ଭୁବନେଶ୍ବର: ମୁଁ ଭଲପାଇ ଯାଇଥିଲି। ଆଉ ବିବାହ କରିବାକୁ ଚାହୁଥିଲି। ସେ ଓ ତାଙ୍କ ପରିବାର ବିବାହ ପାଇଁ ରାଜି ନହେବାରୁ ବ୍ଲାକମେଲ୍ କରୁଥିଲି। ଏହାଛଡ଼ା ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା। ରାଜଧାନୀରେ ଲଭ୍ ଜିହାଦ ମାମଲାର ଗୁମର ଖୋଲିବା ପାଇଁ କମିସନରେଟ୍ ପୁଲିସ ମହମ୍ମଦ ସମୀର ମନସୁରକୁ ଆଜି ଦିନିକିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା ବେଳେ ଏଭଳି ତଥ୍ୟ ମିଳିଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଥାନାକୁ ଆଣିବା ପରେ ସ୍ପେସାଲ୍ ସ୍କ୍ବାଡ୍ ଓ ମହିଳା ଥାନା ପୁଲିସର ଦୁଇଟି ଟିମ୍ ତାକୁ ବିଭିନ୍ନ ଦିଗ ଉପରେ ଜେରା କରିଥିଲେ। ସେ କେବଳ ଓଡ଼ିଶାର ଜଣେ ଯୁବତୀଙ୍କୁ ଫସାଇଥିଲା ନା ତା ଜାଲରେ ଅନ୍ୟ ରାଜ୍ୟର ଯୁବତୀ ଫିସିଥିଲେ। କେତେ ଯୁବତୀଙ୍କୁ ଫସାଇଥିଲା? ଏମିତି କେତେ ରାଜ୍ୟରେ ତା’ର ନେଟୱର୍କ ରହିଛି? କେଉଁଠି ପାଠ ପଢ଼ୁଥିଲା? ପୁଲିସ ତାକୁ ଗୁଡ଼ାଇତୁଡ଼ାଇ ଯେତେ ପ୍ରଶ୍ନ କରିଥିଲେ ବି ସେ କୌଣସି ଉତ୍ତର ଦେଇନଥିଲା। ଯାହାବି କରିଛି କେବଳ ଯୁବତୀଙ୍କୁ ବିବାହ ପାଇଁ କରିଛି ବୋଲି କହିଥିଲା। ହେଲେ ଏହି ସମୟରେ ତା’ର ଏକ ଫେକ୍ ଇନ୍ଷ୍ଟା ଆକାଉଣ୍ଟ ସମ୍ପର୍କରେ ପୁଲିସ ତଥ୍ୟ ହାତେଇଥିଲା। ସେହି ଆକାଉଣ୍ଟରୁ ସେ ବ୍ଲାକମେଲ୍ ପାଇଁ ଭିଡିଓ ଓ ଫଟୋ ଛାଡ଼ିଥିଲା। ପୂର୍ବରୁ ପୁଲିସ ତା’ର ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଯାଞ୍ଚ କରିଥିବା ପାଇଁ ଏସ୍ଏଫ୍ଏସ୍ଏଲ୍କୁ ମୋବାଇଲ୍ ପଠାଇଥିବା ବେଳେ ବର୍ତ୍ତମାନ ଠାବ କରାଯାଇଥିବା ଫେକ୍ ଆକାଉଣ୍ଟର ମଧ୍ୟ ଯାଞ୍ଚ ହେବ। ପ୍ରକୃତରେ ମନସୁର କେତେ ସତ କହିଛି? ନା ଭୂଆଁ ବୁଲାଇବା ପାଇଁ ମିଛି କହିଛି ତାହା ସମସ୍ତ ତଥ୍ୟ ମିଳିବା ପରେ ସ୍ପଷ୍ଟ ହେବ।
ମିଳିଲା ଫେକ୍ ଇନ୍ଷ୍ଟା ଆକାଉଣ୍ଟ
ଏବେ ବି ରହସ୍ୟରେ ମନସୁରର କାରନାମା
ଖାଲି ଏତିକି ନୁହେଁ ଅନ୍ୟରାଜ୍ୟ କିମ୍ବା ଜାତୀୟସ୍ତରରେ କିଛି ଅଭିଯୋଗ ରହିଛି କି? ପୁଲିସ ତାର ଆପରାଧିକ ଇତିହାସ ଠାରୁ ଆରମ୍ଭ କରି ଅନ୍ୟ ଦିଗ ଉପରେ ମଧ୍ୟ ଖୋଳତାଡ଼ କରିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୫ଘଣ୍ଟା ଧରି ଜେରା କରିଥିଲେ ବି ପୁଲିସ ତା’ପାଖରୁ ବିଶେଷ କିଛି ତଥ୍ୟ ହାତେଇପାରି ନଥିଲା। ୨ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ମାତ୍ର ୫ ଘଣ୍ଟାରେ ତା’ ପଛରେ ଲୁଚିଥିବା ରହସ୍ୟକୁ ଭେଦ କରିବା ପୁଲିସ ପାଇଁ ଏତେଟା ସହଜ ହୋଇନଥିଲା। ଯେହେତୁ ସେ ଦୁବାଇରେ ରହିଥିବା କଥା ପୁଲିସ ଆଗରେ ମାନିଛି। ତା’ର ସୋସିଆଲ ମିଡିଆରେ କିଛି ସନ୍ଦେହଜନକ ତଥ୍ୟ ରହିଛି। ତେଣୁ ତାକୁ ପୁଣି ଥରେ ରିମାଣ୍ଡରେ ଆଣି ଜେରା କରିବାକୁ ପୁଲିସ ଯୋଜନା କରୁଛି। ଅନ୍ୟପଟେ ଜେରା ପରେ ଆଜି ତାକୁ କୋର୍ଟରେ ହାଜର କରାଯାଇଥିଲା। ପ୍ରକାଶ ଥାଉ କି, ମନସୁର ଫ୍ରି ଫାୟାର ଗେମ ଖେଳରୁ ଯୁବତୀଙ୍କୁ ଫସାଇ କାଶ୍ମୀରୁ ଆସି ଓଡିଶାରେ ଭେଟିଥିଲା। ବୁଲିବା ଆଳରେ ଯୁବତୀଙ୍କୁ ପୁରୀକୁ ନେଇ ହୋଟେଲରେ ବଳପୂର୍ବକ ସମ୍ପର୍କ ରଖିବା ସହ ଭିଡିଓ ସୁଟ କରିଥିଲା। ପରବର୍ତ୍ତୀ ସମୟରେ ସେହି ଭିଡିଓ ଓ ଫଟୋ ଯୁବତୀଙ୍କ ପରିବାର ଲୋକଙ୍କୁ ପଠାଇ ବ୍ଲାକମେଲ୍ କରିବା ସହ ଟଙ୍କା ନେଇଥିଲା। ଶୁକ୍ରବାର ଦିନ ପୁଣି ଯୁବତୀଙ୍କ ସହ ବୁଲିବାକୁ ଯୋଜନା ବେଳେ କମିସନରେଟ୍ ପୁଲିସ ତାକୁ ମାଡ଼ିବସିଥିଲା।