ଘୁଞ୍ଚିପାରେ ସିବିଏସ୍‌ଇ ପରୀକ୍ଷା, ଖୁବ୍‌ଶୀଘ୍ର ତାରିଖ ଘୋଷଣା

ଭୁବନେଶ୍ବର: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ। କିନ୍ତୁ ‌କେବେ ହେବ, ସେନେଇ ଖୁବ୍‌ଶୀଘ୍ର ତାରିଖ ପ୍ରକାଶ କରାଯିବ। ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେବେ, ସେନେଇ ବ୍ୟାପକ ବିଚାରବିମର୍ଶ କରାଯାଉଥିବା ସିବିଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ ଏକ ୱେବିନାର୍‌‌ରେ ଭାଗ ନେଇ ସୂଚନା ଦେଇଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷର ୮ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଲାସରୁମ୍‌ ଶିକ୍ଷାଦାନ ସ୍ବାଭାବିକ ହୋଇପାରିନାହିଁ। କେତେକ ରାଜ୍ୟରେ ସ୍କୁଲ ଖୋଲିଥିବା ବେଳେ ଅଧିକାଂଶ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଯେଉଁଥିପାଇଁ ଏବେ କେବଳ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ଚାଲିଛି। ମୋବାଇଲ୍‌ ଆପ୍‌ ମାଧ୍ୟମରେ ବି କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଭଳି ସ୍ଥିତିରେ ବୋର୍ଡ ପରୀକ୍ଷା ହେବ କି ନାହିଁ, ତାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଦ୍ବନ୍ଦ୍ବରେ ରହିଛନ୍ତି।

ସୂଚନା ଅନୁଯାୟୀ, ସିବିଏସ୍‌ଇ ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା ମୁଖ୍ୟତଃ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥାଏ। ତେବେ କରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ କ୍ଲାସରୁମ୍‌ ପାଠପଢ଼ା ସ୍ବାଭାବିକ ହୋଇପାରି ନାହିଁ। ଅଧିକାଂଶ ରାଜ୍ୟରେ ଗୋଟିଏ ବି କ୍ଲାସ ହୋଇନି। କେବଳ ଯାହା ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି। ପରୀକ୍ଷା ଲାଗି ଡିସେମ୍ବର ମାସରେ ମୁଖ୍ୟତଃ ତାରିଖ ଘୋଷଣା କରାଯାଇଥାଏ। ୨୦୧୯ରେ ନଭେମ୍ବର ମାସରେ ସିବିଏସ୍‌ଇ ପରୀକ୍ଷା ତାରିଖ ଘୋଷଣା କରିଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ।ସେପଟେ ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟ ସରକାର ନିଜ ରାଜ୍ୟ ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। ପ୍ରତିବର୍ଷ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେଉଥିବା ଏହି ଦୁଇ ଶ୍ରେଣୀର ପରୀକ୍ଷାକୁ ମେ’ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶାରେ ସ୍କୁଲ ଖୋଲିବାର ୩ ମାସ ପାଠପଢ଼ା ପରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଯଦି ବି ଜାନୁଆରି ମାସରେ ସ୍କୁଲ ଖୋଲେ, ତେବେ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ କ୍ଲାସ ହେବ। ଏପ୍ରିଲ କିମ୍ବା ମେ’ ମାସରେ ପରୀକ୍ଷା ହେବାର ସମ୍ଭାବନା ରହିଛି। ଆଉ କିଛି ରାଜ୍ୟ ବି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଫଳରେ ସିବିଏସ୍‌ଇ ବି ପରୀକ୍ଷା ତାରିଖ ଘୁଞ୍ଚାଇବାର ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର