ଭୁବନେଶ୍ବର: ଉତ୍କଳ ଦିବସ ପାଳନ ପାଇଁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ସାରା ଓଡ଼ିଶା। ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିବା ଏମାଟିର ବରପୁତ୍ରକୁ ଝୁରି ହୋଇଥିଲେ ପ୍ରେତ୍ୟେକ ଓଡ଼ିଆ। ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ସ୍ବାଭାବ କବି ଗଙ୍ଗାଧର ମେହେର, ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରମୁଖ ବରପୁତ୍ରମାନଙ୍କୁ ସମ୍ମାନ ଜଣାଇ ଆୟୋଜନ ହୋଇଥିଲା ଅନେକ କାର୍ଯ୍ୟକ୍ରମ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଦପ୍ତର, ବିଭାଗୀୟ କାର୍ଯ୍ୟାଳୟରେ ଉତ୍କଳ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ନେତା, ମନ୍ତ୍ରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନେ ଦିନ ସାରା ଉତ୍କଳମାତାର ଗୁଣଗାନ କରିଥିଲେ। ସବୁଠି ଶୁଭିଥିଲା ‘ବନ୍ଦେ ଉତ୍କଳ ଜନନୀ’.....
କିଟ୍ ଓ କିସ୍
ଚନ୍ଦ୍ରଶେଖରପୁର: କିଟ୍ ଓ କିସ୍ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଛି। ଏହି ଅବସରରେ କିଟ୍ ଓ କିସ୍ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନର ସ୍ମୃତିଚାରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କହିଲେ, ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନର ଶହେବର୍ଷ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରିଥିବା ବେଳେ ବିଗତ ୩ ଦଶନ୍ଧି ଧରି ଓଡ଼ିଶାର ବିକାଶରେ କିଟ୍ ଓ କିସ୍ର ଯୋଗଦାନ ରହିଆସିଛି। ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ବିକାଶ ଧାରାରେ କିଟ୍ ଓ କିସ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ। କିସ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ଅମରେଶ୍ୱର ଗାଲା ଉତ୍କଳୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ଡା. ସିବିକେ ମହାନ୍ତି ଓ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍କଳ ସମ୍ମିଳନୀ
ଭୁବନେଶ୍ବର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ସମ୍ମିଳନୀ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଓ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ବାବୁ ସିଂ ଓ ଗାନ୍ଧୀବାଦୀ ପଦ୍ମଚରଣ ନାୟକ ଉପସ୍ଥିତ ରହି ସମ୍ମିଳନୀ ସଦସ୍ୟ ସଦସ୍ୟାମାନଙ୍କ ସହିତ ମାଲ୍ୟାର୍ପଣ କରିଥିଲେ। ପରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ସମ୍ମିଳନୀର ପତାକା ଉତ୍ତୋଳନ କରାଯାଇଥିଲା। ଉତ୍କଳ ଦିବସ ସମାରୋହରେ ଉଦ୍ଘାଟକ ଭାବେ ଗାନ୍ଧୀବାଦୀ ପଦ୍ମଚରଣ ନାୟକ, ମୁଖ୍ୟଅତିଥିଭାବେ ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶକ ଗୋପାଳକୃଷ୍ଣ ମହାପାତ୍ର ଯୋଗ ଦେଇଥିଲେ। ଉତ୍କଳ ସମ୍ମିଳନୀ ସଭାପତି ଅନନ୍ତ ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ସମ୍ମିଳନୀର ସାଧାରଣ ସମ୍ପାଦକ ଦିଲ୍ଲୀପ ଦାଶଶର୍ମା ସଭା ପରିଚାଳନା କରିଥିଲେ। ସଭାରେ ସୁରେନ୍ଦ୍ର ମୋହନ ମିଶ୍ର, ନିମାଇଁ ଚରଣ ଦାସ, ଶୀତଳ ଚନ୍ଦ୍ର ମହାନ୍ତି ଓ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ସୌଦାମିନୀ ସାମନ୍ତରାୟ, ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ଅକ୍ଷୟ ଜେଠୀ, ସୁରଜିତ ପରିଡ଼ା, ଅନୁପମା ବେହେରା, ରାମଚନ୍ଦ୍ର ସାମଲ, ଶୁଚିସ୍ମିତା ବଡ଼ଜେନା, ଧରଣୀଧର ରାଉତ, ଶଶିଭୂଷଣ ଦାସ, ବିରଜା ପ୍ରସାଦ ଶତପଥୀ, ଆରତି କର, ରଶ୍ମିପ୍ରଭା ସାହୁ ଓ ଅମରକବି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବାନୀ ବେହେରା ଓ ଜଗବନ୍ଧୁ ଷଡ଼ଙ୍ଗୀଙ୍କୁ ସମ୍ମାନିତ କରାଯାଇଥିଲା। ପୁସ୍ତକ ‘କବିତା କୁଞ୍ଜ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ।
ଭିଏସଏସନଗର ସରକାରୀ ଉଚ୍ଚବିଦ୍ୟାଳୟ
ଭୁବନେଶ୍ୱର: ଭିଏସଏସନଗର ସରକାରୀ ଉଚ୍ଚବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚପଳା ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ମିଶ୍ର, ବରିଷ୍ଠ ଶିକ୍ଷକ ସମୀର କୁମାର ପୃଷ୍ଟି ଯୋଗଦେଇ ବୀର ପୁତ୍ରମାନଙ୍କର ସ୍ମୃତି ଚାରଣ କରିବା ସହିତ ମାତୃଭାଷା ପ୍ରତି ଅନୁରକ୍ତ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ
ଭୁବନେଶ୍ୱର: ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଉତ୍କଳ ଦିବସ ପାଳିତ ହୋଇଛି। ସ୍କୁଲ ଅଧ୍ୟକ୍ଷା ନମ୍ରତା ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ଚେୟାରମ୍ୟାନ ପବିତ୍ର ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଉପାଧ୍ୟକ୍ଷ କବୀନ୍ଦ୍ର ଦାଶ ଯୋଗଦେଇ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ସମସ୍ତେ ଚେଷ୍ଟା କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ପଞ୍ଚସଖାଙ୍କ ପ୍ରତିମୂ୍ର୍ତ୍ତି ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯଇଥିଲା।
ନହରକଣ୍ଟାସ୍ଥିତ ସରସ୍ବତୀ ଶିକ୍ଷା ମନ୍ଦିର
ବାଲିଅନ୍ତା ବଜାର: ନହରକଣ୍ଟାସ୍ଥିତ ସରସ୍ବତୀ ଶିକ୍ଷା ମନ୍ଦିରରେ ଉତ୍କଳ ଦିବସ ପାଳିତ ହୋଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ଓ ସମ୍ପାଦକ ସୁରେନ୍ଦ୍ର କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ସଭା କାର୍ଯ୍ୟକୁ ବିଶ୍ବଭୂଷଣ ବାରିକ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡମ୍ବରୁଧର ଜେନା, ଜୟଶ୍ରୀ ମହାପାତ୍ର, ଗୋକୁଳାନନ୍ଦ ରଥ, ରୁକ୍ମଣୀ ପ୍ରଧାନ, ମମତା ସାମଲ ଉପସ୍ଥିତ ଥିଲେ। ସମସ୍ତ ଗୁରୁଜୀ, ଗୁରୁମା, ଛାତ୍ରଛାତ୍ରୀ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଉତ୍କଳ ଜନନୀ ପୂଜନ, ବିଦ୍ୟାରମ୍ଭ ଯଜ୍ଞ
ବାଲିଅନ୍ତା: ଆଜି ବାଲିଅନ୍ତା ବ୍ଲକ୍ ଅଧୀନ ଅଲାରପୁରସ୍ଥିତ ମା’ ଜାଗୁଳାଇ ସରସ୍ୱତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ୮୮ତମ ଉତ୍କଳ ଜନନୀ ପୂଜନ ଏବଂ ୧୭ତମ ବିଦ୍ୟାରମ୍ଭ ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶିଶୁମନ୍ଦିରର ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା, ଅଭିଭାବକ ଉତ୍କଳ ଜନନୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଉତ୍କଳର ସଂସ୍କୃତି ପରମ୍ପରାକୁ ଆଧାର କରି ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିଲେ। ଏହାସହିତ ଏକଦିବସୀୟ ବିଦ୍ୟାରମ୍ଭ ହୋମଯଜ୍ଞ ପୂଜାର୍ଚ୍ଚନା ହୋଇଥିଲା। ନୂତନ କରି ନାମ ଲେଖାଇଥିବା ଶିଶୁମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ପ୍ରଧାନଆଚାର୍ଯ୍ୟ ଶ୍ରୀକାନ୍ତ ଶେଖର ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁମା ଲକ୍ଷ୍ମୀପ୍ରିୟା ମିଶ୍ର, ଜାନକୀ ମହାପାତ୍ର, ସୂର୍ଯ୍ୟକାନ୍ତି ସାହୁ, ଗୁରୁଜୀ ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ରୀକାନ୍ତ କୁମାର ଦାଶ ପ୍ରମୁଖ ସହଯୋଗ କରିଥିଲେ। ବୈଜୟନ୍ତୀ ଗୁରୁମା ଧନ୍ୟବାଦ ଦେଇଥିଲେ।
ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର
ବାଲିଅନ୍ତା: ଉତ୍କଳ ଦିବସ ଉପଲକ୍ଷେ ସମ୍ବିଧାନ ସୁରକ୍ଷା ମଞ୍ଚ ଓଡ଼ିଶା ତରଫରୁ ଏକ ରକ୍ତଦାନ ଶିବିର ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଛି। ଶିବିରରୁ ମୋଟ୍ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ସଂଗଠନର ରାଜ୍ୟ ସଭାପତି ପିତବାସ ନାୟକଙ୍କ ନେତୃତ୍ବରେ ଶିବିର ଆୟୋଜିତ ହୋଇଥିଲା। ଶିବିରକୁ ମୁଖ୍ୟ ଅତିଥି ରୂପେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କ୍ ଅଧିକାରୀ ଦେବାଶିଷ ମିଶ୍ର ଓ ସମ୍ମାନିତ ଅତିଥି ରୂପେ ବାଳକାଟି ମେଡିକାଲର ଅଧୀକ୍ଷକ ତନ୍ମୟ ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଶିବିରରେ ସଂଗଠନର ଉପସଭାପତି ଦେବାଶିଷ ବେହେରା, ରାଜ୍ୟ ମହାସଚିବ ପ୍ରକାଶ ବିଶ୍ବାଳ, ଯୁଗ୍ମସମ୍ପାଦକ ଧ୍ରୁବ ଚରଣ ଭୋଇ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ନାୟକ, ସିନିଅର ସିଟିଜେନ ସନ୍ତୋଷ କୁମାର ପଟ୍ଟନାୟକ, ରାଜ୍ୟର ଫାଇନାନ୍ସ ମୁଖ୍ୟ ପଦ୍ମଚରଣ ପ୍ରଧାନ, ଅଜେୟ ନାୟକ, ମହିଳା ସଭାନେତ୍ରୀ ବନଲତା ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/02/QkfAV3STYtyFWugZQ29S.jpg)