‘ମୋ ସାଇକେଲ’ ବିକ୍ରି ମାମଲା: ଡୁମୁଡୁମା କବାଡ଼ି ଗୋଦାମରେ ପୁଲିସର ଛାନ୍‌ଭିନ୍

ସ୍ମାର୍ଟ ସିଟି ଲିମିଟେଡ ମ୍ୟାନେଜରଙ୍କ ବୟାନ ରେକର୍ଡ, ଜବତ ହେବ ଚୋରି ସାଇକେଲ, ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଶହ ଶହ ମୋ ସାଇକେଲକୁ କିଏ ଚୋରି କଲା, କେଜି ୪୦ ଟଙ୍କାରେ କବାଡ଼ି ଗୋଦାମରେ କିଏ ବିକ୍ରି କଲା, ଏହା ପଛର ମାଷ୍ଟରମାଇଣ୍ଡ କିଏ, ଏଥିରେ କେତେଜଣଙ୍କ ସମ୍ପୃକ୍ତି ରହିଛି; ତାହାର ତନାଘନା ଆରମ୍ଭ କରିଛି ସହିଦନଗର ଥାନା ପୁଲିସ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଚୋରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଡୁମୁଡୁମାର ଯେଉଁ କବାଡ଼ି ଗୋଦାମରେ ସାଇକେଲ ବିକ୍ରି କରାଯାଇଛି ସେଠାକୁ ତଦନ୍ତକାରୀ ଟିମ୍ ଯାଇ ଛାନଭିନ୍ କରିଛି। ସାଇକେଲ କିଣିଥିବା କବାଡ଼ି ଗୋଦାମ ମାଲିକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସେହିପରି ମାମଲାର ଅଭିଯୋଗକାରୀ ସ୍ମାର୍ଟି ସିଟି ଲିମିଟେଡ୍ ମ୍ୟାନେଜରଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୁଲିସ। ସିଆରପିସି ଧାର-୧୬୧ ଅନୁସାରେ ଏହି ବୟାନ ରେକର୍ଡ କରାଯାଇଛି।

ସାଇକେଲ ପରିଚାଳନା ଦାୟିତ୍ବରେ ଥିବା ସୂର୍ଯ୍ୟକାନ୍ତ ଦଳବେହେରାଙ୍କୁ ଆସନ୍ତାକାଲି ଥାନାରେ ହାଜର ହେବା ପାଇଁ କୁହାଯାଇଛି। ତାଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ ଏବଂ ଏହି ମାମଲାରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଚୋରି ହୋଇଥିବା ସାଇକେଲଗୁଡ଼ିକୁ ଖୁବଶୀଘ୍ର ଜବତ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମୋ ସାଇକେଲ ଯୋଜନାରେ ଆସିଥିବା ଶହଶହ ସାଇକେଲକୁ କବାଡ଼ି ଗୋଦାମରେ ବିକ୍ରି କରି ଦିଆଯିବା ଘଟଣା ରାଜଧାନୀ ସମେତ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ୨୫ ହଜାର ଟଙ୍କାର ସାଇକେଲକୁ କେଜି ୪୦ ଟଙ୍କା ହିସାବରେ ମାତ୍ର ୬୦୦ ଟଙ୍କ‌ାରେ ବିକ୍ରି କରି ଦିଆ ଯାଇଥିଲା। ଏହାକୁ ନେଇ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଛି। ତେଣୁ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର