ଆଇସି଼ଟି ବିଦ୍ୟାଳୟ ସଂଯୋଜକ ସଂଘ ଆନ୍ଦୋଳନ ମାମଲା; ଜେଲ୍‌ରୁ ଫେରିଲେ, କଳାବ୍ୟାଜ୍‌ ପିନ୍ଧି ଧାରଣା ଦେଲେ

ଭୁବନେଶ୍ବର: ରାଜ୍ୟରେ ଛଟେଇ ହୋଇଥିବା ୪ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ପୁନଃନିଯୁକ୍ତି ଦେବା ଦାବିରେ ଆଇସି଼ଟି ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ଚାଲୁ ରହିଛି। ଗତ ୯ ତାରିଖରେ ଗିରଫ ହୋଇଥିବା ୧୪ ଜଣ ଛଟେଇ ଶିକ୍ଷକ ଜାମିନ୍‌ରେ ଆସିବା ପରେ ଆଜି ପୁଣି ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ସେମାନେ ଆଜି ମାଷ୍ଟରକ୍ୟାଣ୍ଟିନ ଛକଠାରେ କଳାବ୍ୟାଚ୍‌ ପିନ୍ଧି ଧାରଣା‌ରେ ବସିଥିଲେ। ଏଥିସହିତ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଅଗଷ୍ଟ ୧୦ରେ ଜାରି ହୋଇଥିବା ନିର୍ଦ୍ଦେଶାନାମାକୁ ଭିତ୍ତିହୀନ ଦର୍ଶାଇଥିଲେ ଓ ତୁରନ୍ତ ତଦନ୍ତ କରି ନୂଆ ଗାଇଡ୍‌ଲାଇନ୍‌ ଜାରି କରିବା ପାଇଁ ଦାବି କରିଥିଲେ। ବିକ୍ଷୋଭସ୍ଥଳରୁ ଛଟେଇ ଶିକ୍ଷକମାନଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ସରକାର ସେମାନଙ୍କ ଦାବି ପୂରଣ ନକଲେ, ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି ଆଇସି଼ଟି ବିଦ୍ୟାଳୟ ସଂଯୋଜକ ସଂଘ ସଭାପତି ଦୀପିକା ମଞ୍ଜରୀ ମିଶ୍ର ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ ଗତ୯ ତାରିଖ ଦିନ ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗାମ ଅଥରିଟି(ଓସେପା) କାର୍ଯ୍ୟାଳୟ ଆଗରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ଫିନାଇଲ୍‌ ପିଇ ଓ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଫଳରେ ଜଣେ ଛଟେଇ ଶିକ୍ଷୟିତ୍ରୀ ଗୁରୁତର ହୋଇଥିଲେ। ବିକ୍ଷୋଭକାରୀମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ସହ ସେମାନଙ୍କ ଠେଲାପେଲା ହୋଇଥିଲା। କ୍ୟାପିଟାଲ୍‌ ଥାନା ପୁଲିସ ୧୪ ଜଣଙ୍କୁ ଗିରଫ କରିଥିଲା ଓ ରାତିରେ କୋର୍ଟ ଚାଲାଣ କରିଥିଲା। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର