ଭୁବନେଶ୍ବର: ୫ମାସ ହେଲା ରାଜଧାନୀରେ ଲୁଟ୍, ଛିନ୍ତାଇ, ଡକାୟତି ଓ ବୋମାମାଡ଼ ଭଳି ଯେଉଁ ସଙ୍ଗିନ୍ ଅପରାଧ ଘଟୁଥିଲା, ତା’ର ମାଷ୍ଟରମାଇଣ୍ଡ୍ ଥିଲେ ଜଣେ ମହିଳା। ଅପରାଧର ପୂରା ବ୍ଲୁ-ପ୍ରିଣ୍ଟ ତିଆରି କରି ଲୁଟେରାଙ୍କୁ କାମରେ ଲଗାଉଥିଲେ। ଲୁଟ୍ ସୁନାଗହଣା ଓ ମୋବାଇଲ୍ର କମିସନ୍ ରଖି ଲୁଟେରାଙ୍କୁ ବାକି ଟଙ୍କା ଦେଉଥିଲେ। ଏପରିକି ପୁଲିସ୍ କବଳରୁ ରକ୍ଷା କରିବା ପାଇଁ ଅପରାଧୀମାନଙ୍କୁ ସେ ବସ୍ତିର ବିଭିନ୍ନ ଘରେ ଲୁଚାଇ ରଖୁଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହିଳାଜଣକ ଲୁଟ୍ରେ ତାଙ୍କ ପୁଅକୁ ମଧ୍ୟ ସାମିଲ କରିଥିଲେ। ଯୋଜନା କରି ପୁଅକୁ ଗ୍ୟାଙ୍ଗ୍ ମୁଖିଆ କରିଥିଲେ। ଉଭୟ ମା’-ପୁଅ ରାଜଧାନୀକୁ ଥରହର କରୁଥିଲେ। ଆଜି ଚକରା ଗ୍ୟାଙ୍ଗ୍ ଧରାପଡ଼ିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେ ହେଲେ, ୟୁନିଟ୍-୬ ପିଚୁକୁଳି ବସ୍ତିର ଜ୍ୟୋତ୍ସ୍ନାରାଣୀ ମହାପାତ୍ର (୪୦)। ପୁଲିସ୍ ଆଜି ଜ୍ୟୋତ୍ସ୍ନରାଣୀଙ୍କ ସହ ଚକରା ଗ୍ୟାଙ୍ଗର ମୋଟ ୭ଜଣଙ୍କୁ ଗିରଫ କରିଛି। ତେବେ ଜ୍ୟେତ୍ସ୍ନାଙ୍କ ପୁଅ ତଥା ଗ୍ୟାଙ୍ଗର ମୁଖ୍ୟ ଫେରାର୍ ହୋଇଯାଇଥିବା ଜଣାଯାଇଛି। ପୁଲିସ୍ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ତା’ ନାମ ପ୍ରକାଶ କରିନାହିଁ।
୧୪ସୁନା ଚେନ୍, ୧୬ମୁଦି, ୨.୩କେଜି ରୁପା ଅଳଙ୍କାର,
୨ ବାଇକ, ଖଣ୍ଡା ଓ ଭୁଜାଲି ଜବତ
ଖଣ୍ଡଗିରି ଥାନା ପୁଲିସ ଦୁର୍ଦ୍ଦାନ୍ତ ଡକାୟତ ଚକ୍ରଧର ବାରିକ ଓରଫ ଚକରାକୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ତା’ର ପୂରା ଗ୍ୟାଙ୍ଗ୍କୁ କାବୁ କରିଛି। ଧରାପଡ଼ିଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ, ରବିନ୍ ଶତପଥୀ ଓରଫ ଜଗନ(୨୨), ଗଂଜାମର ପପୁନ ମାଝୀ ଓରଫ ପପୁ(୨୭), ନୂଆପଲ୍ଲୀ ଭୋଇସାହିର ଅମୀର ଭୋଇ (୨୫), ଖୋର୍ଦ୍ଧା ବାଣପୁରର ପବିତ୍ର ଚର୍ଚ୍ଚି ଓରଫ କୃଷ୍ଣ(୨୩), ଭରତ ଖୁଣ୍ଟିଆ(୨୭), ସନ୍ତୋଷ ପରିଡ଼ା(୨୯)। ପୁଲିସ ସେମାନଙ୍କଠାରୁ ୯୬ ଗ୍ରାମ୍ର ୧୪ଟି ସୁନାଚେନ୍, ୩୦ଗ୍ରାମ୍ର ୧୬ଟି ସୁନା ମୁଦି, ୨.୩ କେଜିର ପାଉଁଜି, ୨ଟି ବାଇକ୍, ଭୁଜାଲି ଓ ଖଣ୍ଡା ଜବତ କରିଛି। ଅଧିକ ତଥ୍ୟ ଆଦାୟ ପାଇଁ ପୁଲିସ୍ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।
ବର୍ଷା ହେବାରୁ ଯୋଜନା ବଦଳିଥିଲା
୧୧ ତାରିଖ ବିଳମ୍ବିତ ରାତିରେ ଚକରାର ଏହି ଗ୍ୟାଙ୍ଗ୍ ଖୋର୍ଦ୍ଧାର ଏକ ସୁନା ଦୋକାନ ଲୁଟ୍ କରିବାକୁ ଯୋଜନା କରିଥିଲା। ଯୋଜନା ମୁତାବକ, ବରମୁଣ୍ଡାରୁ ବାହାରି ଏହି ଗ୍ୟାଙ୍ଗ୍ ଖୋର୍ଦ୍ଧାସ୍ଥିତ ଉକ୍ତ ସୁନା ଦୋକାନୀ ଯିବା ରାସ୍ତାରେ ଛକିଥିଲେ। ମାତ୍ର ବର୍ଷା ହେବାରୁ ସୁନା ଦୋକାନୀ ଦୋକାନ ଭିତରେ ହିଁ ସବୁ ଗହଣା ରଖି ଖାଲି ହାତରେ ବାହାରିଥିଲେ। ତେଣୁ ବାଧ୍ୟ ହୋଇ ଚକରା ଗ୍ୟାଙ୍ଗ୍ ଯୋଜନା ବଦଳାଇ ବରମୁଣ୍ଡା ଫେରିଆସିଥିଲେ। ଏହା ପରେ ସକାଳୁ ସକାଳୁ ଡେଲ୍ଟାରେ ବୋମା ମାଡ଼ କରି ଲୁଟ୍ କରିବାକୁ ଯୋଜନା ହୋଇଥିଲା। ମାତ୍ର ଘଟଣା ସମୟରେ ପୁଲିସ ପହଞ୍ଚି ସବୁ ଯୋଜନାକୁ ପଣ୍ଡ କରିଥିଲା।
ଅପରେସନ୍ ‘ହଟ୍ ପର୍ସ୍ବିଟ୍’
ଚକରା ଗ୍ୟାଙ୍ଗ୍କୁ ଗିରଫ କରିବା ବେଳେ ତା’ ଗ୍ୟାଙ୍ଗ୍ ପୁଲିସକୁ ଗୁଳି କରିବା ସହ ବୋମା ଫିଙ୍ଗିଥିଲା। ପୁଲିସ ଗୁଳିରେ ଚକରା ଆହତ ହୋଇଥିଲା। ଏଥିରେ ୨ଜଣ ପୁଲିସ ମଧ୍ୟ ଆହତ ହୋଇଥିଲେ। ତେଣୁ ବିନା ଆକ୍ରମଣରେ ଅପରାଧୀ ଯେପରି ଆହତ ନ ହୋଇ ଧରାପଡ଼ିବେ, ସେଥିପାଇଁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ କରିଥିଲା। ଏହାର ନାମ ରଖାଯାଇଥିଲା ‘ହଟ୍ ପରସ୍ବିଟ୍’। ଏହାର ଓଡ଼ିଆ ଅର୍ଥ ଦ୍ରୁତ ଗତିରେ ପିଛା କରିବା। ଦୁର୍ଦ୍ଦାନ୍ତ ଚକରାକୁ ପୁଲିସ ରିମାଣ୍ଡରେ ଆଣି ଗ୍ୟାଙ୍ଗ୍ ବାବଦରେ ବିସ୍ତୃତ ସୂଚନା ସଂଗ୍ରହ କରିଥିଲା।
