ଖଣ୍ଡଗିରି: କାଦୁଅ, ଧୂଳି ଓ ଖାଲଖମା ରାସ୍ତା ଯୋଗୁ ଆଇଗିଣିଆ କୁବେରପୁରୀରେ ବ୍ୟବସାୟୀ ନାକେଦମ୍ ହେଉଛନ୍ତି। ବର୍ଷବର୍ଷ ଧରି ସମାନ ଅବସ୍ଥା ଲାଗି ରହିଥିଲେ ମଧ୍ୟ କାହାର ଦୃଷ୍ଟି ପଡ଼ୁନି। ପ୍ରତିଦିନ ଖୁଚୁରା ବଜାରକୁ ଆଳୁ, ପିଆଜ, ଅଦା, ରସୁଣ ଯୋଗାଉଥିବା ଏହି କୁବେରପୁରୀରେ ସବୁଥାଇ ବି ଶ୍ରୀହୀନ ପାଲଟିଛି। ତଥାପି କୁବେରପୁରୀ ଉନ୍ନତୀକରଣ ଦିଗରେ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ରାସ୍ତା ଏତେ କଦର୍ଯ୍ୟ ଯେ ବାହାର ରାଜ୍ୟରୁ ସାମଗ୍ରୀ ଆଣି ଆସୁଥିବା ଟ୍ରକ୍ଚାଳକମାନେ ଏଠାକୁ ଥରେ ଆସିଲେ ଦ୍ବିତୀୟ ଥର ଆସିବାକୁ ଚାହୁନାହାନ୍ତି।
ପଚପଚ କାଦୁଅ ଯୋଗୁ ଅର୍ଦ୍ଧାଧିକ ଗୋଦାମ ସମ୍ମୁଖକୁ ମାଲ୍ବାହୀ ଟ୍ରକ୍ ଯାଇପାରୁନାହିଁ। ବାରମ୍ବାର କାଦୁଅରେ ଫସିରହିବା ଯୋଗୁ ଏହି ବଡ଼ ଟ୍ରକ୍ଗୁଡ଼ିକ ଆଳୁଗଦିରୁ ଶ୍ରୀକ୍ଷେତ୍ରବିହାରକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଉପରେ ଛିଡ଼ା ହୋଇ ରହୁଛି। ଫଳରେ ଟ୍ରାଫିକ୍ ଜାମ୍ ଯୋଗୁ ଶ୍ରୀକ୍ଷେତ୍ରବିହାର, ରଶ୍ମି ଆପାର୍ଟମେଣ୍ଟ, ମହାଦେବବିହାର ଆଦି ଅଞ୍ଚଳବାସୀ ନାହିଁନଥିବା ହଇରାଣ ହେଉଛନ୍ତି। ଅନୁରୂପ ଭାବେ କାଦୁଅ ଶୁଖିଯିବା ପରେ ଧୂଳିରେ ଅଣନିଶ୍ବାସୀ ହେଉଛନ୍ତି।
୨୫ଏକର ସ୍ଥାନରେ ୧୯୯୧ରେ ପ୍ରତିଷ୍ଠା ହୋଇଥିବା ଆଳୁଗଦିରେ କିଓସ୍କ, ପେଟ୍ରୋଲ୍ ପମ୍ପ, ଶୀତଳଭଣ୍ଡାର, ଗ୍ୟାରେଜ୍, ଟ୍ରକ୍ ପାର୍କିଂ, ଶୌଚାଳୟ, ଗୋଦାମଗୃହ ଆଦି ରହିଛି। ଏଠାରୁ ବାର୍ଷିକ ଶହଶହ କୋଟି ଟଙ୍କାର ରାଜସ୍ବ ଆଦାୟ ମଧ୍ୟ ହୋଇଥାଏ। ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କଠାରୁ ୧୦ରୁ ୨୦ ହଜାର ଓ ଶୀତଳଭଣ୍ଡାର ମାଲିକଙ୍କଠାରୁ ୩୦ରୁ ୪୦ ହଜାର ଟଙ୍କା ଟିକସ ନିଆଯାଏ। ଏତେ ବଡ଼ ବଜାର ହୋଇଥିଲେ ମଧ୍ୟ ଉନ୍ନତମାନର ପକ୍କା ରାସ୍ତାଟିଏ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ଏହି ବଜାରର ଉନ୍ନତି କଥା ଯେମିତି ସରକାର ଭୁଲି ଯାଇଛନ୍ତି। ଏପରିକି ସମସ୍ୟାକୁ ନେଇ ସେମାନେ ବିଡିଏ ଏବଂ ବିଏମ୍ସିକୁ ବ୍ୟବସାୟୀ ସଂଘ ବାରମ୍ବାର ଦାବିପତ୍ର ଦେଇଥିଲେ ମଧ୍ୟ ଫଳ ଶୂନ।
ସେହିପରି ସନ୍ଧ୍ୟାରେ ଏହି ବଜାରରେ ଅସାମାଜିକଙ୍କ ଆଡ଼ା ଜମୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଖୁଲମଖୁଲା ବେଆଇନ ମଦ ବିକ୍ରି ଚାଲୁଛି। ଦୁଇଦିନ ତଳେ ମଦ ପିଇବାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଗୋଦାମ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ପୁଲିସ ପାଟ୍ରୋଲିଂ ହେଉନଥିବାରୁ ବ୍ୟବସାୟୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି।
କାଦୁଅରେ ଫସୁଛି ପରିବା ଗାଡ଼ି
କାଦୁଅ, ଧୂଳି ଓ ଖାଲଖମା ରାସ୍ତା ଯୋଗୁ ଆଇଗିଣିଆ କୁବେରପୁରୀରେ ବ୍ୟବସାୟୀ ନାକେଦମ୍ ହେଉଛନ୍ତି। ବର୍ଷବର୍ଷ ଧରି ସମାନ ଅବସ୍ଥା ଲାଗି ରହିଥିଲେ ମଧ୍ୟ କାହାର ଦୃଷ୍ଟି ପଡ଼ୁନି। ପ୍ରତିଦିନ ଖୁଚୁରା ବଜାରକୁ ଆଳୁ, ପିଆଜ, ଅଦା...
/sambad/media/media_files/2025/08/11/untitled-7-2025-08-11-06-26-41.jpg)