ଭୁବନେଶ୍ବର: ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ସୁଭାଷିନୀ ମଲ୍ଲିକ ହଷ୍ଟେଲ୍‌ରୁ ନିଖୋଜ ହୋଇଯିବା ମାମଲା ମୋଡ଼ ବଦଳାଇଛି। ପୁଲିସ ତାଙ୍କୁ ଖୋଜି ପାଇବା ପୂର୍ବରୁ ନିଜେ ସୁଭାଷିନୀ ଏକ ଭିଡିଓ ଭାଇରାଲ୍ କରି ତାଙ୍କ ନିଖୋଜ ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି। ପ୍ରକୃତ ଠିକଣା କହିନଥିଲେ ବି ସେ ତାଙ୍କ ପ୍ରେମିକଙ୍କ ସହ ଭଲରେ ଅଛନ୍ତି ବୋଲି ଭିଡିଓ ମାଧ୍ୟମରେ କହିଛନ୍ତି। ଏଥିସହ ସେ କଲେଜ ଅଧ୍ୟକ୍ଷ, ଛାତ୍ରୀନିବାସ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏଥିପାଇଁ କ୍ଷମା ମାଗିଛନ୍ତି। ପରିସ୍ଥିତିରେ ପଡ଼ି ସେ ଏଭଳି ପଦକ୍ଷେପ ନେଲେ ଓ ଅଯଥାରେ ତାଙ୍କ ଦୋଷ ପାଇଁ କଲେଜ କର୍ତ୍ତୃପକ୍ଷ ନିନ୍ଦିତ ହୋଇଥିବାରୁ ସେ କ୍ଷମା ମାଗୁଛନ୍ତି ବୋଲି ଭିଡିଓ ବାର୍ତ୍ତ‌ାରେ କହିଛନ୍ତି। ସେହିଭଳି ଏସବୁ ଜାଣିବା ପରେ ଆଗକୁ ଆଉ କିଛି ପଦକ୍ଷେପ ନ ନେବାକୁ ସେ ତାଙ୍କ ବାପାଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

Advertisment

ଭିଡିଓରେ ସୁଭାଷିନୀ କହିଛନ୍ତି ଯେ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ସେମାନଙ୍କ ପ୍ରେମ କଥା ମଧ୍ୟ ଦୁଇ ପରିବାରକୁ ଜଣାଥିଲା। ମାତ୍ର ବିବାହ ବାଟରେ ଦୁଇ ପରିବାର କଣ୍ଟା ସାଜିଥିଲେ। ଏହା ଭିତରେ ତାଙ୍କ ପ୍ରେମିକଙ୍କ ବାହାଘର ସ୍ଥିର ହୋଇଥିଲା। ଚଳିତ ମାସ ୭ ତାରିଖରେ ତାଙ୍କର ବିବାହ ହୋଇଥାଆନ୍ତା। ଏହା ଜାଣିବା ପରେ ସୁଭାଷିନୀ ତାଙ୍କୁ ଫୋନ୍‌ କରି ମନ କଥା କହିଥିଲେ ଓ ତାଙ୍କୁ ନେଇଯିବାକୁ ବାଧ୍ୟ କରିଥିଲେ। ଯୋଜନା ଅନୁସାରେ, ସେମାନେ ୨ ତାରିଖ ଦିନ ହଷ୍ଟେଲ ଛାଡ଼ିଥିଲେ।

ଏହି ଭିଡିଓ ଭାଇରାଲ୍ ହେବା ପରେ ବି ପୁଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି। ଭିଡିଓ ପଛରେ ଅନ୍ୟ କିଛି କାରଣ ଥିବା ସନ୍ଦେହ କରି ପୁଲିସ ସେମାନଙ୍କୁ ଖୋଜିବା ଚାଲୁରଖିଛି। ତେଣୁ ସୁଭାଷିନୀଙ୍କ ମୁହଁରୁ ନ ଶୁଣିବା ଯାଏ ବା ତାଙ୍କ ବୟାନ ରେକର୍ଡ ନ କରିବା ପର୍ଯ୍ୟନ୍ତ ଏହି ମାମଲାର ଗମ୍ଭୀରତା ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଗିଂ କାରଣରୁ ବିଜେବି ଛାତ୍ରୀନିବାସରେ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ସୁଭାଷିନୀ ଛାତ୍ରୀନିବାସରୁ ନିଖୋଜ ହେବା ଘଟଣାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା। ସରକାରୀ କଲେଜ ହଷ୍ଟେଲରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ଉପରେ ବିଭିନ୍ନ ମହଲରୁ ଅଙ୍ଗୁଳି ଉଠିଥିଲା।