ଗ୍ୟାଙ୍ଗ୍ରେ ଯେତେ ଅପରାଧୀ ଅଛନ୍ତି, ସମସ୍ତଙ୍କୁ ଶୀଘ୍ର ଧରିବା ପାଇଁ କମିସନରେଟ୍ ପୁଲିସ ପୂରା ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲା। ତଦନୁଯାୟୀ ଭରତପୁର, ଖଣ୍ଡଗିରି, ନୂଆପଲ୍ଲୀ, ତମାଣ୍ଡୋ ପ୍ରମୁଖ ଥାନାର ପିଓପିଡି ଟିମ୍, ଟିମ୍-୬୦ ଓ ସ୍ପେସାଲ୍ ସ୍କ୍ବାଡ୍ ମିଳିତ ଭାବେ ଏହି ଗ୍ୟାଙ୍ଗ୍କୁ କାବୁ କରିଥିଲେ। ମାତ୍ର ଗ୍ୟାଙ୍ଗ୍ର ମୁଖ୍ୟ ତଥା ମାଷ୍ଟରମାଇଣ୍ଡ ଜ୍ୟୋତ୍ସ୍ନାମୟୀଙ୍କ ପୁଅ ଫେରାର୍ ହେବାରେ ସକ୍ଷମ ହୋଇଛି। ତାକୁ ଧରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରଖିଛି।
୨୨ ଲୁଟ୍, ୫ ସୁନା ଦୋକାନୀଙ୍କୁ ଆକ୍ରମଣ
୨୦୨୧ ଡିସେମ୍ବର ୩୧ ତାରିଖରେ ନୟାଗଡ଼ ରଣପୁରରେ ଏକ ସୁନା ଦୋକାନରେ ବୋମାମାଡ଼ କରି ପ୍ରଥମ ଲୁଟ୍ କରିଥିଲା ଚକରା ଗ୍ୟାଙ୍ଗ୍। ଏହା ପରେ ବେଗୁନିଆରେ ଥିବା ସୁନା ଦୋକାନ, ମାର୍ଚ୍ଚ ମାସରେ ଯାଁଳା ବଜାରରେ ଥିବା ସାଗରିକା ଜୁଏଲାର୍ସରେ ଗୁଳି ମାଡ଼ କରି ଲୁଟ୍, ସୌଭାଗ୍ୟନଗରରେ ଓଁ ଲକ୍ଷ୍ମୀନାରାୟଣ ଜୁଏଲାର୍ସର ମାଲିକକୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍ ଓ ଲିଙ୍ଗରାଜ ଥାନା ଅଧୀନରେ ଥିବା ଦୁର୍ଗାଦେବୀ ସୁନା ଜୁଏଲାର୍ସ ମାଲିକ ଓ କାରିଗରକୁ ଗୁଳି କରି ଲୁଟ୍ ଉଦ୍ୟମ କରିଥିଲା। ମାତ୍ର ୫ମାସ ମଧ୍ୟରେ ୫ସୁନା ଦୋକାନ ଓ ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ଘଟଣା କମିସନରେଟ୍ ପୁଲିସ ପାଇଁ ଚିନ୍ତା ବଢ଼ାଇଥିଲା। କେବଳ ସୁନା ଦୋକାନୀ ନୁହେଁ, ସୁନାଚେନ୍ ଓ ମୋବାଇଲ୍ ଧରିଥିବା ଲୋକଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଲୁଟୁଥିଲା ଏହି ଗ୍ୟାଙ୍ଗ୍। ଏହି ଗ୍ୟାଙ୍ଗ୍ ନାଁରେ ବିଭିନ୍ନ ଥାନାରେ ୨୨ରୁ ଊର୍ଧ୍ବ ଲୁଟ୍ ମାମଲା ରୁଜୁ ହୋଇଛି।