ଭୁବନେଶ୍ବର: ଆଜି ଦିନ ପ୍ରାୟ ଗୋଟାଏ ବେଳେ ବାଣୀବିହାର ରେଳ ଓଭରବ୍ରିଜ୍ ଉପରେ ଏକ କାର୍ ଜଳି ଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡ ଘଟିବା ବେଳେ ଜାତୀୟ ରାଜପଥ ଜାମ୍ ହୋଇଯାଇଥିଲା। ଭୟରେ ଲୋକ ଗାଡ଼ିକୁ ଅତିକ୍ରମ କରିବାକୁ ସାହସ କରିନଥିଲେ।
ଖବର ପାଇ କଳ୍ପନାସ୍ଥିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସୂଚନାନୁଯାୟୀ, ଅଶୋକ ନାୟକ ସପରିବାରେ କଟକରୁ ଜଟଣୀ ଯାଉଥିଲେ। ସେ ବାଣୀବିହାର ରେଳ ଓଭରବ୍ରିଜ୍ ଅତିକ୍ରମ କରିବା ବେଳେ ହଠାତ୍ ତାଙ୍କ କାର୍ରୁ ଧୂଆଁ ବାହାରିଥିଲା। ତେଣୁ ଅଶୋକ ରାସ୍ତା ପାର୍ଶ୍ବରେ କାର୍ ଅଟକାଇବା ସହ ପରିବାରଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇ ଆସିଥିଲେ। ପରେ କାର୍ଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।