ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ରାଜଧାନୀ ଭୁବନେଶ୍ବରରେ ଆଜିଠାରୁ ବୁଲାକୁକୁର ଗଣତି ଆଜିଠାରୁ ଆରମ୍ଭ ହୋଇଛି। ଭୋର୍ ୫ଟାରୁ ଏହି ଗଣତି ଆରମ୍ଭ ହୋଇଛି। କୁକୁର ଗଣତି ପାଇଁ ନିୟୋଜିତ ୪୧୦ଜଣିଆ ଟିମ୍ ଆଜିଠାରୁ ୬୭ଟି ୱାର୍ଡର ପ୍ରତି ସାହି ଗଳିକନ୍ଦି ରାସ୍ତା, ଆପାର୍ଟମେଣ୍ଟ, ଘର ଆଦି ବୁଲିବା ଆରମ୍ଭ କରିଛନ୍ତି। ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶକ୍ରମେ ବୈଜ୍ଞାନିକ ପଦ୍ଧତିରେ ଆଜି କୁକୁର ଗଣତି ଆରମ୍ଭ ହୋଇଛି। ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର୍, ସାନିଟାରି ଇନ୍ସପେକ୍ଟର, ଏସ୍ଏମ୍ଟିଏ, ଡିଇଓ, ସିଓ, ଵାର୍ଡ ଅଫିସରମାନେ ଏହି ଗଣତି କରିଛନ୍ତି। ସକାଳେ କମିସନର୍ ଚଞ୍ଚଳ ରାଣା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ଗଣତି ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
କମିସନର୍ ଶ୍ରୀ ରାଣା କହିଛନ୍ତି, ପ୍ରଥମ ପର୍ଯ୍ୟାୟ କୁକୁର ଗଣତି ସେପ୍ଟେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୪୧୦ଜଣିଆ ଏହି ଟିମ୍ ଭୁବନେଶ୍ବର ମହାନଗର ନିଗମର ସମସ୍ତ ୬୭ ୱାର୍ଡରେ ଗଣତି ସାରିବା ପରେ ପୁନର୍ବାର ଦ୍ବିତୀୟ ପର୍ଯ୍ୟାୟ କୁକୁର ଗଣତି ୬୭ଟି ୱାର୍ଡରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ଗଣତି ଚାଲିବ। ପରେ ଦୁଇ ପର୍ଯ୍ୟାୟର ସଂଖ୍ୟା ଓ ତାଲିକାକୁ ମେଳକ କରାଯିବ। ଦୁଇ ତାଲିକାର କେତେ ଫରକ ଆସୁଛି ଜାଣିବା ପରେ ବୁଲାକୁକୁରଙ୍କ ସଂଖ୍ୟା ସ୍ପଷ୍ଟ ହେବ ବୋଲି କମିସନର୍ ଶ୍ରୀ ରାଣା କହିଛନ୍ତି।
ପ୍ରଥମ ଗଣତି ସହ ମେଳକ ହେବ ଦ୍ବିତୀୟ ଗଣତି
ସାହି ଗଳିକନ୍ଦି ସହ ଆପାର୍ଟମେଣ୍ଟରେ ବି ଚାଲିଛି ଗଣନା
ଶ୍ରୀ ରାଣା କହିଛନ୍ତି, ବୈଜ୍ଞାନିକ ପଦ୍ଧତିରେ ଆମେ ଗଣତି କରୁଛୁ। ଗଣତି ପ୍ରକ୍ରିୟାରେ ପ୍ରାୟ ୪.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯେହେତୁ କୁକୁରମାନେ ରାତିରେ ସେମାନଙ୍କ ନିଜ ନିଜ ରହଣୀ ସ୍ଥାନକୁ ଫେରି ଆସନ୍ତି ଓ ସକାଳ ୭ରୁ ୮ଟା ପରେ ପୁଣି ଖାଇବାକୁ ବିଭିନ୍ନ ଅଞ୍ଚଳକୁ ପଳାନ୍ତି, ସେ ଦୃଷ୍ଟିରୁ ଆମେ ପ୍ରକୃଷ୍ଟ ସମୟ ଭାବେ ଭୋର ସମୟକୁ କୁକୁର ଗଣତି ପାଇଁ ବାଛିଛୁ। ପ୍ରତ୍ୟେକ ୱାର୍ଡ ଓ ସାହି ପାଇଁ ଆମେ ଟିମ୍ ବିଭକ୍ତୀକରଣ କରିଛୁ। ପ୍ରତି ୱାର୍ଡରେ ୪ରୁ ୫ଟି ଟିମ୍ ନିୟୋଜିତ ହୋଇଛନ୍ତି। ସେମାନେ ପ୍ରଥମ ପର୍ଯ୍ୟାୟରେ ନିଜ ନିଜ ଅଞ୍ଚଳ ବୁଲିବେ ଓ କୁକୁର ଗଣିବେ। ପରେ ଆଉ ଏକ ଟିମ୍ ସେହି ଅଞ୍ଚଳକୁ ବୁଲିବେ ଓ କୁକୁର ଗଣିବେ। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସାହି ରାସ୍ତା ଓ ଗଳିକନ୍ଦିକୁ ମିଶାଇ ପ୍ରାୟ ୪ହଜାର କିଲୋମିଟର ରହିଛି। କେବଳ ରାସ୍ତା ଓ ସାହିଗଳି ନୁହେଁ, ଅନେକ ଜାଗାରେ ଆମକୁ ଆପାର୍ଟମେଣ୍ଟ, ବିଦ୍ୟାଳୟରେ ପଶିବାକୁ ପଡ଼ୁଛି। ଗାଡ଼ି ତଳ, ମାର୍କେଟ୍ ଅଞ୍ଚଳ ବି ଦେଖିବାକୁ ପଡ଼ୁଛି। ସେଥିପାଇଁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶକ୍ରମେ ସମୟ ଉପଯୋଗୀ ପ୍ରକ୍ରିୟାରେ ଗଣତି କରାଯାଉଛି ବୋଲି ଶ୍ରୀ ରାଣା କହିଛନ୍ତି।
ଗଣତିରେ ନିୟୋଜିତ ପ୍ରାଣୀ ଚିକିତ୍ସକମାନେ କହିଛନ୍ତି, ଡିଟେଲ୍ ସର୍ଭେ ପ୍ରଣାଳିରେ ବୁଲାକୁକୁର ଗଣତି କରାଯାଉଛି। ଜୋନ୍ ଓ ରୁଟ୍ ହିସାବରେ ଦୁଇଜଣ ଲେଖାଏଁ ଗଣନାକାରୀ ନିୟୋଜିତ ହୋଇଛନ୍ତି। ରୁଟ୍ ସହ କିଏ କେତେ କିଲୋମିଟର ଅଞ୍ଚଳରେ କୁକୁର ଗଣତି କରିବେ, ତାର ତାଲିକା ବଣ୍ଟାଯାଇଛି। ଗଣତିରେ ଆମେ ମାଈ, ଅଣ୍ଡିରା କୁକୁର ଗଣୁଛୁ। ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହୋଇଛି କି ହୋଇନି ଦେଖୁଛୁ। କୁକୁରଙ୍କ ଭିତରେ ଛୋଟକୁକୁର କେତୋଟି ଅଛି ତାର ବି ତାଲିକା କରୁଛୁ। ଏବିସି(ପଶୁ ଜନ୍ମ ନିୟନ୍ତ୍ରଣ) ଯୋଜନାରେ ବନ୍ଧ୍ୟାକରଣ ସହ ବୁଲାକୁକୁର ଗଣନା ବି ଏକ ପ୍ରମୁଖ ଲକ୍ଷ୍ୟ। ସଂଖ୍ୟା ଜାଣିପାରିଲେ, ବାର୍ଷିକ ହିସାବରେ ଆମେ ଆଣ୍ଟିରାବିସ୍ ଟିକା କୁକୁରଙ୍କୁ ଦେଇପାରିବୁ। କେଉଁଠି କୁକୁର କାମୁଡ଼ା ଅଧିକ ଜାଣିପାରିବୁ ଓ ଆବଶ୍ୟକ ପଦକ୍ଷେପ ନେଇପାରିବୁ।