ଭୁବନେଶ୍ବର: ଠାକୁରାଣୀ ମନ୍ଦିରର ପୂଜକ ବିଜୁ ପଣ୍ଡା ଓରଫ୍ ବାଙ୍କା ଜଣେ ନିଃସନ୍ତାନ ମହିଳାଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ମାମଲାରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ମହିଳାଙ୍କ ବୟାନ୍‌ ରେକର୍ଡ କରିଛି। ଭାରତୀୟ ଡାଇଙ୍ଗ୍‌ ଡିକ୍ଲାରେସନ୍‌ ଏଭିଡେନ୍ସ ଧାରା-୩୨ରେ କଟକ ଏସ୍‌ସିବି ମେଡିକାଲ୍‌ରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି। ସୋମବାର ଅପରାହ୍ଣ ୫ଟା ବେଳେ ଜଣେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌, ଏସ୍‌ସିବି ଶଲ୍ୟ ବିଭାଗର ଜଣେ ବିଶେଷଜ୍ଞ ଏବଂ ପୁଲିସ ଉପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପୂଜକ ବିଜୁ ପଣ୍ଡା ଓରଫ୍ ବାଙ୍କା ତାଙ୍କ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଛି ବୋଲି ମହିଳାଜଣଙ୍କ ରୋକ୍‌ଠୋକ କହିଛନ୍ତି।
ପ୍ରକାଶ ଥାଉ କି, ମହିଳାଜଣଙ୍କ ନିଃସନ୍ତାନ ଥିବାରୁ ମନ୍ଦିରରେ ମାନସିକ କରି ନାନା ପୂଜାର୍ଚ୍ଚନା କରିଥିଲେ।

Advertisment

ଏଥିରେ ମନ୍ଦିରର ପୂଜକ ବାଙ୍କା ତାଙ୍କୁ ସହଯୋଗ କରୁଥିଲା। ମହିଳାଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ବାଙ୍କା ବିଭିନ୍ନ ବାହାନା କରି ପୂଜା କରାଉଥିଲା ଏବଂ ପୂଜାପାଠ ଆଳରେ ତାଙ୍କୁ ଘରକୁ ଡାକିଥିଲା। ଏକଦା ମଉକା ଦେଖି ବାଙ୍କା ତାଙ୍କୁ ଦୁଷ୍କର୍ମ କରିଥିଲା। ପିଶାଚ ବାଙ୍କା ହାବୁଡ଼ରେ ପଡ଼ି ମହିଳା ଦୁଷ୍କର୍ମର ଶିକାର ହେଲେ ବି ଲୋକଲଜ୍ଜା ଡରରେ ଚୁପ୍‌ ରହିଲେ। କିନ୍ତୁ ମହିଳାଜଣଙ୍କ ଗର୍ଭବତୀ ହୋଇଯିବା ପରେ ସବୁ ବିଗିଡ଼ିଗଲା। ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା। ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା। କଥା ଛାଡ଼ପତ୍ର ଯାଏ ଗଲା। ତେବେ ଘଟଣା ପ୍ରଘଟ ହେବା ପୂର୍ବରୁ ବାଙ୍କା ମହିଳାଙ୍କୁ ପୁଣି ଫୁସୁ‌ଲେଇଲା ଏବଂ ବିବାହର ପ୍ରତିଶ୍ରୁତି ଦେଇ ଘରକୁ ନେଇଆସିଥିଲା। ଏହାପରେ ମହିଳା ତାକୁ ବିବାହ କଥା କହିବାରୁ ରାଗରେ ଶୁକ୍ରବାର ରାତିରେ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା। ମହିଳାଙ୍କ ଶରୀରର ୮୦ ପ୍ରତିଶତରୁ ଅଧିକ ଅଂଶ ପୋଡ଼ିଯାଇଛି। ତେଣୁ ତାଙ୍କ ବଞ୍ଚିବା ଆଶା ବହୁତ କମ ବୋଲି ଜଣାପଡ଼ିଛି।