ଦୂର ହେବ ରାଜଧାନୀର ପାର୍କିଂ ସମସ୍ୟା: ବହୁତଳ ପାର୍କିଂ ପାଇଁ ସିଆଇଡିଏଫ୍‌ରୁ ଅର୍ଥ ମିଳିବ

ଭୁବନେଶ୍ବର: ରାଜଧାନୀର ପାର୍କିଂ ସମସ୍ୟା ଦୂର କରିବାକୁ ବିଡିଏ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଜନପଥ, ବିଦ୍ୟୁତ ମାର୍ଗ, ସଚିବାଳୟ ମାର୍ଗ, ନନ୍ଦନକାନନ ରୋଡ୍‌, କଟକ ରୋଡ୍‌ ଆଦି ଅଞ୍ଚଳରେ ଯେପରି ପାର୍କିଂ ଜନିତ ସମସ୍ୟା ଅଧିକ ରହିବନି, ସେଥିପାଇଁ ବିଭିନ୍ନ ସ୍ଥାନରେ ବହୁତଳ କାର୍‌ ପାର୍କିଂସ୍ଥଳୀ ନିର୍ମାଣ ହେବ। ଏଥିପାଇଁ ବିଡିଏ ଓ ବିଏମ୍‌ସି ସିଡିପି ଭିତ୍ତିଭୂମି ଉନ୍ନତୀକରଣ ପାଣ୍ଠି (ସିଆ‌ଇଡିଏଫ୍‌)ରୁ ଅର୍ଥ ଦେବେ। ଏନେଇ ବିଡିଏର ୨୩୨ତମ ଡିପି ଏବଂ ବିପି କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ବିଡିଏର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ହଜାର ହଜାର ‌ଘର ବେଆଇନ ଭାବେ ନିର୍ମାଣ ହୋଇଛି। ବିଶେଷକରି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ୪୦%ପାର୍କିଂ ଅଞ୍ଚଳ ଛାଡ଼ିବାକୁ ନିୟମ ଥିବା ବେଳେ ସେମାନେ ଛାଡ଼ି ନାହାନ୍ତି। ସେମାନେ ସର୍ବକ୍ଷମା ଯୋଜନାରେ ଆବେଦନ କରିଥିବା ବେଳେ ସେମାନଙ୍କଠାରୁ ପାର୍କିଂସ୍ଥଳରେ ବେଆଇନ ନିର୍ମାଣ ପାଇଁ କମ୍ପାଉଣ୍ଡିଂ ଫି’ ବାବଦରେ ଜରିମାନା ଆଦାୟ ହେଉଛି। ଏହା ସିଆଇଡିଏଫ୍‌ ପାଣ୍ଠିରେ ରହୁଛି। ବିଏମ୍‌ସି ଓ ବିଡିଏ ଏହି ଭଳି ଫି’ ଆଦାୟ କରିଛନ୍ତି। ତେଣୁ ଏହି ଫି’କୁ ରାଜଧାନୀର ପାର୍କିଂସ୍ଥଳ ଉନ୍ନତି ବାବଦକୁ ବିନି‌େଯାଗ କରାଯିବ। ରାଜଧାନୀର ସବୁ ପ୍ରମୁଖ ସ୍ଥାନରେ ବହୁତଳ କାର୍‌ ପାର୍କିଂସ୍ଥଳୀ ନିର୍ମାଣ କରାଯିବ। ରାଜଧାନୀର ବିଭିନ୍ନ ରାସ୍ତା, ପାର୍କିଂସ୍ଥଳୀ ଭଳି ଭିତ୍ତିଭୂମି ନିର୍ମାଣ ପାଇଁ ବିଡିଏ ସିଆଇଡିଏଫ୍‌ରୁ ଅର୍ଥ ଖର୍ଚ୍ଚ କରିପାରିବାର ଯୋଜନା ଥିବାରୁ ଏଥିରୁ ଅର୍ଥ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ଏନେଇ ନଗର ଉନ୍ନୟନ ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଥିବାରୁ ବହୁତଳ କାର୍‌ ପାର୍କିଂ ପାଇଁ ସିଆଇଡିଏଫ୍ ପାଣ୍ଠିରୁ ଅର୍ଥ ଦେବାକୁ ବିଡିଏର ଡିପି ଓ ବିପି କମିଟି ପ୍ରସ୍ତାବ ଦେଇଛି।

ଏବେ ୟୁନିଟ୍‌-୨ ଏବଂ ସହିଦନଗରରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମି‌ଟେଡ୍‌ ପକ୍ଷରୁ ବହୁତଳ କାର୍‌ ପାର୍କିଂସ୍ଥଳୀ ନିର୍ମାଣ ହେଉଥିବାବେଳେ ଆଗାମୀ ଦିନରେ ଏକାମ୍ର ହାଟ, ଜନତା ମଇଦାନ ନିକଟରେ ବହୁତଳ କାର୍‌ ପାର୍କିଂସ୍ଥଳୀ ନିର୍ମାଣ କରିବାକୁ ଯୋଜନା ଅଛି। ଏହିଭଳି ପାର୍କିଂ ସ୍ଥଳୀ ନିର୍ମାଣ ପାଇଁ ପ୍ରାୟ ୨୫ରୁ ୩୦କୋଟି ଆବଶ୍ୟକ ପଡ଼ୁଥିବାରୁ ବିଡିଏ ସିଆଇଡିଏଫ୍‌ରୁ ଅର୍ଥ ଖର୍ଚ୍ଚ କରିବାକୁ ଯୋଜନା କରିଛି।

ସୂଚନାଯୋଗ୍ୟ ଯେ ଜନପଥରେ ୫୦୦ରୁ ଅଧିକ ଛୋଟ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ପାର୍କିଂସ୍ଥଳୀ ପାଇଁ ପ୍ଲାନ୍‌ ନେଇଥିଲେ ହେଁ ପ୍ରାୟ ସମସ୍ତେ ପାର୍କିଂ ଅଞ୍ଚଳ ଛାଡ଼ି ନାହାନ୍ତି। ଏପରିକି ଗତ ସର୍ବକ୍ଷମା ଯୋଜନାରେ ଏଥିରୁ ଅଧିକାଂଶ ବେଆଇନ ନିର୍ମାଣକୁ ନିୟମିତ କରିବା ପାଇଁ ଆବେଦନ ମଧ୍ୟ କରିନାହାନ୍ତି। କିନ୍ତୁ ଜନପଥରେ ବିଏମ୍‌ସି ପାର୍କିଂସ୍ଥଳୀ ନିଲାମ କରି ଲୋକଙ୍କୁ ଲୁଟୁଛି। ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ପାର୍କିଂ ସୁବିଧା ଯୋଗାଇବା‌ କଥା ସେମା‌େନ ଯୋଗାଉ ନଥିବାରୁ ସାଧାରଣ ଲୋକ ରାସ୍ତା ଉପରେ ଗାଡ଼ି ପାର୍କିଂ କରି ପାର୍କିଂ ଫି’ ଗଣୁଛନ୍ତି। କେବଳ ଜନପଥ ନୁହେଁ, ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍‌, କଟକ ରୋଡ୍‌ରେ ପାର୍କିଂ ସ୍ଥିତି ସଙ୍ଗିନ ହେଉଥିବାରୁ ବିଡିଏ ଓ ବିଏମ୍‌ସି ପକ୍ଷରୁ ମିଳିତ ଭାବେ ଚଢ଼ଉ କରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର କୋଠା ପ୍ଲାନ୍‌ ଯାଞ୍ଚ କରିବାକୁ ଯୋଜନା ହୋଇଥିଲା। କିନ୍ତୁ କ‌େରାନା ପାଇଁ ଏହି ଚଢ଼ଉ ଅଟକିଗଲା।

ସମ୍ବନ୍ଧିତ ଖବର