ବାଲିପାଟଣା: ନରିଶୋ ହାଟୁଆସାହିରେ ଚୋରା ବାଣ କାରଖାନାରେ ହୋଇଥିବା ବିସ୍ଫୋରଣ ମାମଲାକୁ ପୁଲିସ ଗୁରୁତ୍ବର ସହ ନେଇଛି। ସ୍ଥାନୀୟ ଅଞ୍ଚଳରେ କେତେ ବେଆଇନ ବାଣ କାରଖାନା ରହିଛି, ତାହାର ତାଲିକା କରାଯାଇଛି। ଏହି ଘଟଣାରେ ପୁଲିସ ନିଜଆଡ଼ୁ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଚଳାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଭଙ୍ଗା କାରଖାନା ଘର ଭିତରୁ କୁମ୍ପି, ଗଡ଼ମ୍ବା, ବୋମା, ହାବେଳି, ତାଳଫୋଟକା, କଳାବାରୁଦ, ଲୁହା ଗୁଣ୍ଡ ଭଳି ବାଣ ତିଆରିରେ ବ୍ୟବହୃତ ବିଭିନ୍ନ ରାସାୟନିକ ସାମଗ୍ରୀ ଜବତ କରିଛି। ସେପଟେ ବିସ୍ଫୋରଣରେ ଗୁରୁତର ହୋଇଥିବା ବାଣୁଆ ପୂର୍ଣ୍ଣଚନ୍ଦ୍ର ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗତକାଲିଠାରୁ ତାଙ୍କ ଅବସ୍ଥାରେ ସାମାନ୍ୟତମ ସୁଧାର ଆସିନାହିଁ।

Advertisment

ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍‌
୨୦ ବର୍ଷ ପୂର୍ବେ ପୁଅର ହାତ ଛିଡ଼ିଥିଲା, ଗଡ଼ିଲାଣି ୪ ମୁଣ୍ଡ

ଆଜି ବାଲିପାଟଣା ଥାନ‌ା ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ମାନସକୁ ପଚରାଉଚରା କରିଛି। ମାନସ ଓ ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ ଗତ କିଛି ବର୍ଷ ହେଲା ମନୋମାଳିନ୍ୟ ରହିଛି ଏବଂ ସେମାନେ ଅଲଗା ହୋଇ ଚଳୁଛନ୍ତି। ଗତକାଲି ମାନସ ଓ ତାଙ୍କ ପରିବାରଲୋକ ଘରେ ନଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ସେତେବେଳେ ମାନସ ଓ ତାଙ୍କ ପରିବାର ନିକଟସ୍ଥ ଗାଁକୁ ଧାନ ଅମଳ ପାଇଁ ଯାଇଥିଲେ। ତେଣୁ ସେମାନେ ଏହି ଭୟଙ୍କର ବିସ୍ଫୋରଣରୁ ବର୍ତ୍ତି ଯାଉଛନ୍ତି। ତେବେ ମାନସଙ୍କ ଦୁଇ ବଖରା ଓ ବାପା ପୂର୍ଣ୍ଣଚନ୍ଦ୍ରଙ୍କ ଗୋଟିଏ ବଖରା ଘର ମାଟିରେ ମିଶି ଯାଇଛି। ସେହିଭଳି ମାନସଙ୍କର ଗ୍ୟାସ୍‌ ସିଲିଣ୍ଡର୍‌, ଫ୍ୟାନ୍‌, ଟିଭି, ବାସନକୁସନ, ଜମିବାଡ଼ି କାଗଜପତ୍ର, ଲୁଗାପଟା, ଧାନ ଚାଉଳ ସବୁ କିଛି ପାଉଁଶ ହୋଇଯାଇଛି। ପୁଲିସକୁ ଦେଇଥିବା‌ ବୟାନ ଅନୁସାରେ, ୨୦ବର୍ଷ ତଳେ ଏମିତି ଏକ ବାଣ ବିସ୍ଫୋରଣରେ ତାଙ୍କ ବାମ ହାତ ଛିଡ଼ି ଯାଇଥିଲା। ଏହା ପରେ ସେ ବାଣ ଭିଡ଼ିବା ବେଉସାରୁ ଓହରି ଯାଇଥିଲେ। କିନ୍ତୁ ବାପା ପୂର୍ଣ୍ଣଚନ୍ଦ୍ର ଏହି ଜୀବିକାକୁ ଛାଡ଼ି ପାରିନଥିଲେ। ତେବେ ଗତକାଲି କିଭଳି ବାଣ ବିସ୍ଫୋରଣ ହେଲା, ସେନେଇ ମାନସ କିଛି କହିପାରିନାହାନ୍ତି। କିନ୍ତୁ ପଡ଼ୋଶୀମାନେ ପୂର୍ଣ୍ଣଚନ୍ଦ୍ରଙ୍କ ବାଣ ବେପାର ଦୀର୍ଘ ବର୍ଷର ବୋଲି ପୁଲିସକୁ କହିଛନ୍ତି।

ସୂଚନାଯୋଗ୍ୟ, ବାଲିପାଟଣା ଥାନା ଅଞ୍ଚଳରେ ଏଭଳି ବାଣ ବିସ୍ଫୋରଣ କିଛି ନୂଆ କଥା ନୁହେଁ। ବିଗତ ଦିନରେ ଅଞ୍ଚଳରୁ ବାଣ ବିସ୍ଫୋରଣ ୪ଜଣଙ୍କ ମୁଣ୍ଡ ନେଇଛି। ବନମାଳୀପୁର ନୂଆସାହିର ନୃସିଂହ ମିଶ୍ରଙ୍କ ବଡ଼ ପୁଅ ଚିତ୍ତରଞ୍ଜନ, ସାନପୁଅ ଜ୍ଞାନେନ୍ଦ୍ରଙ୍କ ସ୍ତ୍ରୀ ରଶ୍ମିତା ଏଭଳି ବାରୁଦ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ସେହିଭଳି ଗତବର୍ଷ ଦୋଳ ପର୍ବ ବେଳେ ବାଣ ବିସ୍ଫୋରଣ ଘଟି ନରିଶୋ ଷଡ଼ଙ୍ଗୀ ସାହିର ସ୍ମୃତିରଞ୍ଜନ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଭାପୁର ପଞ୍ଚାୟତ ବାଲିକୁଦାପାଟଣାର ସୁକାନ୍ତ ମଲ୍ଲିକ ଘରେ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣରେ ତାଙ୍କ ମୃତ୍ୟୁ ହୋଇଥିଲା।