ସେସ୍‌ପୁଲ୍‌ ପରିଚାଳନା କରିବେ କିନ୍ନର

ଭୁବନେଶ୍ୱର: ବିଏମ୍‌ସିର ସେସପୁଲ୍ ଗାଡ଼ିଗୁଡିକର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବେ କିନ୍ନର। ଏନେଇ ଆଜି ‘ସ୍ବୀକୃତି’ ଗୋଷ୍ଠୀ ସହ ଚୁକ୍ତିନାମା ସ୍ବାକ୍ଷରିତ କରିଛି ବିଏମ୍‌ସି। ମେୟର ସୁଲୋଚନା ଦାସ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଏହି ଗୋଷ୍ଠୀର ମୁଖ୍ୟଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି କିନ୍ନର ଗ୍ରୁପ୍‌ଙ୍କ ଠାରୁ କୌଣସି ମାସିକ ଶୁଳ୍କ ଆଦାୟ କରାଯିବ ନାହିଁ। ସେମାନେ ଡ୍ରାଇଭର ସହ ଦୁଇଜଣ ସହାୟକଙ୍କୁ ନିୟୋଜିତ କରିବେ। ଗାରିମା ଯୋଜନା ଅନ୍ତର୍ଗତ ପରିମଳ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମଜୁରୀ ପ୍ରଦାନ କରି‌ବେ।

କର୍ମଚାରୀଙ୍କ ସବିଶେଷ ସୂଚନା ବିଏମସିରେ ଦାଖଲ କରିବେ। ବର୍ତ୍ତମାନ ବିଏମ୍‌ସିରେ ୯ଟି ଗାଡ଼ି ରହିଛି। ୭ଟି କାର୍ଯ୍ୟକ୍ଷମ ଥିବା ବେଳେ ଦୁଇଟି ମରାମତି ପରେ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ଆଉ ଗୋଟିଏ ଛୋଟ ଗାଡ଼ି ପରୀକ୍ଷାମୂଳକ ଭାବରେ ପରିଚାଳନା କରାଯାଉଛି। ଗଳିକନ୍ଦିରେ ବୁଲି ଏହା ମଳ ସଫା କରୁଛି। ଏହା ସଫଳ ହେଲେ ଆଉ ଅଧିକ ଛୋଟ ଗାଡ଼ି ଆସିବ। ପୂର୍ବରୁ ଏହି କିନ୍ନର ଗୋଷ୍ଠୀ ବାସୁଆଘାଇ ମଳ ପରିଚାଳନା ପ୍ରକଳ୍ପ ଓ ବିଭିନ୍ନ ପାର୍କିଂ ସ୍ଥଳ ପରିଚାଳନା କରୁଛନ୍ତି। ଗୋଷ୍ଠୀ ଭାଗିଦାରୀରେ କିନ୍ନରମାନଙ୍କୁ ସାମିଲ କରିବା ସହ ସେମାନଙ୍କ ଆୟବୃଦ୍ଧିରେ ସହାୟକ ହେବାକୁ ବିଏମ୍‌ସି ପ୍ରାଥମିକତା ଦେଉଥିବା ମେୟର କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ଓ ଡେପୁଟି କମିସନର ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର