ଭୁବନେଶ୍ୱର: ଲକ୍ଷ୍ମୀସାଗର ନିକଟ ବୁଦ୍ଧେଶ୍ବରୀ ମନ୍ଦିର ସମ୍ମୁଖ ରାସ୍ତାରେ ରହିଛି ରାଜଧାନୀର ପ୍ରଥମ ସରକାରୀ ବରଫ କଳ। କିନ୍ତୁ ପରିତାପର କଥା ବିଂଶ ଶତାବ୍ଦୀର ସତୁରି ଦଶକ ପୂର୍ବରୁ ଜନ୍ମ ନେଇଥିବା ଏହି ସରକାରୀ ଶିଳ୍ପଟି ଆଜି ମୃତ ଅବସ୍ଥାରେ। ପାଖାପାଖି ୨୦୧୪ ମସିହାରୁ ଏହାର ମୃତ୍ୟୁ ହୋଇସାରିଛି। ବରଫ ଉତ୍ପାଦନ ବନ୍ଦ ହୋଇଯାଇଛି ଏବଂ ସେତେବେଳର କର୍ମଚାରୀମାନଙ୍କ ମଧ୍ୟରୁ କେତେକ ଅବସର ନେଇ ସାରିଛନ୍ତି। କିନ୍ତୁ ବରଫ କଳର ଦୁଇ ମହଲା କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ମୁଣ୍ଡ ଉଠାଇ ଠିଆହୋଇଛି ଏବଂ ଭିତରେ କଳଙ୍କି ଲାଗିଯାଇଥିବା ଯନ୍ତ୍ରପାତି ସବୁ କଙ୍କାଳ ସଦୃଶ ପଡ଼ିରହିଛନ୍ତି। ଏହି ମୃତ କାରଖାନାଟିର ପୁନର୍ଜନ୍ମ ପାଇଁ ସରକାର ପ୍ରସ୍ତାବ ଆଣିଥିଲେ। ନୂଆ ରୂପରେ ଫିସ୍ଫେଡ୍ ଟାୱାର ନିର୍ମାଣ କରାଯିବ ବୋଲି ଯୋଜନା କରାଗଲା। ମାତ୍ର ୬ ବର୍ଷ ପରେ ବି ଇଟା ଖଣ୍ଡେ ପଡ଼ିନାହିଁ। ତେଣୁ ମୃତ ବରଫ କଳର ପୁନର୍ଜନ୍ମ ସରକାରଙ୍କ ଶୀତଳଭଣ୍ଡାରରେ ପଡ଼ିଛି ବୋଲି ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା କଥା ଏକଦା ଲକ୍ଷ୍ମୀସାଗର ରାଜଧାନୀର ଏକମାତ୍ର ଶିଳ୍ପାଞ୍ଚଳ ଥିଲା। କଟକରୋଡ୍ ଥିଲା ମୁଖ୍ୟ ବ୍ୟବସାୟିକ ପେଣ୍ଠ। ଝାରପଡ଼ାରେ ମିନି ଲୁହା କାରଖାନା ଥିଲା। ଲୁହା କଡ଼େଇ ଓ ବିଭିନ୍ନ କୃଷି ଉପକରଣ ଏଠାରେ ନିର୍ମାଣ କରାଯାଉଥିଲା। ସେହିଭଳି ଏହି ବରଫ କଳ ପୂରା ରାଜଧାନୀର ଆବଶ୍ୟକତା ପୂରଣ କରୁଥିଲା। ରାଜ୍ୟ ସରକାରଙ୍କ ଏହି ବରଫ କଳ ସମସ୍ତ ମାଛ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଆଇସ୍କ୍ରିମ୍ ପ୍ରସ୍ତୁତକର୍ତ୍ତାଙ୍କୁ ବରଫ ଯୋଗାଉଥିଲା। ପ୍ରାୟ ୧୦ଜଣ କର୍ମଚାରୀ ବରଫ କଳ ଚଳାଉଥିଲେ। କିନ୍ତୁ ସମୟକ୍ରମେ ରାଜଧାନୀର କଳେବର ବଢ଼ିଲା। ନୂଆ ନୂଆ ଶିଳ୍ପାଞ୍ଚଳ ଗଢ଼ିଉଠିଲା। ଉନ୍ନତମାନର ନୂଆ ବୈଷୟିକଜ୍ଞାନ ବିଶିଷ୍ଟ ଯନ୍ତ୍ରପାତି ଆସିଲା ଏବଂ ଉଦ୍ୟୋଗପତିମାନେ ରାଜଧାନୀ ମୁହାଁ ହେଲେ। ଏମିତିରେ ପୁରୁଣା ମେସିନ୍ ଲାଗିଥିବା ଏହି ବରଫ କଳ ଆଉ ବଜାରରେ ପ୍ରତିଯୋଗିତା କରିପାରିଲା ନାହିଁ। ସରକାରୀ ବ୍ୟବସ୍ଥାର ଉଦାସୀନତା କାରଣରୁ ଏଥିରେ ନୂଆ ଜ୍ଞାନକୌଶଳ ଯୋଗ କରାଗଲା ନାହିଁ ଏବଂ ଧୀରେଧୀରେ ଏହି କାରଖାନାର ମୃତ୍ୟୁ ହୋଇଗଲା। ସେହିଭଳି ଝାରପଡ଼ାର ଲୁହା କାରଖାନା ବି ମରିଗଲା।
ପନ୍ଦରରୁ କୋଡ଼ିଏ ବର୍ଷ ହେବ ଏହି କାରଖାନା ଭୂତକୋଠି ହୋଇପଡ଼ିଛି। ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ କୋଠା ଭାଙ୍ଗିରୁଜି ଗଲାଣି। ଚାରିଆଡ଼େ ବଣୁଆ ଗଛଲତା ମାଡ଼ି ଯାଇଛି। ମୃତବତ୍ ପଡ଼ିଥିବା ଏହି ସରକାରୀ ସଂସ୍ଥାକୁ ନୂଆ ରୂପ ଦେବାକୁ ୨୦୧୯ ମସିହାରେ ସରକାର ଯୋଜନା କଲେ। ଏହି ବରଫ କଳର ୧.୬୬ ଏକର ଜମିରେ ୫ମହଲା ବିଶିଷ୍ଟ ଫିସଫେଡ୍ ଟାୱାର୍ କରାଯିବ ବୋଲି ପ୍ରସ୍ତାବ ଆସିଲା। ମତ୍ସ୍ୟଜୀବୀମାନଙ୍କୁ ଲଜିଷ୍ଟିକ୍ ସହାୟତା ଦିଆଯିବ ବୋଲି ନିଷ୍ପତ୍ତି ନିଆଗଲା। କନ୍ଫରେନସ୍ ହଲ୍ ସହିତ ମତ୍ସ୍ୟଜୀବୀଙ୍କ ପାଇଁ ବାଣିଜ୍ୟ ୟୁନିଟ୍ ନିର୍ମାଣ କରାଯିବା ସହ ଜାଲ, ଡଙ୍ଗା ଓ ବୋଟ୍ ଆଦି ନିର୍ମାଣ ଓ ବିକ୍ରି କରାଯିବ ବୋଲି ଯୋଜନା କରାଯାଇଥିଲା। ଗୋଟିଏ ମହଲାରେ ସ୍ବତନ୍ତ୍ରଭାବେ ଏକ ବିଶ୍ବସ୍ତରୀୟ ଆକ୍ବାରିୟମ୍ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ସ୍ଥିର ହୋଇଥିଲା। ମାତ୍ର ୬ବର୍ଷ ବିତିଗଲା ପଛେ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ଏନେଇ ଫିସ୍ଫେଡ୍ କର୍ତ୍ତୃପକ୍ଷଙ୍କ କହିବା କଥା ଖୁବ୍ ଶୀଘ୍ର ଆର୍ଥିକ ସହାୟତା ମିଳିବ ଏବଂ କାମ ଆରମ୍ଭ ହେବ।