ଦେଖି ଆନ୍ଦୋଳନକାରୀ ସେଠାରେ ପହଞ୍ଚି ହୋହଲ୍ଲା କରିଥିଲେ। ଏମିତି କି ଭଙ୍ଗାରୁଜା କରିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନାମୂଳକ ସ୍ଥିତି ଦେଖାଦେଇଥିଲା। ଖବରପାଇ ପୁଲିସ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କରିଥିଲା।
ପୁଲିସ ଅଧିକାରୀଙ୍କ ମାନବିକତା, କର୍କଟ ପୀଡ଼ିତାଙ୍କୁ ମେଡିକାଲ୍ ପଠାଇଲେ
ବାଲିଅନ୍ତା ବଜାର: ବାଲେଶ୍ୱର ଏଫ୍ଏମ୍ ଛାତ୍ରୀ ମୃତ୍ୟୁ ପ୍ରତିବାଦରେ କଂଗ୍ରେସ ତରଫରୁ ଦିଆଯାଇଥିବା ବନ୍ଦ ଡାକରା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ୍ ଅଧିକାରୀଙ୍କ ମହାନତା ଦେଖିବାକୁ ମିଳିଥିଲା। ହଂସପାଳ ରୁଦ୍ରପୁର ନିକଟ ସର୍ଭିସ ରୋଡ୍ରେ ଜଣେ ବୟସ୍କା ମହିଳା ଚାଲିଚାଲି ଆସୁଥିବା ସମୟରେ ଅସୁସ୍ଥତା କାରଣରୁ ରାସ୍ତା ଉପରେ ଅଚେତ ହୋଇପଡ଼ିଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ପାହାଳ ଥାନା ଏସ୍ଆଇ ସ୍ମୃତିରଞ୍ଜନ ମହାନ୍ତି ତୁରନ୍ତ ବୟସ୍କା ମହିଳାଙ୍କ ପାଖକୁ ଦୌଡ଼ିଯିବା ସହ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ଚେତା ଫେରିଥିଲା। ତେବେ ଚେତା ଫେରିବା ପରେ ମହିଳା ଜଣଙ୍କ ପେଟରେ କଷ୍ଟ ଅନୁଭବ କରିଥିଲେ। ସେ କର୍କଟ ରୋଗରେ ପୀଡ଼ିତ ଥିବାରୁ ଖଡ଼ିଆଳ ନୂଆପଡ଼ାରୁ ବସ୍ ଯୋଗେ କଟକ ବଡ଼ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିଲେ। କିନ୍ତୁ କଂଗ୍ରେସ ବନ୍ଦ ଡାକରା ପାଇଁ ବସ୍ଟି ଫସି ଯାଇଥିଲା। ଅସୁସ୍ଥ ମହିଳାଙ୍କୁ ପୁଲିସ ଅଧିକାରୀଜଣକ ନିଜେ ଟେକି ନେଇ ଆମ୍ବୁଲାନ୍ସରେ କଟକ ବଡ଼ଡାକ୍ତରଖାନାକୁ ପଠାଇଥିଲେ।
ବିଭିନ୍ନ ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ
ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ
ଭୁବନେଶ୍ବର: ଫରୱାର୍ଡ ବ୍ଲକ ଓ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ ବ୍ଲକ୍ର କର୍ମକର୍ତାମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ, ସିଟି ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ ସମ୍ମୁଖରେ ପିକେଟିଂ କରି ବନ୍ଦରେ ସାମିଲ ହୋଇଥିଲେ। ରେଳ ରୋକ୍ କରିବାକୁ ଯାଉଥିବା ବେଳେ ଫରୱାର୍ଡ ବ୍ଲକ୍ର କର୍ମୀମାନଙ୍କୁ ରେଳବାଇ ପୁଲିସ ଅଟକାଇ ଥିଲା l ଫଳରେ ଆନ୍ଦୋଳନକାରୀ ଓ ରେଳବାଇ ପୁଲିସ ମଧ୍ୟରେ ବେଶ୍ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ପରେ ଫରୱାର୍ଡ ବ୍ଲକର କର୍ମକର୍ତ୍ତାମାନେ ଅଶୋକନଗର, ରାଜମହଲ ଛକ ଓ ମାର୍କେଟ୍ ବିଲଡିଂରେ ପିକେଟିଂ କରିଥିଲେ। ଫରୱାର୍ଡ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର, କମଳା ସାହୁ, ଲକ୍ଷ୍ମୀ ଦୋରା, ଗୟାରାମ ପୂଜାରୀ, ସୁଶିଲ ଥାନପତି, ପାଇଲା ମୁରଲୀକ୍ରୀଷ୍ଣା, ବିଜୟ ସାହୁ,ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଆଜିର ଆନ୍ଦୋଳନ ରେ ନେତୃତ୍ୱ ନେଇଥିଲେ।
ଏସ୍ୟୁସିଆଇ(କମ୍ୟୁନିଷ୍ଟ)
ଭୁବନେଶ୍ୱର ରେଳଷ୍ଟେସନ୍, ମାଷ୍ଟର୍କ୍ୟାଣ୍ଟିନ୍ ବସଷ୍ଟାଣ୍ଡ ଓ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟି ପିକେଟିଂ କରାଯାଇଥିଲା ଏସ୍ୟୁସିଆଇ (କମ୍ୟୁନିଷ୍ଟ)ର ରାଜ୍ୟ ସମ୍ପାଦକ ଶଙ୍କର ଦାସଗୁପ୍ତ, ରାଜ୍ୟ ଅଫିସ୍ ସମ୍ପାଦିକା ସ୍ୱୟଂପ୍ରଭା ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ରାଜେନ୍ଦ୍ର ବର୍ମ୍ମା, ସୁବାସ ନାୟକ, ଗଣେଶ ତ୍ରିପାଠୀ, ସନ୍ତୋଷ ରଥ, ନିରଞ୍ଜନ ମହାନ୍ତି, ପ୍ରଭାମଞ୍ଜୁଳା ବ୍ରହ୍ମ, ବିଜୟଲକ୍ଷ୍ମୀ ପାତ୍ର, ସୁନିତା ପାଣିଗ୍ରାହୀ, ବିଜ୍ଞାନ ବେହେରା ପ୍ରମୁଖ ଆନ୍ଦୋଳନର ନେତୃତ୍ବ ନେଇଥିଲେ।
ସିପିଆଇ(ଏମ୍ଏଲ୍)
ସିପିଆଇ(ଏମ୍ ଏଲ୍) ରେଡଷ୍ଟାର ପକ୍ଷରୁ ଆଇଆର୍ସି ଭିଲେଜ, ଜୟଦେବବିହାର ଆଦି ଅଂଚଳରେ ପିକେଟିଂ କରି ସମସ୍ତ ବ୍ୟାଙ୍କ, ଦୋକାନ ବଜାର ବନ୍ଦ କରିବା ସହ ଜାତୀୟ ରାଜପଥରେ ପ୍ରତିବାଦ ସଭା ଆୟୋଜନ କରି ଅବରୋଧ କରିଥିଲେ। ରାଜ୍ୟ ସମ୍ପାଦିକା ପ୍ରମିଳା, ହେନା, ବିଚିତ୍ର ପାତ୍ର, ଶଙ୍କର ଇନ୍କିଲାବ, ନାରାୟଣ ଲେଙ୍କା, ଅନ୍ନପୂର୍ଣ୍ଣା ସ୍ବାଇଁ, ନାରାୟଣ ଲେଙ୍କା ପ୍ରମୁଖ ନେତୃତ୍ବ ନେଇଥିଲେ।
ସିପିଆଇ (ଏମ୍)
ସିପିଆଇ (ଏମ୍) ତରଫରୁ ଡୁମୁଡୁମା ଆଇଗିଣିଆ ଛକ, ଜୟଦେବବିହାର ଛକ, ଡମଣା ଛକ, ପଳାଶୁଣୀ ଛକ, ରୂପାଲୀ ଛକ ଓ ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ସକାଳ ୭ ଠାରୁ ମଧ୍ୟlହ୍ନ ପର୍ଯ୍ୟନ୍ତ ଧର୍ମଘଟ କରିଥିଲେ l ସି ପି ଆଇ (ଏମ) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଦୁଷ୍ମନ୍ତ ଦାଶ, ବିଷ୍ଣୁ ଚରଣ ମହାନ୍ତି, ଜମ୍ବେଶ୍ୱର ସମନ୍ତରାୟ, ପ୍ରଦୀପ୍ତ ନାୟକ, ମିନତୀ ପାଣିଗ୍ରାହୀ, ପ୍ରଭାତ ପାଣିଗ୍ରାହୀ, ବିମଳୀ ନାୟକ, ନୟନା ନାୟକ, ନିରୁପମା ନାୟକ, ବସନ୍ତ ସାହୁ, ଯତୀନ ମହାନ୍ତି ପ୍ରମୁଖ ନେତୃତ୍ବ ନେଇଥିଲେ।
ସିପିଆଇ
ଭୁବନେଶ୍ୱରସ୍ଥିତ ଭଗବତୀ ଭବନରୁ ଆଜି ସିପିଆଇ କର୍ମୀମାନଙ୍କର ଏକ ଶୋଭାଯାତ୍ରା ବାହାରି ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ, ବସ୍ଷ୍ଟାଣ୍ଡ ଓ ରେଳଷ୍ଟେସନ ପରିକ୍ରମା କରି ଶାନ୍ତିପୂର୍ଣ୍ଣଭାବେ ବନ୍ଦ କରାଇଥିଲେ। ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସମ୍ପାଦକମଣ୍ଡଳୀ ସଦସ୍ୟ ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ବିଜୟଜେନା, ସୁରଜେନା, ବସନ୍ତ ପାଇକରାୟ, ନମିତାସାହୁ, ସୁରେନ୍ଦ୍ର ବେହେରା, କିଶୋର ନାୟକ, ବିଶ୍ୱଜିତ୍ ନାୟକ, ଜ୍ଞାନରଞ୍ଜନ ପ୍ରଧାନ, ରାକେଶ କାନୁନ୍ଗୋ, ଶଙ୍କର ବାରିକ, ଶଙ୍କର ବେହେରା, କୈଳାସ ପୁହାଣ, ଡାକ ହେମ୍ବ୍ରମ୍, ଅଶୋକ ସାହୁ, ପ୍ରମୋଦିନୀ ପାଇକରାୟ, ଜିନ୍ମୟୀ ସାହାଣୀ, ସାଗରିକା ଦାସ, ବାସନ୍ତୀ ପ୍ରଧାନ, ସୀତାରାଣୀ ସ୍ୱାଇଁ, ଏଆଇଏସଏଫ ରାଜ୍ୟସଭାନେତ୍ରୀ ସଂଘମିତ୍ରା ଜେନା, ରୁଚିସ୍ମିତା ବାରିକ, ଅମରେଶ ପରିଡ଼ା, ଅମିତ ସାମନ୍ତରାୟ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।