ଭୁବନେଶ୍ୱର: ‘ଲିଖା ହୈ କିଉଁ ନସିବୋ ମେଁ ମୋହବତ ତୋ ଖୁଦା ଜାନେ’, ‘ଯୋ ଦିଲ୍ ହଦ୍ ସେ ଗୁଜର ଯାୟେ, କିସିକି ଓ କ୍ୟା ମାନେ’, ‘ବହତ୍ ଆୟି ଗୟିଁ ୟାଦେଁ ମଗର୍ ଇସ୍ବାର ତୁମି ହି ଆନା...’ ଏମିତି ମନଛୁଆଁ ଗୀତର ଗୁଞ୍ଜନ ଶୀତୁଆ ସନ୍ଧ୍ୟାକୁ ହଠାତ୍ ଉଷ୍ମ କରି ଦେଇଥିଲା। ଏକାସ୍ୱରରେ ‘ଜୁବିନ୍ ଜୁବିନ୍...’ ଚିତ୍କାର କରି ନିଜ ସିଟ୍ରୁ ଉଠି ଯାଇଥିଲେ ଦର୍ଶକ। ଅବସର ଥିଲା ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ଆରମ୍ଭ ହୋଇଥିବା ‘ଏକାମ୍ର ଉତ୍ସବ’ର ଶେଷ ସନ୍ଧ୍ୟାରେ ଅନୁଷ୍ଠିତ ସଙ୍ଗୀତ କାର୍ଯ୍ୟକ୍ରମ। ଗାୟକ ଜୁବିନ୍ ନଟିୱାଲ ମଞ୍ଚକୁ ଆସିବା କ୍ଷଣି ନିଜ ସିଟ୍ରୁ ଉଠିଯାଇ ମଞ୍ଚତଳେ ଗଦା ହୋଇ ଯାଇଥିଲେ ଶହ ଶହ ଦର୍ଶକ। ନା କାହା ହାତରୁ ମୋବାଇଲ ଖସୁଥିଲା ନାଁ ପାଟିରୁ ବନ୍ଦ ହେଉଥିଲା ସଂଗୀତ। ଗୋଟିଏ ପରେ ଗୋଟିଏ ଜୁବିନ୍ଙ୍କ ହିଟ୍ ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ। ତାଙ୍କର ରୋମାଣ୍ଟିକ ଗୀତଗୁଡ଼ିକୁ କିଏ ମୋବାଇଲ୍ରେ ରେକର୍ଡ କରି ରଖୁଥିଲା ତ କିଏ ଲାଇଭ୍ ଭିଡ଼ିଓ ତିଆରି କରି ସେୟାର୍ କରୁଥିଲା। ‘ହାଏ ମେରି ଆଖେଁ’, ‘ଆଏ ଯୋ ତେରି ୟାଦେଁ...’ ଭଳି ଗୀତଗୁଡ଼ିକ ତ ଦର୍ଶକଙ୍କୁ ସତେ ଯେପରି ନାଚିବାକୁ ବାଧ୍ୟ କରିଦେଇଥିଲା।
ତା’ ଭିତରେ ପ୍ରମୁଖ ଆକର୍ଷଣ ପାଲଟିଥିଲା ବାକ୍ଶକ୍ତି ନଥିବା ପିଲାଙ୍କ ନୃତ୍ୟ। ଗୋଟିଏ ସମୟରେ ମଞ୍ଚ ତଳେ ଏତେ ଦର୍ଶକ ଠିଆ ହୋଇଗଲେ ଯେ ପଛରେ ବସିଥିବା ଲୋକମାନେ ଚିତ୍କାର କରି ତାଙ୍କୁ ବସିବାକୁ କହୁଥିଲେ। ଆଜି ସିଲଭର୍ରୁ ପ୍ରିମିୟମ୍ ପର୍ଯ୍ୟନ୍ତ ସବୁ ସିଟ୍ ପୂରି ଯାଇଥିଲା। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଆୟୋଜିତ ଏହି ସମାରୋହର ସନ୍ଧ୍ୟା ଆରମ୍ଭ ହୋଇଥିଲା ଓଲିଉଡ୍ କଣ୍ଠଶିଳ୍ପୀ ଦୀପ୍ତିରେଖାଙ୍କ ‘ଟିକେ ଅଜଣା ତୁ’ ଗୀତରୁ। ଏହା ପରେ ଦୀପ୍ତି ରେଖା ଓ ଆଶୁତୋଷ ମହାନ୍ତିଙ୍କ କଣ୍ଠରେ ଓଡ଼ିଆ ଲୋକପ୍ରିୟ ରୋମାଣ୍ଟିକ ଗୀତ ଦର୍ଶକଙ୍କୁ କମ୍ ମତୁଆଲା କରି ନଥିଲା।
ଆଜି ‘ଆମ ବ୍ୟଞ୍ଜନ’ ଓ ନାଇଟ ଫ୍ଲି ବଜାରରେ ମଧ୍ୟ ବଡ଼ ଭିଡ଼ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟାରେ ନାଇଟ୍ ଫ୍ଲି ମାର୍କେଟରେ ଶିଳ୍ପୀମାନଙ୍କୁ ପ୍ରମାଣପତ୍ର ଦିଆ ଯାଇଥିଲା। ହସ୍ତତନ୍ତ କାରିଗରମାନେ ନିଜ କାରିଗରୀର ସିଧା ପ୍ରସାରଣ କରିଥିଲେ। ଶୀତୁଆ ସନ୍ଧ୍ୟାରେ ‘ଆମ ବ୍ୟଞ୍ଜନ’ରେ ଖାଦ୍ୟର ଆସର ଜମିଥିଲା। ବିଶେଷ କରି ବନଜାତ ଖାଦ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ପୁଣି ପିଠା ଷ୍ଟଲ ସହ ପ୍ରଭୁଲାଲଙ୍କ ସରସତିଆ ଖାଇବାକୁ ଭିଡ଼ ଜମିଥିଲା। ଆଜି ଶେଷ ସନ୍ଧ୍ୟାରେ କାଇ ଚଟଣି, ନାଲି ଚାଉଳ ଖେଚୁଡ଼ି ଓ ପତ୍ରପୋଡ଼ା ଆଇଟମ ସହ ମିଲେଟ୍ ମିଶନର ବିଭିନ୍ନ ଖାଦ୍ୟ ଖାଇଥିଲେ ଦର୍ଶକ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।
ଉଲ୍ଲେଖନୀୟ ଯେ ଏକାମ୍ର ମହୋତ୍ସବ ଆଜି ଶେଷ ହୋଇଥିଲେ ହେଁ ଏହି ଉତ୍ସବ ଅବସରରେ ଆରମ୍ଭ ହୋଇଥିବା ଏକାମ୍ର ଵାକ୍ସ ଆସନ୍ତା ମାର୍ଚ୍ଚ ଯାଏଁ ଚାଲିବ।