ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ‘ଶ୍ରୀ’ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି। କେଉଁଠି ପଥପ୍ରାନ୍ତ ପାର୍କ ନିର୍ମାଣ ହୋଇଛି ତ କେଉଁଠି ନିଆରା କଳାକୃତିରେ ରାସ୍ତାକଡ଼ ସୁସଜ୍ଜିତ ହେଉଛି। ଦାମୀ ଘାସ ଗାଲିଚା ବି ବିଛାଯାଉଛି। ରଙ୍ଗବେରଙ୍ଗର ନାନାଦି ଫୁଲ ଗଛ ଲଗାଯାଉଛି। କିନ୍ତୁ ଖର୍ଚ୍ଚ ପରେ ଆଉ କେହି ପ୍ରକଳ୍ପ ଆଡ଼କୁ ଆଡ଼ଆଖିରେ ଚାହୁ ନାହାନ୍ତି। ରକ୍ଷଣାବେକ୍ଷଣ ତ ଦୂରର କଥା ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ଲଗାଯାଇଥିବା ଗଛରେ ପାଣି ମୁନ୍ଦେ ବି ଦେଉନାହାନ୍ତି। ଫଳସ୍ବରୂପ ଏସବୁ ପ୍ରକଳ୍ପ ଜଙ୍ଗଲ ପାଲଟିଲାଣି। ଅନାବନା ଗଛ ସବୁ ଏହାକୁ ଆବୋରି ନେଲାଣି। ଏଣୁ ଅନେକ ଗଛ ବି ମରିଗଲାଣି। ସେପଟେ ସୌନ୍ଦର୍ଯ୍ୟବୃଦ୍ଧି ଉଦ୍ଦେଶ୍ୟରେ ଲାଗିଥିବା କଳାକୃତିରେ ଅନାବନା ଲଟାବୁଦା ଚରିଗଲାଣି। ରାଜଧାନୀର ‘ଶ୍ରୀ’ ବୃଦ୍ଧି ଉଦ୍ଦେଶ୍ୟରେ ହୋଇଥିବା ଏହି ପ୍ରକଳ୍ପ ରାଜଧାନୀର ସୌନ୍ଦର୍ଯ୍ୟକୁ ବିକୃତ କରିବା ସହ ରାଜଧାନୀବାସୀଙ୍କୁ ବ୍ୟଥିତ କରୁଛି।

Advertisment

ଆଚାର୍ଯ୍ୟବିହାର ଛକର ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ରାସ୍ତାକଡ଼ରେ ଥିବା ବଳକା ଜାଗାରେ ପାର୍କ କରାଯାଇଥିଲା। ଲୋକଙ୍କ ବସିବା ପାଇଁ ଚେୟାର ପଡ଼ିବା ସହ ନାନାଦି ଫୁଲଗଛ ଲଗାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଗଛ ସବୁ ଏଠି ମାଡ଼ିଗଲାଣି। ଜଙ୍ଗଲିଆ ପରିବେଶ ଦେଖି ଲୋକେ ବି ଭିତରକୁ ଯିବାକୁ ଡରୁଛନ୍ତି। ଏହାଠୁ ବଳିଯାଇଛି ସିଆର୍‌ପି ଛକ ପାର୍କ। ଏଠାରେ ଯେଉଁ ଗଛ ଲାଗିଥିଲା, ତାହା ଅନାବନା ଗଛ ଭିତରେ ଲୁଚିଗଲାଣି। ଅନାବନା ଗଛ ଏତେ ଘଞ୍ଚ ଜଙ୍ଗଲ ହେଲାଣି ଯେ ବିଷାକ୍ତ ସରୀସୃପ ଏଥିରେ ବୁଲୁଛନ୍ତି। ହକି ବିଶ୍ବକପ ବେଳେ ଜୟଦେବବିହାର ଦୁଇପାର୍ଶ୍ବ ଲୁହା ଜାଲିରେ ରଙ୍ଗ ବେରଙ୍ଗର ସୂତା ବାନ୍ଧି ନାନାଦି ଆକର୍ଷଣୀୟ ଅଳଙ୍କରଣ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟ, ଏହା ଉପରେ ଲତା ଚରିଗଲାଣି। ଆକର୍ଷଣୀୟ ଏହି ଅଳଙ୍କରଣ ଲତା ଭିତରେ ଲୁଚିଗଲାଣି। କଳିଙ୍ଗ ଷ୍ଟାଡିୟମ୍‌ ନିକଟ ମଧୁସୂଦନନଗର ରାସ୍ତାକଡ଼ରେ ବହୁ ଫୁଲଗଛ ଲଗାଯାଇଥିଲା। ରାସ୍ତାକଡ଼କୁ ଆକର୍ଷଣୀୟ ରୂପ ଦିଆଯାଇଥିଲା। କିନ୍ତୁ ଏହି ଗଛ ସବୁ ଲତା ଓ ଅନାବନା ଗଛ ଭିତରେ ଲୁଚିଗଲାଣି। ରାଜଧାନୀର ପ୍ରମୁଖ ଛକ କୁହାଯାଉଥିବା ରାଜଭବନ ଛକ ବି ଏଥିରୁ ବର୍ତ୍ତିନି। ରାଜଭବନ ଛକରୁ ପାୱାର ହାଉସ୍ ଯିବା ରାସ୍ତା କଡ଼ରେ ଯେଉଁ ପଥପ୍ରାନ୍ତ ପାର୍କ କରାଯାଇଥିଲା, ତାହା ଅନାବନା ଗଛରେ ଲୁଚିଗଲାଣି। କଳାକୃତି ବି ବିକୃତ ହେଲାଣି। ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ରାଜଧାନୀ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଏହା ଉଦାହରଣ ମାତ୍ର। ସାରା ରାଜଧାନୀର ସମାନ ସ୍ଥିତି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ମାଳ ମାଳ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ କରୁଛନ୍ତି ସତ, କିନ୍ତୁ ଏହି ସୌନ୍ଦର୍ଯ୍ୟ କେବଳ କ୍ଷଣିକ ପାଇଁ। କିଛି ମାସର ବ୍ୟବଧାନ ପରେ ଏହାକୁ ସରକାରୀ ବାବୁମାନେ ଭୁଲିଯାଉଛନ୍ତି।