ଭୁବନେଶ୍ବର: ଆଜି ରାଜଧାନୀରେ ଧରା ପଡ଼ିଥିବା ଅଙ୍ଗାଡ଼ିଆ ଠକ ଗ୍ୟାଙ୍ଗ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଉକ୍ତ ଗ୍ୟାଙ୍ଗ୍‌ରେ ସାମିଲ୍ ଥିବା ୩ ପୁଲିସ କର୍ମଚାରୀଙ୍କ ଗିରଫଦାରୀ କଥା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମାମଲାରୁ ସ୍ପେଶାଲ୍‌ ସ୍କ୍ବାଡ୍‌ର ଜଣେ ଏସ୍‌ଆଇଙ୍କୁ ଖସାଇ ଦିଆଯାଇଥିବା ଘଟଣା ଉପରିସ୍ଥ ଅଧିକାରୀମାନଙ୍କୁ ଅଧିକ ଚର୍ଚ୍ଚାକୁ ଟାଣି ନେଇଛି। ଲୁଟେରା ଗ୍ୟାଙ୍ଗ୍‌ରେ ପୁଲିସ କର୍ମଚାରୀ ସାମିଲ୍ ହେବା ଭଳି କଳଙ୍କିତ ଘଟଣାରୁ ଜଣଙ୍କୁ ଖସାଇ ଦେବା ଘଟଣା ଉପରିସ୍ଥ ଅଧିକାରୀମାନଙ୍କ ପକ୍ଷପାତିତାକୁ ପଦାରେ ପକାଇଛି।

Advertisment

ଏହି ମାମଲାରେ ଜଣେ ହାବିଲଦାର ଓ ଦୁଇ ଜଣ କନଷ୍ଟେବଳ ଗିରଫ ହୋଇଛନ୍ତି। କିନ୍ତୁ ଏମାନଙ୍କ ସହ ସାମିଲ୍‌ ଥିବା ସ୍ପେଶାଲ୍‌ ସ୍କ୍ବାଡ୍‌ର ସବ୍‌ଇନ୍ସପେକ୍ଟର ବିଜୟ ଜେନାଙ୍କୁ ଅନୁକମ୍ପା ଦେଖାଇଛନ୍ତି ବରିଷ୍ଠ ଅଧିକାରୀ। ସମାନ ଅପରାଧରେ ସମ୍ପୃକ୍ତ ଥିଲେ ମଧ୍ୟ ବିଜୟଙ୍କୁ କେବଳ ବଦଳି କରି ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ଚେଷ୍ଟା କରିଛି କମିସନରେଟ ପୁଲିସ। ସ୍ପେଶାଲ ସ୍କ୍ବାଡ୍‌ରେ ଯେମିତି କଳଙ୍କର ଛିଟା ନ ପଡ଼େ, ସେଥିପାଇଁ ବରିଷ୍ଠ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଏନେଇ ଏକ ରୁଦ୍ଧଦ୍ବାର ବୈଠକ ମଧ୍ୟ ବସିଛି। ପୂରା ଘଟଣା ସଂକ୍ରାନ୍ତରେ କମିସନରେଟ ପୁଲିସ ପକ୍ଷରୁ ଜାରି କରା ଯାଇଥିବା ପ୍ରେସ ବିଜ୍ଞପ୍ତିରେ ଏସ୍‌ଆଇ ବିଜୟଙ୍କ ସମ୍ପର୍କରେ ସାମାନ୍ୟତମ ସୂଚନା ମଧ୍ୟ ଦିଆଯାଇ ନାହିଁ।

ସୂଚନାନୁସାରେ ଜଣେ ବ୍ୟବସାୟୀଙ୍କଠାରୁ କୋଟିଏ ଟଙ୍କା ହଡ଼ପ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଅଙ୍ଗାଡ଼ିଆ ଗ୍ୟାଙ୍ଗ୍‌ର ମୁଖିଆ ତଥା ଏନ୍‌ଜିଓ ପରିଚାଳକ ମହେଶ୍ବର ସହ ମିଶି ହାବିଲଦାର ଦିଲ୍ଲୀପ ମଲ୍ଲିକ ଓରଫ୍ ପିଙ୍କୁ, କନଷ୍ଟେବଳ ସଞ୍ଜୀବ ପୃଷ୍ଟି ଓ ପ୍ରଫୁଲ ଭୂୟାଁ ଏବଂ ସବ୍‌ଇନ୍ସପେକ୍ଟର ବିଜୟ ଜେନା‌ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ। ଓୟୋ ହୋଟେଲ୍‌ରେ ବ୍ୟବସାୟୀ କମଲ୍‌ ଶାହା ପହଞ୍ଚିବା ପରେ ପୁଲିସ ପୋଷାକ ପିନ୍ଧି ହୋଟେଲରେ ଚଢ଼ଉ କରିବାକୁ ଯୋଜନା ହୋଇଥିଲା। ବେଟିଂ ଚାଲିଥିବା ଅଭିଯୋଗ କରି ଟଙ୍କା ତକ ଜବତ କରିବା ସହ ହଡ଼ପ କରିନେବେ ବୋଲି ଯୋଜନା ହୋଇଥିଲା। ସେହି ଅନୁସାରେ ସବୁ କିଛି କାର୍ଯ୍ୟକାରୀ ହୋଇଥିଲା। ତେବେ ବ୍ୟବସାୟୀ କମଲ୍‌ ବାଥ୍‌ରୁମ୍‌ରେ ପଶି ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରିବା ପରେ ଏୟାର୍‌ପୋର୍ଟ ଥାନା ପୁଲିସ ଚଢ଼ଉ କରିବା ସବୁ ବିଗାଡ଼ି ଦେଲା। ମିଡିଲମ୍ୟାନ୍‌ ପ୍ରଶାନ୍ତ ପଣ୍ଡା ଅପରାଧର ଗୁମର ଖୋଲିଥିଲା। ସବୁ ପୁଲିସ କର୍ମଚାରୀଙ୍କ ନାଁ ଗୋଟି ଗୋଟି କରି କହିଥିଲା। ସେମାନେ ୨୨ ଲକ୍ଷ ୫୦ ହଜାର ଟଙ୍କା ନେଇଯାଇଛନ୍ତି ବୋଲି ମଧ୍ୟ କହିଥିଲା। ତେଣୁ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଏୟାର୍‌ପୋର୍ଟ ଥାନା ପୁଲିସ ତୁରନ୍ତ ଚଢ଼ଉ କରି ତିନି ପୁଲିସ କର୍ମଚାରୀଙ୍କୁ ଗିରଫ କରିଥିଲା। କିନ୍ତୁ ସ୍ପେଶାଲ ସ୍କ୍ବାଡ୍ ସବ୍‌ଇନ୍ସପେକ୍ଟର ବିଜୟ ଜେନାଙ୍କୁ ଗିରଫ କରିବା ବଦଳରେ ରିଜର୍ଭ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା।

ଏଠାରେ ପ୍ରଶ୍ନ ଉଠୁଛି ସବ୍‌ଇନ୍ସପେକ୍ଟର ବିଜୟଙ୍କୁ କାହିଁକି ଅନୁକମ୍ପା ଦେଖାଇଲେ ଅଧିକାରୀ? ଭାବମୂର୍ତ୍ତିରେ କଳଙ୍କର ଛିଟା ଲାଗିବା ଭୟରେ ଗିରଫ ନ କରି ବଦଳି କରିଦେଲେ କି? ସମାନ ଅପରାଧରେ ଅନ୍ୟ ତିନି ଜଣ ଗିରଫ ହୋଇଥିବା ବେଳେ ଏସ୍‌ଆଇଙ୍କୁ କଣ ପାଇଁ ଛାଡ୍‌ କରାଗଲା? ଏହା ପଛରେ କି ଉଦ୍ଦେଶ୍ୟ ରହିଛି? ଏଭଳି ପ୍ରଶ୍ନ ସମୂହକୁ ନେଇ କମିସନରେଟ୍‌ ପୁଲିସ ତଦନ୍ତର ସ୍ବଚ୍ଛତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୋଦ୍‌ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଏହି ମାମଲାରେ ବିଜୟଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ତାଙ୍କୁ ବଦଳି କରାଯାଇଛି। ଏସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।