ରାଜଧାନୀ ମିଠା ବଜାର ଚଳଚଞ୍ଚଳ: ଦୀପାବଳିରେ କୋଟିଏ ଟଙ୍କାର ବେପାର ଲକ୍ଷ୍ୟ
ପ୍ରସ୍ତୁତ ହେଲାଣି ୫୦୦ ପ୍ରକାରର ମିଠା, ମନ କିଣୁଛି ଫ୍ରୁଟ୍ ଫ୍ଲେବର ଓ ଡ୍ରାଏ ଫ୍ରୁଟ୍ ମିଠା
ଜନ୍ମଦିନ ହେଉ ବା ଗାଡ଼ିକିଣା, ବିବାହ ବ୍ରତ ହେଉ ବା ପର୍ବପର୍ବାଣୀ; ପ୍ରତିଟି ଆନନ୍ଦମୟ ମୁହୂର୍ତ୍ତକୁ ମିଠା ବାଣ୍ଟି ପାଳନ କରନ୍ତି ଭାରତୀୟ। ଏବେ ଦିନ କେଇଟା ପରେ ଆସୁଛି ଆଳୋକର ପର୍ବ ଦୀପାବଳି। ଏହାକୁ ମନଭରି ଉପଭୋଗ କରିବାକୁ ଦୀପ ଯେତିକି ଜରୁରୀ ମିଠା ବି ସେତିକି ଜରୁରୀ। ପ୍ରିୟଜନକୁ ଉପହାରସ୍ବରୂପ ହେଉ, କର୍ପୋରେଟ୍ ଗିଫ୍ଟ ଭାବେ ହେଉ ବା ଅତିଥି ଅଭ୍ୟାଗତଙ୍କୁ ଆପ୍ୟାୟିତ କରିବା ପାଇଁ; ଦୀପାବଳିରେ ଖୋଜାପଡ଼େ ଭଳିକି ଭଳି ମିଠା। ଏଥିପାଇଁ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଲାଣି ରାଜଧାନୀ ମିଠା ବଜାର। ଭିନ୍ନ ଭିନ୍ନ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମିଠା କାରିଗରମାନେ ଗଢ଼ି ଚାଲିଛନ୍ତି ଭିନ୍ନଭିନ୍ନ ରକମର ସ୍ବାଦିଷ୍ଟ ମିଠା। ଏଥିପାଇଁ ମିଠା ବ୍ୟବସାୟୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ବି ଆରମ୍ଭ ହୋଇଯାଇଛି। କିଏ ଛେନା, କ୍ଷୀରକୁ ଅସ୍ତ୍ର କରିଛି ତ’ କେହି ଫଳ ଓ ଡ୍ରାଏ ଫ୍ରୁଟ୍କୁ ନେଇ ମିଠାର ପସରା ମେଲାଇଛି। କେବଳ ଦୀପାବଳି ଏବଂ ଏହାର ପୂର୍ବ ଦିନ ରାଜଧାନୀର ମିଠା ବ୍ୟବସାୟୀ କୋଟିଏ ଟଙ୍କାର ବେପାର କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଆକର୍ଷଣରେ ମିଠା ପ୍ୟାକେଜିଂ
ଦୀପାବଳିରେ ମିଠା ହେଉ ବା ଚକୋଲେଟ୍ ଓ କୁକିଜ୍; କିଛି ନିଆରା ପ୍ୟାକେଜିଂ ଚାହାନ୍ତି ଆଜିର ଅତ୍ୟାଧୁନିକ ଗ୍ରାହକ। ଏଣୁ ବ୍ୟବସାୟୀମାନେ ବି ନୂଆ ନୂଆ ପ୍ୟାକେଜିଂ ସହ ପ୍ରସ୍ତୁତ ହୋଇ ଯାଇଛନ୍ତି। ଏଣୁ ନିଆରା ମିଠା ଡବା ଓ ବାସ୍କେଟ ଏବେ ମିଠା ଦୋକାନର ଶୋଭା ମଣ୍ଡନ କରୁଛି। କାଠ ଓ ଲେଦର ତିଆରି ବାକ୍ସ ବା ଡବାରେ ବିଭିନ୍ନ ରାଜକୀୟ ଶୈଳୀର ଚିତ୍ରକଳା ସାଙ୍ଗକୁ କଳସ, ହାତୀ, ଘୋଡ଼ା ଭଳି ପାରମ୍ପରିକ ଖୋଦେଇ ଗ୍ରାହକଙ୍କୁ ବେଶ୍ ଆକର୍ଷିତ କରୁଛି। ପୁଣି ରହିଛି ମୋଟା ସୂତା ତିଆରି ବାସ୍କେଟ୍, ହାତତିଆରି ବକ୍ସ ଓ ହ୍ୟାମ୍ପ୍ରସ୍ ଇତ୍ୟାଦି। ମିଠା ସହ ସୁନ୍ଦର ସୁନ୍ଦର ମିଠାବକ୍ସ ପ୍ରାୟ ୩୦୦ଟଙ୍କାରୁ ଆରମ୍ଭ କରି ୧୫୦୦ ଓ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
ବେପାର ଜମୁଛି, କିନ୍ତୁ ଲାଭ ହେଉନି
ଗତବର୍ଷ କରୋନା ଓ କଟକଣା ଯୋଗୁଁ ମିଠା ବ୍ୟବସାୟୀ ପ୍ରାୟ ୫୦% କ୍ଷତି ସହିଥିଲେ। ଚଳିତ ବର୍ଷ ସ୍ଥିତି ସୁଧୁରିଛି। ବେପାର ବି ଏବେଠାରୁ ଜମିବା ଆରମ୍ଭ ହୋଇଗଲାଣି। ରାକ୍ଷୀ ପୂର୍ଣ୍ଣିମାଠାରୁ ଦୀପାବଳି ପର୍ଯ୍ୟନ୍ତର ସମୟ ହେଉଛି ମିଠା ବେପାରୀଙ୍କ ସମୟ। ଏହି ସମୟରେ ବର୍ଷର ଅର୍ଦ୍ଧାଧିକ ବେପାର କରିନିଅନ୍ତି ବେପାରୀମାନେ। ବେଶ୍ ଦୁଇ ପଇସା ଲାଭ ବି ପାଆନ୍ତି। କିନ୍ତୁ ଏବେ ବେପାର ଭଲ ହେଉଥିବା ବେଳେ ଲାଭ ଅଧିକ ହେଉନାହିଁ ବୋଲି କହିଛନ୍ତି ମିଠା ବ୍ୟବସାୟୀ। କ୍ଷୀର ଛଡ଼ା ସମସ୍ତ ସାମଗ୍ରୀର ଦରଦାମ୍ ବଢ଼ିଛି। ସମସ୍ତ ଫଳ, ଡ୍ରାଏଫ୍ରୁଟ୍, ରାସନ୍ ସାମଗ୍ରୀର ଦର ବୃଦ୍ଧି ହୋଇଛି। କିନ୍ତୁ ଆମେ ମିଠାର ଦାମ୍ ବଢ଼ାଇ ପାରୁନୁ। ବେପାର ଜମି ଆସୁଥିବା ବେଳେ ମିଠା ଦର ବୃଦ୍ଧି କଲେ କାଳେ ଗ୍ରାହକ ବିମୁଖ ହେବେ ସେ ଡର ଲାଗି ରହୁଛି। ପୁଣି ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କଞ୍ଚାମାଲ୍ ପରିବହନରେ ସମସ୍ୟା ସୃଷ୍ଟି କରୁଛି। ଏଣୁ ବେପାରରେ ବୃଦ୍ଧି ହେଲେ ବି ବିଶେଷ ଲାଭ ହେଉନଥିବାରୁ ଉତ୍ସାହଜନକ ସ୍ଥିତି ନାହିଁ।
ଚାହିଦାରେ ରସ୍କଦମ୍ ଓ ଅନାରକଲି
ଦୀପାବଳିରେ ଉପହାର ଦେବା ପାଇଁ ଲୋକମାନେ ସାଧାରଣତଃ ଶୁଖିଲା ମିଠାକୁ ଅଧିକ ପ୍ରାଧାନ୍ୟ ଦେଇଥା’ନ୍ତି। ଏଣୁ ଏହି ସମୟରେ କାଜୁ ବର୍ଫି, ପେଡ଼ା, ବାଦାମ ଲଡ଼ୁ ଓ ସନ୍ଦେଶ ଆଦି ମିଠାର ଚାହିଦା ଅଧିକ ବଢ଼ିଯାଏ। କିନ୍ତୁ ଏଥର ଗ୍ରାହକଙ୍କୁ ଆକର୍ଷିତ କରିବାକୁ ରାଜଧାନୀର ମିଠା କାରିଗରମାନେ ରସ୍କଦମ, ଅନାରକଲି, ରିମ୍ଝିମ୍ ଓ ଖଟାମିଠା ଆଦି ମିଠା ପ୍ରସ୍ତୁତ କରିଛନ୍ତି। ଏଥିସହ ବିଭିନ୍ନ ଫଳ ଫ୍ଲେବର୍ର ମିଠା ଓ ବିଭିନ୍ନ ଡ୍ରାଏ ଫ୍ରୁଟ୍ ମିଠାର ଚାହିଦା ଦୀପାବଳି ବଜାରରେ ଢେର ରହିଛି। ଏଥିସହ ଛୁଆଙ୍କୁ ଆକର୍ଷିତ କରିବାକୁ ସେଓ ଓ ଆମ୍ବ ଆକୃତିର ମିଠା ରହିଛି। କାଜୁରେ ତିଆରି ଏହି ସ୍ବତନ୍ତ୍ର ମିଠା ଛୋଟ ପିଲା ଓ ସମସ୍ତ ବର୍ଗର ମିଠାପ୍ରେମୀଙ୍କ ସ୍ବସ୍ଥ୍ୟ ପାଇଁ ବି ବେଶ୍ ହିତକର। ଖାଲି ସେତିକି ନୁହେଁ, ଦୀପାବଳି ମିଠା ବଜାରରେ କାଜୁ ବଟର ସ୍କ୍ରଚ୍, କାଜୁ ପାନ୍ ପସନ୍ଦ, କାଜୁ ନଟି, ଖୋଆ ପୋଡିଂ, ଡ୍ରାଏ ଫ୍ରୁଟ୍ ଲଡୁ, ପିନି, ବାଲୁସାଇ, କାଜୁ ହନି, କାଜୁ ଲିଚି, ରୋଜା କଲାକଞ୍ଜ ଓ ଅଞ୍ଜି ଗୋଲ୍ ଆଦି ବିଭିନ୍ନ ଭେରାଇଟିର ମିଠା ପ୍ରସ୍ତୁତ ହୋଇଛି। ଏହାସହ ଡ୍ରାଏ ଫ୍ରୁଟ୍ରେ ଡ୍ରାଏ ପାଇନାପୁଲ୍, ରୋଷ୍ଟେଡ୍ ମସାଲା କାଜୁ, କାଶ୍ମୀରୀ ହାଡ୍ ସିଲ୍ଡ୍ ଆଲ୍ମଣ୍ଡ୍ ଓ ଖୁର୍ମାନୀ ଆଦିର ବି ସ୍ବତନ୍ତ୍ର ସ୍ଥାନ ରହିଛି। ନିମାପଡ଼ା ସ୍ବିଟ୍ସ୍ର ସତ୍ତ୍ବାଧିକାରୀ ଦିବାକର ସାହୁ କହିଛନ୍ତି, ରସଗୋଲା, ଛେନାପୋଡ଼, ଛୋନା ମୁଡ଼ିକି, ଛେନା ଝିଲ୍ଲୀ, ଗୋଲାପଜାମୁ, ତାଡ଼ିଆ, ମାଲ୍ପୁଆ ଭଳି ପାରମ୍ପରିକ ମିଠା ସହ କିଛି ନୂଆ ଓ ଆଧୁନିକ ମିଠାକୁ ମିଶାଇ ଦୀପାବଳି ପାଇଁ ତାଙ୍କ ଦୋକାନରେ ପ୍ରାୟ ୫୦୦ପ୍ରକାରର ମିଠା ପ୍ରସ୍ତୁ୍ତ ହୋଇଛି। କେବଳ ଦୀପାବଳି ଓ ଏହାର ପୂର୍ବ ରାତିରେ ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କାର ବେପାର କରିବାର ଆଶା ରଖିଛନ୍ତି ଶ୍ରୀ ସାହୁ।
ମଧୁମେହ ରୋଗୀଙ୍କ ପାଇଁ ସୁଗାର୍ ଫ୍ରି’ ମିଠା
ଦୀପାବଳିରେ ସମସ୍ତେ ମିଠା ଖାଇବେ। ମଧୁମେହ ରୋଗୀ ବା ଏଥିରୁ ବାଦ୍ ପଡ଼ିବେ କେମିତି। ଏଣୁ ସେମାନଙ୍କ ମନ ରଖିବାକୁ ମିଠା ବ୍ୟବସାୟୀମାନେ ପ୍ରସ୍ତୁତ କରିଛନ୍ତି ସୁଗାର ଫ୍ରି’ ମିଠା। ସୁଗାର ଫ୍ରି’ ଛେନାପୋଡ଼, ସନ୍ଦେଶ, ପେଡ଼ା ଓ ଗୋଲାପଜାମୁନ୍ ବଜାରରେ ଏବେ ଉପଲବ୍ଧ। ଏସବୁର ଦାମ୍ ଅନ୍ୟ ମିଠା ଅପେକ୍ଷା ଅଧିକ ରହିଛି। ସୁଗାର ଫ୍ରି ଛେନାପୋଡ଼ର କେଜି ପିଛା ଦାମ୍ ୪୫୦ ଟଙ୍କା ହୋଇଥିବା ବେଳେ ସନ୍ଦେଶ ୬୦୦ ଟଙ୍କା, ପେଡ଼ା ୬୦୦ ଟଙ୍କା ଓ ସୁଗାର ଫ୍ରି ଗୋଲାପଜାମୁନ୍ ଗୋଟାକୁ ୨୦ ଟଙ୍କା ଲେଖାଏଁ ବିକ୍ରି ହେଉଛି। ରାଜଧାନୀ ବଜାରରେ ଏହାର ଚାହିଦା ଢେର୍ ଅଧିକା ରହିଛି। କେବଳ ମଧୁମେହ ରୋଗୀ ନୁହନ୍ତି, ସ୍ବାସ୍ଥ୍ୟ ସଚେତନ ସହରିଆମାନେ ବି ସୁଗାର ଫ୍ରି ମିଠା ଅଧିକ ମାତ୍ରାରେ କିଣୁଥିବା ଦେଖିବାକୁ ମିଳୁଛି।