ମାଟ୍ରିକ୍‌‌ରେ ରାଜଧାନୀର ରେକର୍ଡ, ‘ଏ-୧’ ଡେଇଁଲେ ୪୦୯

୯୨ଜଣ ୯୫%ରୁ ଅଧିକ ନମ୍ବର ରଖିଛନ୍ତି, ୩ ବର୍ଷରେ ସରକାରୀ ସ୍କୁଲରେ ୬୨୯୯ ପିଲା ବଢ଼ିଲେଣି

ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷାରେ ରାଜ୍ୟର ୮ ହଜାର ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ଅର୍ଥାତ୍‌ ୯୦%ରୁ ଅଧିକ ନମ୍ବର ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥି ମଧ୍ୟରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ୪୦୯ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଯେଉଁମାନେ କି ସଫଳତାର ସହ ପାସ୍‌ କରିଛନ୍ତି। ୯୨ ଜଣ ପରୀକ୍ଷାର୍ଥୀ ୯୫ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ନମ୍ବର ରଖି ରେକର୍ଡ ସୃଷ୍ଟି କରିଛନ୍ତି। ଓଡ଼ିଶା‌ ଇତିହାସରେ କୌଣସି ବି ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଇଥିବା ଭୁବନେଶ୍ବରର ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଏଭଳି ସଫଳତା ହାସଲ କରି ନ ଥିଲେ। ଗତବର୍ଷ ୧୭୬ଜଣ ପରୀକ୍ଷାର୍ଥୀ ‘ଏ-୧’ ଗ୍ରେଡ୍‌ ହାସଲ କରିଥିଲେ। କରୋନା ଭଳି କଠିନ ପରିସ୍ଥିତିରେ ପିଲାଙ୍କ ସଫଳତା ଏବେ ସରକାରୀ ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଟାଣିବାରେ ସକ୍ଷମ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାସ୍‌ହାର ପାଖାପାଖି ୯୬% ରହିଛି। ୮୩ଟି ବିଦ୍ୟଳୟ ମଧ୍ୟରୁ ଅଧା ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ‘ଏ-୧’ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର(ଏସ୍ଏସ୍‌ଭିଏମ୍‌)ର ସର୍ବାଧିକ ୮୪ ଜଣ ରହିଛନ୍ତି। ଏହା ବ୍ୟତୀତ ବରମୁଣ୍ଡା ସରସ୍ବତୀ ବିଦ୍ୟାମନ୍ଦିରର ୬୯, ବରମୁଣ୍ଡା ବ୍ରିଟ୍‌ କଲୋନି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୬୦, ୟୁନିଟ୍-୮ ଏସ୍ଏସ୍‌ଭିଏମ୍‌ରେ ୨୮, ନୂଆପଲ୍ଲୀ ଶ୍ରୀମଦ୍ ଭଗବତ ଗୀତା ବିଦ୍ୟାମନ୍ଦିରର ୧୭ ଜଣ ‘ଏ-୧’ ଗ୍ରେଡ୍ ପାଇଛନ୍ତି। ସରକାରୀ ସ୍କୁଲଗୁଡ଼ିକର ପରୀକ୍ଷା ଫଳ ବେଶ ଉଚ୍ଚକୋଟିର ହେବା ସହ ରେକର୍ଡ ସୃଷ୍ଟି କରିଛି। ସରକାରୀ ବିଦ୍ୟାଳୟର ୫୦ରୁ ଅଧିକ ପିଲା ଏ-୧ ଗ୍ରେଡ୍‌ ପାଇଛନ୍ତି। ବିଏମ୍‌ ହାଇସ୍କୁଲର ୭, ୟୁନିଟ୍‌-୮ ବାଳକ ହାଇସ୍କୁଲର ୬, ଭିଏସ୍‌ଏସ୍‌ ନଗର ହାଇସ୍କୁଲ, ଆଇଆରସି ଭିଲେଜ୍‌ ସରକାରୀ ହାଇସ୍କୁଲର ୫, ୟୁନିଟ୍‌-୯ ବାଳିକା ହାଇସ୍କୁଲ, ୟୁନିଟ୍‌-୧ ବାଳିକା ହାଇସ୍କୁଲର ୪, ୟୁନିଟ୍‌-୮ ବାଳିକା ହାଇସ୍କୁଲ, ଚନ୍ଦ୍ରଶେଖରପୁର ହାଇସ୍କୁଲ ଫେଜ୍‌-୧, କ୍ୟାପିଟାଲ ହାଇସ୍କୁଲ, ଓଏସ୍‌ଏପି ବାଟାଲିଆନ୍‌ର ୩, ଦେବରାଜ ବିଦ୍ୟାପୀଠ, ବରଗଡ଼ ହାଇସ୍କୁଲର ଦୁଇ, ମଞ୍ଚନାଥ ଦେବ ହାଇସ୍କୁଲ, ଚନ୍ଦ୍ରଶେଖରଦେବ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମେଶ୍ବର ହାଇସ୍କୁଲ, ତପୋବନ ହାଇସ୍କୁଲ, ୟୁନିଟ୍‌-୧ ହାଇସ୍କୁଲର ଜଣେ ଲେଖାଏ ଏ-୧ ଗ୍ରେଡ୍‌ ପାଇ ରେକର୍ଡ ସୃଷ୍ଟି କରିଛନ୍ତି।

ଗୋଟିଏ ପଟେ ପାସ୍‌ହାର ବଢ଼ୁଥିବାରୁ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୦-୨୧ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟରେ ୩୭ ହଜାର ୬୬୩ ଜଣ ଛାତ୍ରଛାତ୍ରୀ ପଢ଼ୁଥିଲେ। ଯାହାକି ଏବେ ଅର୍ଥାତ୍‌ ୨୦୨୨-୨୩ ଶିକ୍ଷାବର୍ଷରେ ୪୩ ହଜାର ୯୬୨ରେ ପହଞ୍ଚିଛି। ଅର୍ଥାତ୍‌ ୩ ବର୍ଷରେ ୬ ହଜାର ୨୯୯ ପିଲା ବୃଦ୍ଧି ପାଇଛନ୍ତି। ବିଶେଷ କରି ଦ୍ବିତୀୟରୁ ନବମ ଶ୍ରେଣୀ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ଘଟିଛି। ୨୦୨୧-୨୨ରେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ୪୨ ହଜାର ୨୧୮ ରହିଥିଲା। ଗତ ଶିକ୍ଷା ବର୍ଷ ତୁଳନାରେ ଏଥର ଦ୍ବିତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀରେ ବହୁ ସଂଖ୍ୟାରେ ପିଲା ବଢ଼ିଛନ୍ତି। ହାଇସ୍କୁଲରେ ଅର୍ଥାତ୍‌ ୯ମ ଓ ଦଶମ ଶ୍ରେଣୀରେ ପିଲାଙ୍କ ସଂଖ୍ୟାରେ ମଧ୍ୟ କିଛିଟା ଫରକ ଦେଖିବାକୁ ମିଳୁଛି।

ଚକାଚକ୍‌ ସ୍କୁଲ। ଲ୍ୟାବ୍‌, ଲାଇବ୍ରେରି, କମ୍ପ୍ୟୁଟର ଶିକ୍ଷା, ସବୁଜିମାମୟ ହୋଇଥିବାରୁ ରାଜଧାନୀର ସରକାରୀ ସ୍କୁଲଗୁଡ଼ିକରେ ପଢ଼ିବାକୁ ପିଲାମାନେ ଏବେ ଆଗ୍ରହ ଦେଖାଉଛନ୍ତି। କରୋନା ଦ୍ବାରା ଅଭିଭାବକଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଥିବା ବେଳେ ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଦ୍ୟାଳୟ ରୂପ ବଦଳିବା ମାଗଣା ଶିକ୍ଷା ପ୍ରତି ପିଲା ଓ ଅଭିଭାବକଙ୍କୁ ଆକୃଷ୍ଟ କରୁଛି। ପରିଣାମ ସ୍ବରୂପ ଏବେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଛି। ପିଲାଙ୍କ ଆଗ୍ରହ ବଢ଼ୁଥିଲା ବେଳେ ସେହି ଅନୁଯାୟୀ ଭିତ୍ତିଭୂମି ଏପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ଗୋଟିଏ କି ଦୁଇଟି ସ୍କୁଲ ନୁହେଁ। ବରଂ ଅଧିକାଂଶ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ଅନୁଯାୟୀ ଶିକ୍ଷକ ନାହାନ୍ତି। ପର୍ଯ୍ୟାୟକ୍ରମେ ପଦବି ପୂରଣ ଓ ଡେପୁଟେସନରେ ଶିକ୍ଷକମାନେ ଆସୁଥିଲେ ମଧ୍ୟ ଏବେ ବି ଆହୁରି ୨୦୦ ଶିକ୍ଷକଙ୍କ ଆବଶ୍ୟକତା ରହିଥିବା ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର